କନକ ବ୍ୟୁରୋ : ଗାଁରେ ଗରିବ ଲୋକଙ୍କୁ କିଏ ଦେଉଛି ଘର । କେନ୍ଦ୍ର ସରକାର ନା ରାଜ୍ୟ ସରକାର । ଏହାକୁ ନେଇ ବେଶ କିଛି ଦିନ ହେଲା ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିବା ବିବାଦ ଆଜି ନାଟକୀୟ ମୋଡ ନେଇଛି । କେନ୍ଦ୍ର ସରକାରଙ୍କ ସଚିବ ଚିଠି ଲେଖି କହିଛନ୍ତି, ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘରର ଲୋଗୋ ଲଗାଯାଇପାରିବନି । ଏପଟେ ବିଜେଡି କହିଛି, ପକ୍କା ଘର ଦେବା ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ଅର୍ଥ ଦେଉଛନ୍ତି । ତାହେଲେ କାହିଁକି ରାଜ୍ୟ ବିଷୟରେ ସୂଚନା ରହିବ ନାହିଁ । ସେପଟେ ବିଜେପି କହିଛି, ବିଜେଡି ସରକାର କେନ୍ଦ୍ର ଯୋଜନାକୁ ହାଇଜାକ କରିବା ପାଇଁ ଯୋଜନା କରୁଛନ୍ତିା

Advertisment

ବିଜୁ ପକ୍କା ଘର ନା’ ପ୍ରଧାନମନ୍ତ୍ରୀ ଆବାସ । ପକ୍କା ଘରକୁ ନେଇ ବିଜେଡି-ବିିଜେପି ମଧ୍ୟରେ ବହୁ ଦିନରୁ ଲାଗିଥିବା କଳି, ଏବେ ଏକ ଚରମସୀମାରେ ପହଂଚିଛି, ଯେତେବେଳେ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ, ରାଜ୍ୟ ସରକାରଙ୍କ ପାଖକୁ ବିଧିବଦ୍ଧ ଭାବେ ଚିଠି ଆସିଛି । ଏଥିରେ କୁହାଯାଇଛି- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଲୋଗୋକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ । କାରଣ, ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ । ତେଣୁ ଏହାକୁ ବ୍ୟବହାର ନକରିବାକୁ ଚିଠିରେ କୁହାଯାଇଛି ।

ଲୋଗୋ ପାଇଁ ଲଢ଼େଇ । ବିଜେଡି-ବିଜେପି ମୁହାଁମୁହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ଲଗାଇବାକୁ ବହୁ ଦିନରୁ ଆପତି ଉଠାଇ ଆସୁଥିଲା ବିଜେପି । ଆଉ କେନ୍ଦ୍ରରୁ ଚିଠି ଆସିବା ପରେ ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା କରିଛନ୍ତି ବିଜେପି ଦଳର ସଦସ୍ୟ । ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି- କେନ୍ଦ୍ର ସରକାରଙ୍କ ଯୋଜନାରେ ବିଜୁ ପକ୍କା ଘର ଲୋଗୋ ଲଗାଇ ଚଞ୍ଚକତା କରାଯାଇଛି । ଏପଟେ ବିଜେଡି କହିଛି-ଯୋଜନାରେ ରାଜ୍ୟ ସରକାର ଅଧା ଟଙ୍କା ଦେଉଛନ୍ତି । ସେ କଥାକୁ ଲୋକଙ୍କ ସାମ୍ନାରେ ରଖାଯାଉ । କଂଗ୍ରେସ କହିଛି- ଇନ୍ଦିରା ଆବାସ ଯୋଜନାକୁ ପରିବର୍ତନ କରି, ବିଜେପି ମୋଦିଙ୍କ ଫଟୋ ଏବଂ ବିଜେଡି ବିଜୁ ବାବୁଙ୍କ ଫଟୋ ମାରୁଛି ।

ରାଜନୀତିର ଏହି ବୟାନବାଜି ଭିତରେ ଗୋଟିଏ ପାଦ ଆଗକୁ ଯାଇ, ସାମ୍ବାଦିକ ସମ୍ମିଳନୀ କରି ବିଜେଡି, କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି । ବିଜେପିକୁ ଟାର୍ଗେଟ୍ କରି ଦଳ କହିଛି-ଯୋଜନାରେ ରାଜ୍ୟ ଖର୍ଚ୍ଚ କରୁଛି ୫୦ପ୍ରତିଶତ, ତେଣୁ କାହିଁକି ଲାଗିପାରିବ ନାହିଁ ଲୋଗୋ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ଅଂଶଧନ ରହିଛି । ବିଜୁ ପକ୍କା ଘର ଯୋଜନାରେ ଯେଉଁ ଟଙ୍କା ଖର୍ଚ୍ଚ ହେଉଥିଲା, ତାହା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଗିଛି । ସେହିପରି ଗୃହ ନିର୍ମାଣରେ କେନ୍ଦ୍ର ସରକାର ଦେଇଥିବା ପୁରସ୍କାର ଓ ପ୍ରଶଂସାକୁ ଉହାଦରଣ ଭାବେ ରହିଛି ବିଜୁ ଜନତା ଦଳ ।

ଅନ୍ୟପଟେ ବିଜେଡିକୁ ଜବାବ ଦେବାକୁ ଯାଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରିବାକୁ ସବୁବେଳେ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଗରିବ ଲୋକମାନେ ସରକାରୀ ଯୋଜନାରେ କେମିତି ପକ୍କା ଘର ପାଉଛନ୍ତି? ପ୍ରକୃତ ହିତାଧିକାରୀ ପାଉଛନ୍ତି ନା ନାହିଁ । ତାକୁ ନେଇ ରାଜନୈତିକ ଦଳ ଗୁଡ଼ିକ ହୁଏତ ଯେତିକି ଚିନ୍ତିତ ନୁହେଁ, ତାଠୁ ଅଧିକ ଚିନ୍ତିତ ଯୋଜନାରେ କେଉଁ ଲୋଗୋ ଲାଗିବ ଏବଂ କାହାର ଫଟୋ ରହିବ ।