ପିପିଲିରେ ପତିଆରାର ପଟୁଆର । ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । କଂଗ୍ରେସ ପ୍ରାର୍ଥୀ ଅଜିତ ବି ଭରିଲେ ପ୍ରାର୍ଥୀପତ୍ର ।

134

କନକ ବ୍ୟୁରୋ: ପତିଆରାର ବିରାଟ ପଟୁଆର ଭିତରେ ଖୋଲା ଗାଡ଼ିରେ ଛିଡ଼ା ହୋଇ ଜୁନିୟର ମହାରଥୀ ଆଜି ନାମାଙ୍କନ ପାଇଁ ବାହାରିଥିଲେ । ଆଉ ତାଙ୍କ ପଛରେ ଥିଲା ବିଶାଳ ଶୋଭାଯାତ୍ରା । ସ୍ଥାନେ ସ୍ଥାନେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ କର୍ମୀ ଓ ସଂଗଠନ ସଦସ୍ୟମାନେ ମଧ୍ୟ ଅନାଇ ରହିଥିଲେ । ପିପିଲି ବିଜେଡି ଅଫିସରୁ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ରୁଦ୍ର ପ୍ରତାପ ମହାରଥୀ ପୁରୀ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ ।

ନାମାଙ୍କନ ପତ୍ର ଦାଖଲ ସହ ଲଢେଇ ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ଦଳର ଏକାଧିକ ନେତା ଓ ମନ୍ତ୍ରୀଙ୍କ ଗହଣରେ ପୁରୀ ଯାଇ ନାମାଙ୍କନପତ୍ର ଦାଖଲ କରିଥିବା ରୁଦ୍ର ମହାରଥୀ, ଦିବଙ୍ଗତ ନେତା ତଥା ତାଙ୍କ ବାପା ପ୍ରଦୀପ ମହାରଥୀଙ୍କ ଗଡ଼କୁ ଅତୁଟ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଆଉ ରୁଦ୍ରଙ୍କ ଉପରେ ପୂର୍ଣ୍ଣ ଭରସା ରଖିଛି ବିଜୁ ଜନତା ଦଳ ।

ଏପଟେ ଦଳର ବହୁ ତୁଙ୍ଗ ନେତାଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ପିପିଲିରୁ ଏକ ବିଶୋଳା ଶୋଭାଯାତ୍ରାରେ ବାହାରୁ ପୁରୀ ଯାଇଥିଲେ ଅଜିତ ମଙ୍ଗରାଜ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପିସିସି ସଭାପତିଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଜିତ ମଙ୍ଗରାଜ । ତୃଣମୂଳ ସ୍ତରରେ ଅଜିତ ମଙ୍ଗରାଜ ଜଡ଼ିତ ଥିବାରୁ ତାଙ୍କୁ ନେଇ କଂଗ୍ରେସ ମଧ୍ୟ ଆଶବାଦୀ ରହିଛି ।

ବିଜେଡି ଓ କଂଗ୍ରେସର ଏହି ପ୍ରସ୍ତୁତି ଭିତରେ ପିପିଲି ପାଇଁ ବିଜେପି ଜାରି କରିଛି ଷ୍ଟାର ପ୍ରଚାରକ ତାଲିକା । ଏହି ୩୦ ଜଣିଆ ତାଲିକାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଜୁଏଲ ଓରାମଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଛି । ଦଳର ବରିଷ୍ଠ ଓ ଅନୁଭବୀ ନେତା ବିଜୟ ମହାପାତ୍ର ମଧ୍ୟ ପିପିଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ଦଳର ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବେ । ବୈଜୟନ୍ତ ପଣ୍ଡା, ପ୍ରଦୀପ୍ତ ନାୟକ, କେଭି. ସିଂ ଦେଓ, ବିଷ୍ଣୁ ସେଠୀ, ଲେଖାଶ୍ରୀ ସାମନ୍ତ ସିଂହାର, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ଓ ଶ୍ରୀତମ ଦାସ ପ୍ରଚାରର ମଙ୍ଗ ଧରିବେ ।