ସରକାରୀ ଘରକୁ ନେଇ ବିଜେଡି-ବିଜେପି କଳି । ବିଜେପିର ଅଭିଯୋଗ, କେନ୍ଦ୍ର ଅନୁଦାନରେ ନିର୍ମାଣ ହେଉଥିବା ବାସଗୃହକୁ ହାଇଜାକ କରି ନାଁ ନେଉଛି ବିଜେଡି ।

525

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଯୋଜନାକୁ ବିଜେଡି ନିଜ ନାଁରେ କରାଇ ନେଉଛି ବୋଲି ପୁଣି ଅଭିଯୋଗ ଆଣିଛି ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏନେଇ ଆପତି ଉଠାଇଛନ୍ତି । ସେମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହେଉଥିବା ଘରକୁ ରାଜ୍ୟ ସରକାର ବିଜୁ ପକ୍କାଘର ବୋଲି ପ୍ରଚାର କରୁଛନ୍ତି ।

ଲୋକସେବା ଭବନରେ ବିଜେପି ନେତା । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଜଣାଇଛନ୍ତି ଅଭିଯୋଗ । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ରାଜ୍ୟରେ ଗରୀବଙ୍କ ପାଇଁ ବାସଗୃହ ନିର୍ମାଣ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ବିଜୁ ପକ୍କାଘର ଯୋଜନାରେ ତିଆରି କରାଯାଇଥିବା ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି ।

ସୋମବାର ମଧ୍ୟ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏ ନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାଜ୍ୟରେ ଗରୀବ ଲୋକଙ୍କ ପାଇଁ ପ୍ରାୟ ୨୦ ଲକ୍ଷ ବାସଗୃହ ତିଆରି ହୋଇଥିବା ବେଳେ ରାଜ୍ୟ ସରକାର ମାତ୍ର ୩ଲକ୍ଷ ଘର ପାଇଁ ସହାୟତା ଦେଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ଦେଇଥିବା ଅନୁଦାନରେ ନିର୍ମିତ ୧୭ଲକ୍ଷ ଘରକୁ ମଧ୍ୟ ନିଜେ କରିଥିବା ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି ।

ସୂଚନା ଅନୁସାରେ ବିଜୁ ପକ୍କାଘର ଯୋଜନାରେ ପ୍ରାୟ ୪ଲକ୍ଷ ବାସଗୃହ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିବାର ଥିଲା । କିନ୍ତୁ ସୋମବାର ରାତିରେ ଶେଷ ମୂହୂର୍ତରେ ଏହାକୁ ବାତିଲ କରାଯାଇଛି ବୋଲି ଖବର ଆସିଲା ।ତେବେ ବିଜେପିର ଅଭିଯୋଗ କାରଣରୁ ଏହା ବାତିଲ ହେଲା ବୋଲି କୁହାଯାଉଥିଲେ ମଧ୍ୟ ଏ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।