ଶିମିଳିପାଳ ନିଆଁ  ପାଇଁ ନେତାଙ୍କ ଚିନ୍ତା । ବିଜେଡି କହିଲା ନିଆଁ ଲିଭାଇବା ପାଇଁ ଚାଲିଛି ପ୍ରୟାସ, ବିଜେପି ସାଂସଦଙ୍କୁ ଭେଟିବା ପରେ ବିଶେଷଜ୍ଞ ଟିମ ପଠାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ।  

129

କନକ ବ୍ୟୁରୋ : ଶିମିଳିପାଳ ଜଳୁଥିବା ବେଳେ ଏବେ ଏହାକୁ ନେଇ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେପି ଏଥିପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି । ତେବେ ଏସବୁ ଭିତରେ ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି କହିଛନ୍ତି, ନିଆଁ ଲିଭାଇବା ପାଇଁ ସରକାରଙ୍କ ଟାସ୍କଫୋର୍ସ ପ୍ରୟାସ ଜାରି ରଖିଛି । ହଜାରେରୁ ଅଧିକ ବନ କର୍ମଚାରୀ, ଓଡ଼୍ରାଫ ଟିମ୍ ଓ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗ୍ରାଉଣ୍ଡରେ ବିଜେଡିର ସ୍ୱେଚ୍ଛାସେବୀ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରୁଛନ୍ତି । ଦିନରାତି ଏହି କାର୍ଯ୍ୟ ଜାରି ରହିଛି ।

ସେହିଭଳି ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଟ୍ୱିଟ୍ କରି କହିଛନ୍ତି, ଶିମିଳିପାଳ ସମଗ୍ର ଦେଶର ସମ୍ପତ୍ତି । ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ସରକାର ଓ ବିଜୁ ଜନତା ଦଳର ଯୁବ, ମହିଳା ଓ ଛାତ୍ର ନିଆଁ ଲିଭାଇବା ଦିଗରେ ଦିନରାତି କାମ କରୁଛନ୍ତି । ଏପରିକି ଆସନ୍ତାକାଲି ଠାରୁ ସେ ନିଜେ ଏହି ଅଭିଯାନରେ ସାମିଲ ହେବାକୁ କହିଛନ୍ତି ।

ଅନ୍ୟପଟେ ଦିଲ୍ଲୀ ଦରବାରରେ ଉଠିଛି ଓଡ଼ିଶାରେ ଜଙ୍ଗଲ ଜଳିବା ପ୍ରସଙ୍ଗ । ଶିମିଳିପାଳ ଜଙ୍ଗଲ ଜଳିବା ସମସ୍ୟାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡିଳୀ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡ଼ିଶା ନେତା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କରଙ୍କୁ ଭେଟି  ଆପତ୍ତି ଜଣାଇଛନ୍ତି । ତେବେ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଟିମ୍ ପଠାଇବାକୁ ରାଜ୍ୟ ନେତାମାନେ ଦାବି କରିଥିଲେ । ଏନେଇ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ କାମ୍ପା ଫଣ୍ଡରେ ରାଜ୍ୟ ବନୀକରଣ ପାଇଁ ୬ହଜାର କୋଟି ଟଙ୍କା ଦିଆଯାଇଥିଲା । ହେଲେ ଏଥିରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ କରିଛନ୍ତି ବିଜେପି ସାଂସଦ ସୁରେଶ ପୁଜାରୀ । ଏହାର ତଦନ୍ତ କରାଯାଉ ବୋଲି ସେ କହିଛନ୍ତି ।

ବିଜେପିର ସଂସଦୀୟ ପ୍ରତିନିଧିଙ୍କୁ ଭେଟିବା ପରେ  କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କର ଟ୍ୱିଟ୍ କରି କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦ ମାନେ ତାଙ୍କୁ ଜଙ୍ଗଲ ଜଳିବା ପ୍ରସଙ୍ଗରେ ଭେଟିଥିବା ସେ ଉଲ୍ଲେଖ କରିଛନ୍ତି । ତେଣୁ ଖୁବ୍ ଶୀଘ୍ର ଏକ ବିଶେଷଜ୍ଞ ଦଳ ଓଡ଼ିଶା ଆସି ପରାମର୍ଶ ଓ ସହାୟତା ଯୋଗାଇଦେବେ ବୋଲି ସେ ସୂଚନା ଦେଇଛନ୍ତି ।