କନକ ବ୍ୟୁରୋ : ନବଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ତେଜିଲା ରାଜନୀତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିଜେଡି ଟାର୍ଗେଟ କରିବା ସହ କହିଛନ୍ତି, ନବଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ମୋତେ ଡକା ଯାଇନାହିଁ । ଏହା ବିଜେଡ଼ିର ରାଜନୈତିକ ସଭା ମୋତେ କାହିଁକି ଡାକିବେ । ଡକା ଯାଇଥିଲେ ବି ମୁଁ ଯାଇନଥାନ୍ତି କାରଣ ଏହା ଶ୍ରଦ୍ଧାଞ୍ଜଳି ସଭା ନୁହେଁ । ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲେ ନିଶ୍ଚିତ ଭାବେ ଯାଇଥାନ୍ତି । ବିଜେଡ଼ି ସମାବେଶକୁ କାହିଁକି ଯିବି ବୋଲି କହିଲେ ଜୟ ନାରାୟଣ ।
ଜୟନାରାୟଣ କହିଛନ୍ତି, ଏହା ଶ୍ରଦ୍ଧାଞ୍ଜଳି ସଭା ନା ଡ୍ରାମା ଜାଣି ହେଉନି । ଜଣଙ୍କର ଦ୍ୱାଦଶାହରେ ରାଜନୈତିକ ଉଦ୍ଦେଶ୍ୟ ରଖି ସମାବେଶ କରିବା ଆଶ୍ଚର୍ୟ୍ୟ ଘଟଣା ଭଳି ଲାଗୁଛି । ଶ୍ରଦ୍ଧାଞ୍ଜଳୀ ସଭାରେ ତାଙ୍କ ନିର୍ବାଚନମଣ୍ଡଳୀ ଲୋକ ଏବଂ ସମସ୍ତେ ଯିବା କଥା । କିନ୍ତୁ ଦଳୀୟ ରାଜନୀତି ଏମିତି ବ୍ୟବହାର କରିଛନ୍ତି ଯେ ଅନ୍ୟ ଦଳ ଲୋକ କେହି ଆସିବେ ନାହିଁ ଏବଂ ରାଜନୈତିକ ସମାବେଶ କରିବେ । ଦ୍ୱାଦଶାହରେ ରାଜନୈତିକ ସମାବେଶ କରିବା ଉଚିତ ଲାଗୁନାହିଁ । ଏହା ସମ୍ପୁର୍ଣ୍ଣ ଭାବେ ଭୋଟ ରାଜନୀତି । ଦଶାହରେ ଶାରଦା ନାଏକ କହୁଛନ୍ତି ଆମେ ଭୋଟ ଜିତିବୁ ବୋଲି । ମଲା ଜାଗାରେ ରାଜନୀତି କରୁଛନ୍ତି । ଶବରେ ରାଜନୀତି କରୁଛନ୍ତି । ମଲା ଶବକୁ ଅସ୍ତ୍ରୋପଚାର କରୁଛନ୍ତି । ତାହେଲେ ଏମାନେ କିଭଳି ଲୋକ ଓଡିଶାବାସୀ ବିଚାର କରିବେ ।
ଅନ୍ୟପଟେ ଜୟନାରାୟଣଙ୍କ ଏଭଳି ବୟାନର ଜବାବ ରଖିଛନ୍ତି କଟକ ମେୟର ତଥା ବିଜେଡି ନେତା ସୁବାସ ସିଂ । ସୁବାସ କହିଛନ୍ତି, ରାଜନୀତି ଛଡା ଜୟନାରାୟଣଙ୍କୁ କିଛି ଦିଶୁନି । ଜଣଙ୍କ ମୃତ୍ୟୁରେ ଅପରିପକ୍ୱ ବୟାନ ରଖୁଛନ୍ତି ଜୟନାରାୟଣ । ସବୁ ଦଳରୁ ନେତା ଆସି ନବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏପରିକି ବିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ ଆସି ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ । ଜୟନାରାୟଣଙ୍କୁ ବି ଶ୍ରଦ୍ଧାଞ୍ଜଳି ସଭାରେ ନିମନ୍ତ୍ରଣ ଦିଆଯାଇଥିଲା । ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା । କିନ୍ତୁ ଏଭଳି ଆକ୍ଷେପ କରିବା ଠିକ୍ ହେଉନାହିଁ । ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ତଦନ୍ତ ହେଉଛି । ଏହା ଉପରେ ପ୍ରଶ୍ନ ଉଠାଇ ରାଜନୈତିକ ରୂପରେଖ ଦେବା ଠିକ୍ ନୁହେଁ । ନିଜେ ଜୟନାରାୟଣ ଅନେକ ସଙ୍ଗୀନ ମାମଲାରେ ସମ୍ପୃକ୍ତ , ତେଣୁ ଶ୍ରଦ୍ଧାଞ୍ଜଳି ସଭାକୁ ରାଜନୈତିକ ସଭା କହି ରାଜନୀତି ନ କରନ୍ତୁ ବୋଲି କହିଛନ୍ତି ସୁବାସ ସିଂ ।
Follow Us