ବିଜେପି-ବିଜେଡି ମେଣ୍ଟ ନେଇ ଆଜି ଆସିପାରେ ସ୍ପଷ୍ଟ ଚିତ୍ର । ପୂର୍ବାହ୍ନରେ ମେଣ୍ଟ ନେଇ ହୋଇପାରେ ବଡ଼ ଘୋଷଣା

୨ ଦିନର ମାରାଥନ ବୈଠକ ପରେ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ରାଜ୍ୟ ବିଜେପି ନେତା

554

କନକ ବ୍ୟୁରୋ: ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଆଜି ଆସିପାରେ ସ୍ପଷ୍ଟ ଚିତ୍ର । ପୂର୍ବାହ୍ନରେ ରାଜ୍ୟ ବିଜେପି ନେତାଙ୍କ ସହ ଅମିତ ଶାହାଙ୍କ ବୈଠକ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ବିଜେପି ନେତୃତ୍ୱଙ୍କ ଘୋଷଣା ଉପରେ ରହିଛି ରହିଛି ସମସ୍ତଙ୍କ ନଜର । ଆସନ୍ତା ନିର୍ବାଚନରେ ଦଳ ଏକାକୀ ଲଢିବ ନା ବିଜେଡି ସହ ମେଣ୍ଟ କରି ମୈଦାନକୁ ଓହ୍ଲାଇବ ଏନେଇ ଚୂଡାନ୍ତ ନିଷ୍ପତି ନେବେ ଦଳର ଶୀର୍ଷ ନେତା ।

ଏହାପୂର୍ବରୁ ଗତ ଦୁଇ ଦିନ ହେବ ନୂଆଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ସରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ପ୍ରମୁଖ ନେତା ମାନେ ସାମିଲ ହୋଇଥିଲେ । ଏହି ବୈଠକରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯାଇଛି । ଆଜି ହିଁ କେନ୍ଦ୍ରୀୟ ନେତୃତ୍ୱ ମେଣ୍ଟ ନେଇ କିଛି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେପଟେ ମେଣ୍ଟ ଘୋଷଣା ଯେତିକି ବିଳମ୍ବ ହେଉଛି, ସେହି ପରିମାଣରେ ବଢ଼ିଚାଲିଛି ଆକଳନ ଓ ଅନୁମାନ । ଉଭୟ ବିଜେପି-ବିଜେଡିର ଶୀର୍ଷ ନେତୃତ୍ୱ ମେଣ୍ଟ ନେଇ ଏପର୍ଯ୍ୟନ୍ତ ପଦୁଟିଏ କହୁନାହାନ୍ତି । ସୋସିଆଲ୍ ମିଡିଆରେ ବିଭିନ୍ନ କଳ୍ପନାଜଳ୍ପନା ଜୋର ଧରିବାରେ ଲାଗିଛି । କେବଳ ଓଡ଼ିଶାରେ ନୁହେଁ ଜାତୀୟ ସ୍ତରରେ ବି ଏହି ଆଲୋଚନା ଚାଲିଛି । ଲୋକସଭା ପାଇଁ ୧୩ ଅନୁପାତ ୮ କିମ୍ବା ୧୪ ଅନୁପାତ ୭କୁ ନେଇ ଅଙ୍କକଷା ଚାଲିଥିବା କୁହାଯାଉଛି । ଅର୍ଥାତ ବିଜେପି ୧୩ କିମ୍ବା ୧୪ ଲୋକସଭା ଆସନରେ ଲଢ଼ିପାରେ, ଆଉ ବିଜେଡି ୭ କିମ୍ବା ୮ ଆସନରେ ପ୍ରାର୍ଥୀ ଦେଇପାରେ । ସେହିପରି ବିଧାନସଭାରେ ବିଜେପି ଭାଗରେ ୫୬ କିମ୍ବା ୪୯ ଆସନ ପଡିବାକୁ ଥିବା ବେଳେ ବିଜେଡି ୯୧ କିମ୍ବା ୯୮ ଆସନରେ ଲଢ଼ିପାରେ ବୋଲି ଚର୍ଚ୍ଚା ହେଉଛି ।