ପିପିିଲି ଉପ-ନିର୍ବାଚନ: ଆଜି ନାମାଙ୍କନ ଭରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ।

104

କନକ ବ୍ୟୁରୋ: ପିପିିଲି ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ପିପିଲି ପାର୍ଟି ଅଫିସରୁ ପୁରୀ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ରୁଦ୍ର ପ୍ରତାପ ମହାରଥୀ । ସେହିପରି ଦଳୀୟ ସମର୍ଥକଙ୍କ ଗହଣରେ ଯାଇ ନାମାନଙ୍କ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ସେପଟେ ପ୍ରଚାର ଅଭିଯାନକୁ ଆଜିଠୁ ଜୋରଦାର କରିବେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଗତକାଲି ହୋଲି ଅବସରରେ ପିପିଲିରୁ ଆସିଥିବା ସମର୍ଥକଙ୍କଠାରୁ ଶୁଭେଚ୍ଛା ଗ୍ରହଣ କରି ପିପିଲି ବିଜୟ ରଣନୀତି ନେଇ ଆଲୋଚନା କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ।

ଏପଟେ ନାମାଙ୍କନ ଦାଖଲ କରିସାରିଥିବା ବିଜେପି ପ୍ରାର୍ଥୀ ପିପିଲିରେ ଆଜିଠାରୁ ହାଇଭୋଲଟେଜ୍ କ୍ୟାମ୍ପେନ ଆରମ୍ଭ କରିବେ । ଏବେ ବିଜେଡିର ନୂଆ ମୁହଁ ସହ ବିରୋଧୀଙ୍କ ପୁରୁଣା ଚେହେରା ମଧ୍ୟରେ ଲଢେଇ ହେବ । ଗତ ନିର୍ବାଚନରେ ବିଜେଡିକୁ, ବିଜେପି କଡା ଟକ୍କର ଦେଇଥିବାବେଳେ କଂଗ୍ରେସର ଭୋଟହାର ବହୁ ତଳକୁ ଖସି ଆସିଥିଲା । ବିଜେଡି ୫୧ପ୍ରତିଶତ ଭୋଟ ସହ ୮୮ ହଜାର ୫୧୮ ଭୋଟ ପାଇଥିଲେ । ବିଜେପିର ଆଶ୍ରିତ ପଟ୍ଟନାୟକ ୪୨ ପ୍ରତିଶତ ସହ ୭୨ ହଜାର ୭୩୧ ହଜାର ଓ କଂଗ୍ରେସ ପ୍ରାର୍ଥୀ ୬ପ୍ରତିଶତ ସହ ପାଇଥିଲେ ୯ହଜାର ୮୩୦ ଭୋଟ୍ । ତେଣୁ ବିରୋଧୀ ଶିବିରର ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଉପନିର୍ବାଚନରେ ବିରୋଧୀଙ୍କୁ ବାରମ୍ବାର ମାତ ଦେଉଥିବା ବିଜେଡି ବିରୋଧରେ ରଣନୀତି ପ୍ରସ୍ତୁତ କରିବା ନିଶ୍ଚିତରୂପେ ବିରୋଧୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।