ଭାଗ ବାଣ୍ଟିି କିଣିନେଲେ ସରକାରୀ କ୍ୱାର୍ଟର । ସାଧାରଣ ପ୍ରଶାସନ ବିଭାଗ ନିକଟରେ ଟଙ୍କା ଜମା କରି ଜାଗା କିଣିନେଲେ ବିଜେଡି ଓ ବିଜେପି

163

କନକ ବ୍ୟୁରୋ: ସରକାରୀ କ୍ୱାର୍ଟରରେ ହେବ ବିଜେଡି-ବିଜେପି ପାର୍ଟି ଅଫିସ । ୟୁନିଟ-୬ର ଦୁଇଟି କ୍ୱାର୍ଟର ଜମି ବିଜେଡିକୁ ଲିଜ ଆକାରରେ ଦିଆଯିବା ପରେ ଦଳ ଏହାକୁ ଫ୍ରି ହୋଲ୍ଡ କରିନେଇଛି । ସେହିଭଳି ଜନପଥ ନିକଟରେ  ବିଜେପି ବି ସାଧାରଣ ପ୍ରଶାସନ ବିଭାଗ ନିକଟରେ ଅର୍ଥ ଜମା କରି ଜମି କିଣିନେଇଛି । ଏବେ ବିଜେଡି ଓ ବିଜେପିର  ରାଜ୍ୟ ଅଫିସ ନୂଆ ରୂପ ପାଇବ ଓ ଦୁଇ ପ୍ରମୁଖ ଦଳ କର୍ପୋରେଟ ଅଫିସ ଢାଞ୍ଚାରେ  ନୂଆ କୋଠା ନିର୍ମାଣ କରିବେ ।

ସରକାରୀ  କ୍ୱାର୍ଟର ବିକ୍ରି ହୋଇପାରିବ ବୋଲି ବୋଧହୁଏ ଆପଣ କେବେ ଭାବି ନ ଥିବେ । କିନ୍ତୁ ଏହା ସମ୍ଭବ ବି ହୋଇପାରେ, ଯଦି କ୍ଷମତାରେ ଥିବା ରାଜନୈତିକ ଦଳ ଓ ମୁଖ୍ୟ ବିରୋଧୀ ଦଳ ଏହା ଚାହିଁବେ ।  ୟୁନିଟ-୬ରେ ଭି-୨/୧ ଓ ଭି- ୨/୨ କ୍ୱାର୍ଟରକୁ ଲିଜ ଆକାରରେ ନେଇଥିଲା ବିଜେଡି ।  ପରେ ଏହାକୁ ଫ୍ରି-ହୋଲ୍ଡ ସରକାରୀ ବେଞ୍ଚ ମାର୍କ ଅନୁସାରେ ଟଙ୍କା ଦେଇ ଏହି ସବୁ କ୍ୱାର୍ଟରକୁ କିଣିନିଆଯାଇଛି ।

ସେପଟେ  ଜନପଥ କଡରେ ୟୁନିଟ-୩ରେ ସରକାରୀ କ୍ୱାର୍ଟର ୪ ଆର୍ ୩/୧ ଏବଂ ୩/୨ରେ ଚାଲିଥିବା ବିଜେପି ଅଫିସ ନୂଆ ରୂପରେ ତିଆରି ହେବ । ଏଥିପାଇଁ ଦଳ ପକ୍ଷରୁ ଜମି ମଗାଯାଇଥିଲା । ଏଥିପାଇଁ ବିଜେପିକୁ ବର୍ତ୍ତମାନର ଅଫିସ ନିକଟରେ ୪ ଆର ୨/୧ ଓ ୪ ଆର ୨/୨ କ୍ୱାର୍ଟର ଦିଆଯାଇଛି ।  ବିଜେପି ମଧ୍ୟ ସାଧାରଣ ପ୍ରଶାସନ ବିଭାଗରେ ଅର୍ଥ ଜମା କରି ଜମି କିଣିନେଇଛି । ପୂର୍ବରୁ ଯେଉଁ କ୍ୱାର୍ଟର ଆବଣ୍ଟନ ହୋଇଥିଲା ଏବଂ ବର୍ତ୍ତମାନ ମିଳିଥିବା କ୍ୱାର୍ଟର ଜମି ବେଞ୍ଚମାର୍କ ମୂଲ୍ୟ ଅନୁସାରେ  କିଣିନେଇଛି ।

ଉଭୟ ବିଜେଡି ଓ ବିଜେପିର ଅଫିସ ନୂଆ ରୂପ ପାଇବାକୁ ଯାଉଛି । ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ  କର୍ପୋରେଟ ଅଫିସ ଢାଞ୍ଚାରେ  ନୂଆ କୋଠା ନିର୍ମାଣ କରିବେ । ୟୁନିଟ-୬ରେ ନୂଆ ବିଜେଡି ଅଫିସ ନିର୍ମାଣ ପାଇଁ ଡିଜାଇନ ପ୍ରସ୍ତୁତ ହୋଇସାରିଛି । ଦଳର ସଭାପତି ତଥା  ମୁଖ୍ୟମନ୍ତ୍ରୀ ରାଜ୍ୟ ଅଫିସର ଶିଳାନ୍ୟାସ କରିପାରନ୍ତି ବୋଲି କୁହାଯାଉଛି । ସେପଟେ ବିଜେପି  ୟୁନିଟ-୩ରେ ସେହି ଜମିରେ  ୧୦ ମହଲା କୋଠା ନିର୍ମାଣ କରିବ ବୋଲି ସୂଚନା ମିଳିଛି ।