ବିଧାନସଭାରେ ହଙ୍ଗାମା, ବାଚସ୍ପତିଙ୍କ ମାଇକ ଭାଂଗିଲେ ବିଧାୟକ । ପରୀ ମାମଲାରେ ବିଜେଡିର ହଟ୍ଟଗୋଳ, ଅର୍ପଣ ରଥ ଉଷୁନା ଚାଉଳକୁ ନେଇ ବିଜେପିର ପ୍ରତିବାଦ

63

କନକ ବ୍ୟୁରୋ : ବାରମ୍ବାର ଗୃହ ମୁଲତବି ହେବା ପରେ ୪ଟାରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ହେଲେ ଅଳ୍ପ ସମୟ ପରେ ପୁଣି ହଙ୍ଗାମା କରିଥିଲେ ବିରୋଧୀ । ବିଜେପି ବିଧାୟକ ନାଉରୀ ନାୟକ ରାଗିଯାଇ ମାଇକ୍ ଭାଙ୍ଗି ଥିବା ଅଭିଯୋଗ ହୋଇଥିଲା । ଫଳରେ ପୁଣି ଥରେ ଅଚଳାବସ୍ଥାର ସ୍ଥିତି ସୃଷ୍ଟି ହୋଇଥିଲା । ଏପଟେ ପରୀ ମାମଲାରେ ଦୋଷୀକୁ ଦଣ୍ଡାଦେଶ ହେବା ପରେ ବିଜେପିର ଅସଲ ଚେହେରା ସାମ୍ନାକୁ ଆସିଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ଦାବି କରି ଗୃହରେ ନାରାବାଜି କରିଥିଲେ । ଗୃହ ମୁଲତବି ହେବା ପରେ ଗାନ୍ଧୀ ପ୍ରତିମୂର୍ତି ତଳେ ବ୍ୟାନର ଧରି ଧାରଣା ଦେଇଥିଲେ ।

ସେପଟେ ଅର୍ପଣ ରଥରୁ ଉଷୁନା ଚାଉଳ ମିଳିବା ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିଜେପି ସଦସ୍ୟ । ହାତରେ ବ୍ୟାନର ଧରି ଗୃହ ମଧ୍ୟ ଭାଗରେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ ନାରା ଦେଇଥିଲେ । କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଲା ଓ ଉଷୁନା ଚାଉଳକୁ ମହାପ୍ରସାଦରେ ବ୍ୟବହାର କରାଗଲା ବୋଲି ବିଜେପି ପ୍ରଶ୍ନ କରିଛି । ଅର୍ପଣ ରଥରେ ମହାପ୍ରଭୁଙ୍କୁ ବୁଲାଇ ଉଷୁନା ଚାଉଳ ସହ ଅରୁଆ ଚାଉଳ ମିଶାଇ ସଂଗ୍ରହ କରାଗଲା । ଏହା ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରାଯାଇଛି ବୋଲି ଅଭିଯୋଗ କରିଛି ବିଜେପି ।

ଏସବୁ ଭିତରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେପି ଉଠାଇଥିବା ପ୍ରସଙ୍ଗକୁ ସମର୍ଥନ କରିଥିବା ବେଳେ ଆଜି ପରୀ ପ୍ରସଙ୍ଗ ଉଠାଇବାର ଆବଶ୍ୟକନଥିଲା କହି ବିଜେଡି ଉପରେ ବର୍ଷିିଥିଲେ ।

ରାଜନୀତିର ଟଣାଓଟଣା ଓ ଶାସକ-ବିରୋଧୀଙ୍କ ହଙ୍ଗାମା ଭିତରେ ପ୍ରଭାବିତ ହୋଇଛି ଗୃହକାର୍ଯର୍୍ୟ । ତେବେ ଆସନ୍ତାକାଲି ଅପରାହ୍ଣରେ ବିଧାନସଭାରେ ଉପସ୍ଥାପିତ ହେବ କାମଚଳା ବଜେଟ ।