କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ କେବଳ ଛାମୁଆ ନେତା ଓ କର୍ମୀ ନୁହଁନ୍ତି, ଏହି ପ୍ରଶ୍ନର ଉତର ପାଇଁ ଅପେକ୍ଷା କରିଛି ସାରା ରାଜ୍ୟ । କାରଣ ନୂଆ ସରକାରର ରୂପରେଖ କିପରି ହେବ, ସରକାର ଗଢ଼ିବ କିଏ, ତାହା ନିର୍ଣ୍ଣୟ କରିବେ ସାଢ଼େ ୩ କୋଟି ମତଦାତା । କିନ୍ତୁ, ଏପର୍ଯ୍ୟନ୍ତ ଓଡ଼ିଶା ରାଜନୀତିର ଆଧାର ସ୍ପଷ୍ଟ ହୋଇପାରୁନି, ତେଣୁ ସାରା ରାଜ୍ୟବାସୀ ଦ୍ୱନ୍ଦ୍ୱରେ ପଡିଛନ୍ତି । ଶୀର୍ଷ ନେତାଙ୍କ ମନ୍ତବ୍ୟକୁ ଆଧାର କରି କେତେବେଳେ ମେଂଟ ହେବ ବୋଲି ଆଶା ବଢୁଛି ତ କେତେବେଳେ ଉଭୟ ବିଜେଡି ଓ ବିଜେପିର ଦଳୀୟ କାର୍ଯ୍ୟକ୍ରମ ଦେଖି ଲାଗୁଛି ମେଂଟ ସମ୍ଭାବନା କ୍ଷୀଣ । ଦୁଇ ଦଳର ଶୀର୍ଷ ନେତା, ମେଂଟ ହେବ ବୋଲି ସ୍ପଷ୍ଟ ଭାବେ କହୁନାହାନ୍ତି କି ମେଂଟ ହେବ ନାହିଁ ବୋଲି ମଧ୍ୟ ମତ ଦେଉନାହାନ୍ତି । ମଙ୍ଗଳବାର ଦିନ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ମନ୍ତବ୍ୟ ଏବଂ ବୁଧବାର ଦିନ ବିଜେପିର ଚାଣକ୍ୟ ଅମିତ ଶାହାଙ୍କ ମନ୍ତବ୍ୟ, ମେଂଟ ଦ୍ୱନ୍ଦ୍ୱକୁ ହଟାଇବା ପରିବର୍ତେ ଆହୁରି ବଢାଇ ଦେଇଛି । ରାଜନୀତି ସମୀକ୍ଷକମାନେ ମଧ୍ୟ କହିଛନ୍ତି, ମେଂଟ ସମ୍ଭାବନା ଏବେ ବି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଅଟକି ରହିଛି ନିଷ୍ପତ୍ତି ।

ମେଣ୍ଟ ଗଣିତ
ଆସନ ବୁଝାମଣା, ଟିକେଟ ଭାଗବଂଟାରେ ଛିଡୁନି ଅଙ୍କ
କିଏ କେତେ ଆସନରେ ଲଢ଼ିବାକୁ ଚାହୁଁଛି ଜଣାଇ ଦିଆଯାଇଛି
ହେଲେ ଦୁଇ ଦଳ ମଧ୍ୟରେ ହୋଇପାରୁନି ସହମତି
ଦଳୀୟ ଅସନ୍ତୋଷ ବୃଦ୍ଧି ପାଇବା ସମ୍ଭାବନା ଥିବାରୁ ନିଷ୍ପତ୍ତି ନେବା ହେଉନି ସହଜ
ଯଦି ମେଂଟ ନହୁଏ, କିପରି ଲଢ଼େଇ ହେବ ଚାଲିଛି ବିଚାର ବିମର୍ଷ

ଏପଟେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇସାରିଛି । ଦଳୀୟ ଅସନ୍ତୋଷ ରୋକିବା ପାଇଁ ମେଂଟ ଘୋଷଣା ହୋଇନାହିଁ । ନେତା ଦଳ ଛାଡ଼ି ଅନ୍ୟ ଦଳକୁ କାଳେ ଚାଲିଯିବେ, ସେଥିପାଇଁ ବିଳମ୍ବ ହେଉଛି ଘୋଷଣା

ଗୋଟିଏ ପଟେ ବିଜେଡି-ବିଜେପି ମେଂଟ ପାଇଁ କସରତ ଚାଲିଛି, ତେବେ ଦଳୀୟ କର୍ମୀ ଓ ନେତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି ଶୀର୍ଷ ନେତା । ଏହାରି ଭିତରେ ମେଂଟ ନିଷ୍ପତି ଛନ୍ଦି ହୋଇ ରହିଥିବା କୁହାଯାଉଛି । ଅନ୍ୟପଟେ ପ୍ଲାନ-ବି କୁ ନେଇ ଆରମ୍ଭ ହୋଇଯାଇଛି କାର୍ଯ୍ୟକ୍ରମ । ଦଳୀୟ କାର୍ଯ୍ୟାଳୟ ମାରାଥନ ବୈଠକ କରି ଲୋକଙ୍କ ପାଖରେ ପହଁଚିବା ପାଇଁ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଉଛି ।