କନକ ବ୍ୟୁରୋ: ବିରୋଧ ଭିତରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଜାରି ରହିଛି । ଆଜି ଯାଜପୁର ଗସ୍ତ ସମୟରେ ୫-ଟି ସଚିବଙ୍କୁ ବିଭିନ୍ନ ସ୍ଥାନରେ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ମହିଳା କଂଗ୍ରେସ କର୍ମୀ କଳା ଶାଢି ପିନ୍ଧି ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଛନ୍ତି । ସେହିଭଳି ସଭାସ୍ଥଳକୁ ଧସେଇ ପଶି ନାରାବାଜି କରିଛନ୍ତି କଂଗ୍ରେସ କର୍ମୀ । ଆଉ ଏହି ଗସ୍ତ ସମୟରେ ଚର୍ଚ୍ଚାକୁ ଆସିଛି ୫-ଟି ଟି-ସାର୍ଟ ।

Advertisment
  • ୫-ଟି ସଚିବଙ୍କ ଗସ୍ତକୁ ବିରୋଧ
  • ସଭାସ୍ଥଳକୁ ଧସେଇ ପଶିଲେ କଂଗ୍ରେସ କର୍ମୀ

ଯାଜପୁର ଗସ୍ତରେ ଥିବା ୫-ଟି ସଚିବଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି । ଯାଜପୁରରୋଡ ଗୋପବନ୍ଧୁ ଛକରେ ମହିଳା କଂଗ୍ରେସ କର୍ମୀ କଳା ଶାଢି ପିନ୍ଧି ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଛନ୍ତି । ପାଣ୍ଡିଆନ ଗୋ-ବ୍ୟାକ୍ ନାରା ଦେଇ ଶୋଭାଯାତ୍ରା କରିବା ସହ ପ୍ରତିବାଦ ଜଣାଇଛନ୍ତି । ୫-ଟି ସଚିବଙ୍କ ଭେଟି ଦାବିପତ୍ର ଦେବାକୁ ଅଡି ବସିଥିଲେ । ତେବେ ମହିଳା କଂଗ୍ରେସ କର୍ମୀଙ୍କୁ ବାଟରେ ଅଟକାଇଥିଲା ପୋଲିସ ।

ଯାଜପୁର ଟାଉନରେ ଆୟୋଜିତ ସଭାସ୍ଥଳକୁ ଧସେଇ ପଶିଛନ୍ତି କଂଗ୍ରେସ କର୍ମୀ । ମୁଣ୍ଡରେ କଳା ପଟି ବାନ୍ଧି କଂଗ୍ରେସ କର୍ମୀ ସଭାସ୍ଥଳକୁ ଧସେଇ ପଶି ସଚିବଙ୍କ ବିରୋଧରେ ନାରା ବାଜି କରିଛନ୍ତି । ଏହାକୁ ବିଜେଡି କର୍ମୀ ବିରୋଧ କରିବାରୁ ସଭାସ୍ଥଳରେ କଂଗ୍ରେସ ଓ ବିଜେଡି କର୍ମୀ ହାତହାତି ହୋଇଛନ୍ତି । ଉପସ୍ଥିତି ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରି କଂଗ୍ରେସ କର୍ମୀଙ୍କୁ ସଭାସ୍ଥଳରୁ ବାହାରକୁ ନେଇଯାଇଥିଲା ।

୫-ଟି ସଚିବଙ୍କ ଯାଜପୁର ଗସ୍ତ ବେଳେ ଚର୍ଚ୍ଚାକୁ ଆସିଛି ୫-ଟି ଟି-ସାର୍ଟ । ପାଣ୍ଡିଆନଙ୍କ ଯାଜପୁର ଗସ୍ତ ସମୟରେ କିଛି ଯୁବକ ୫-ଟି ଲେଖାଥିବା ଟି-ସାର୍ଟ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି । ଏପରିକି କଂଗ୍ରେସ କର୍ମୀଙ୍କ ସହ ମୁହାଁମୁହିଁ ସମୟରେ ଉକ୍ତ ଟି-ସାର୍ଟ ପିନ୍ଧି କିଛି ଯୁବକ ହାତରେ ବାଡି ଧରି ବୁଲାଉଥିବା ଦେଖିବାକୁ ମିଳିଛି । ହେଲେ, ଏମାନେ ବିଜେଡି କର୍ମୀ ନା ୫-ଟି ସଚିବଙ୍କ ସମର୍ଥକ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହି ଯୁବକମାନେ କିଏ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ୫-ଟି ଲେଖାଥିବା ଟି-ସାର୍ଟ ପିନ୍ଧି ଗଣ୍ଡଗୋଳ କରୁଥିବା ଯୁବକଙ୍କ ବିରୋଧରେ, ଯାଜପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ ।