ଝାରସୁଗୁଡା ଉପ-ନିର୍ବାଚନକୁ ନେଇ ବିଜେଡି-ବିଜେପିର ପ୍ରସ୍ତୁତି ଜୋରଦାର । ବିଜୟ ନେଇ ଦେଖାଇଲେ ଦମ୍ଭୋକ୍ତି ।

ଝାରସୁଗୁଡା ଉପ-ନିର୍ବାଚନକୁ ନେଇ ବିଜେଡି-ବିଜେପିର ପ୍ରସ୍ତୁତି ଜୋରଦାର । ବିଜୟ ନେଇ ଦେଖାଇଲେ ଦମ୍ଭୋକ୍ତି ।

କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନକୁ ନେଇ ଚଳଚଞ୍ଚଳ ରାଜନୀତି । ଉଭୟ ବିଜେଡି ଓ ବିଜେପି ଏହି ଉପ-ନିର୍ବାଚନକୁ ନେଇ ବେଶ ଆଶାବାଦୀ । ନିର୍ବାଚନକୁ ଆହୁରି ମାସେରୁ ଅଧିକ ସମୟ ବାକି ଥିବା ବେଳେ ବିଜେଡି ପ୍ରାର୍ଥୀ ଘୋଷଣା କରି ମୈଦାନକୁ ଓହ୍ଳାଇଲାଣି । ଦଳୀୟ ପ୍ରାର୍ଥୀ ଦୀପାଳି ଦାସ ପ୍ରଚାର ଆରମ୍ଭ କରିଥିବା ବେଳେ ନିର୍ବାଚନ ରଣନୀତି ପ୍ରସ୍ତୁତିକୁ ଜୋରଦାର କରିଛି ବିଜେଡି । ଏନେଇ ଆଜି ବିଜେଡିର ବୈଠକ ଶେଷ ହୋଇଛି । ବୈଠକରେ ବିଜେଡି ସାଙ୍ଗଠନିକ ସମ୍ପାଦକ, ଝାରସୁଗୁଡା ବିଜେଡି ପର୍ଯ୍ୟବେକ୍ଷକ, ଦୀପାଳିଙ୍କ ଭାଇ ବିଶାଳ ଉପସ୍ଥିତ ଥିଲେ । ଖୁବଶୀଘ୍ର ଉପ-ନିର୍ବାଚନକୁ ନେଇ ବିଜେଡି କମିଟି ଗଠନ କରିବ । ଏନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଝାରସୁଗୁଡା ନିର୍ବାଚନରେ ବିଜେଡି ପାଖାପାଖି ଲକ୍ଷେ ଭୋଟରେ ବିଜୟୀ ହେବ ।

ଅନ୍ୟପଟେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଜେପି ପୂରା ପ୍ରସ୍ତୁତ । ତେବେ ଦଳ କାହାକୁ ପ୍ରାର୍ଥୀ କରିବ ସେଥିପାଇଁ ଦୁଇ ଦୁଇ ଥର ପର୍ୟ୍ୟବେକ୍ଷକ ଟିମ ଗ୍ରାଉଣ୍ଡ ରିଆଲିଟି ଚେକ କରିଛି। ଏପରିକି ଦଳର ବରିଷ୍ଠ ନେତାଙ୍କ ଏକ ଟିମ ଝାରସୁଗୁଡା ଗସ୍ତ କରି ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଛି। ଏହାର ଏକ ରିପୋର୍ଟ ବିଜେପିର ରାଜ୍ୟ ସଭାପତି ଦିଆଯାଇଛି। ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ଖୁବଶୀଘ୍ର ନାମ ଘୋଷଣା କରାଯିବ। ଆସନ୍ତା ୫ କିମ୍ବା ୬ ତାରିଖ ଦିନ ଦଳ ପ୍ରାର୍ଥୀ ଘୋଷଣା ହୋଇପାରେ। ଝାରସୁଗୁଡା ମୁଦ୍ଦା ହେବ ଅକର୍ମା ସରକାର, ଝାରସୁଗୁଡାରେ ଆଇନଶୃଖଂଳା ବିପର୍ଯ୍ୟସ୍ତ । କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ସରକାରୀ ପ୍ରୋତ୍ସାହନରେ ହୋଇଛି ଏବଂ ଏବେ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି ସରକାର। ଏକଥା ଝାରସୁଗୁଡା ବାସୀ ଭୁଲି ପାରିବେ ନାହିଁ। ତାର ପରିଣାମ ନିର୍ବାଚନରେ ଲୋକମାନେ ଦେବେ ବୋଲି କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe