ଡିଜେଲ ଦର ବୃଦ୍ଧି ନେଇ ରାଜନୀତି ସରଗରମ ! ଧର୍ମେନ୍ଦ୍ର କହିଲେ ଭାଟ୍ କମାଇଲେ, କମିବ ଡିଜେଲ ଦର, ସେପଟେ ମନ୍ତ୍ରୀଙ୍କୁ ଅପାରଗ କହି ବିଜେଡିର ଟାର୍ଗେଟ୍ ।

53

କନକ ବ୍ୟୁରୋ : ତେଲ ଦର ବୃଦ୍ଧିକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଡିଜେଲ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଡିଜେଲ ଉପରୁ ଭାଟ କମାଇଲେ ହିଁ ଦର କମିବ ବୋଲି ସେ ପରାମର୍ଶ ଦେଇଛନ୍ତି । ବେସ୍ ପ୍ରାଇସ୍ ବଢିଗଲା ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା କହିଛନ୍ତି ।

ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି , ଛତିଶଗଡ, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଅଂଚଳରେ ବି ବେସ ପ୍ରାଇସ ବଢିଛି । ସେହି ରାଜ୍ୟ ଗୁଡିକରେ କିନ୍ତୁ ମୂଲ୍ୟ କମ ରହିଛି । କିନ୍ତୁ ଏଠି ଭାଟକୁ ତର୍ଜମା କରିବାକୁ ସେ କହିଛନ୍ତି । କେନ୍ଦ୍ରୀୟ ଟିକସ କମାଇବା ସମୟରେ ଅନ୍ୟ ରାଜ୍ୟମାନେ କମାଇଥିଲେ, କିନ୍ତୁ ଓଡିଶା କମାଇନଥିଲା । ପୂର୍ବରୁ ରାଜ୍ୟ ୩ ହଜାର କୋଟି ଟଙ୍କା ଟିକସ ପାଉଥିବା ବେଳେ ଏବେ ୭ହଜାର କୋଟି ଟିକସ ପାଉଛି ।

ସେପଟେ ଏହାର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଅରୁଣ ସାହୁ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ କହିବା ଛାଡି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରନ୍ତୁ । କେନ୍ଦ୍ରମନ୍ତ୍ରୀଙ୍କ ଅସହାୟତା ପାଇଁ ଓଡିଶାବାସୀ ସମେତ ଭାରତବାସୀ କଷ୍ଟ ଭୋଗୁଛନ୍ତି ବୋଲି କହିଛନ୍ତି ଅରୁଣ । ଗୋଟିଏ ପଟେ ତେଲ ଦର ବଢିଚାଲିଥିବା ବେଳେ ଏପଟେ ରାଜ୍ୟରେ ରାଜନୀତି ବି ଜୋର ଧରିଛି । ଆଉ ଏସବୁ ଭିତରେ ପେଶି ହୋଇଯାଉଛନ୍ତି ସାଧାରଣ ଜନତା ।