ପ୍ରାର୍ଥୀଙ୍କ ଅପରାଧୀ ଲିଙ୍କ ନେଇ ମୁହାଁମୁହିଁ ବିଜେଡି-ବିଜେପି ! ବିଜେଡି ଦେଲା ମାନହାନି ମକଦ୍ଦମାର ଚେତାବନୀ, କହିଲା ବିଜେପିକୁ ଘାରିଛି ପରାଜୟର ଭୟ ।

337

କନକ ବ୍ୟୁରୋ : ବିଜେପିକୁ କଡା ଚେତାବନୀ ଦେଲା ବିଜେଡି । ନିର୍ବାଚନ ପୂର୍ବରୁ ଜୋର ଧରିଛି ରାଜ୍ୟ ରାଜନୀତି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ବିଜେଡ଼ିକୁ ପ୍ରଶ୍ନ କରିବା ପୂର୍ବରୁ ବିଜେପି ସେମାନଙ୍କ ଦଳର ପ୍ରାର୍ଥୀମାନଙ୍କ ଅପରାଧିକ ଘଟଣାବଳୀ ସମ୍ପର୍କରେ ମୁହଁ ଖୋଲିବା ଦରକାର । ସେ କହିଛନ୍ତି, ନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ବିଚଳିତ ହୋଇପଡ଼ିଛି । ବିଭିନ୍ନ ପ୍ରସଙ୍ଗରେ ଡାହା ମିଛ, ଅମୂଳକ ମନ୍ତବ୍ୟ ଦେଉଥିବା ବିଜେପି ନେତାଙ୍କ ଏହା ହତାଶ ଭାବର ପ୍ରତିଫଳନ ବୋଲି ବିଜେଡି କହିଛି । ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରାର୍ଥୀମାନଙ୍କ ଚରିତ୍ର ସଂହାର କରାଯିବା ଉଦ୍ୟମକୁ ଦଳ ପକ୍ଷରୁ ଦୃଢ଼ ସମାଲୋଚନା କରାଯାଇଛି । ବିଜେପି ଏଭଳି ମିଛ କହି ଚାଲିଲେ ସେମାନଙ୍କ ବିରୋଧରେ ମାନହାନି ମକଦ୍ଦମାର ଆଶ୍ରୟ ନେବାକୁ ବିଜେଡ଼ି ବାଧ୍ୟ ହେବ ବୋଲି ଦଳର ମୁଖପାତ୍ର ସୁଲତା ଦେଓ ଚେତାବନୀ ଦେଇଛନ୍ତି ।

ଦଳ ପକ୍ଷରୁ ବିଜେପି ପ୍ରାର୍ଥୀଙ୍କ ଅପରାଧୀ ରେକର୍ଡ ସମ୍ପର୍କରେ ମଧ୍ୟ କୁହାଯାଇଛି । ବିଜେଡି କହିଛି, ବିଜେପିର ଭଟଲି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲ୍ ଯାଇଥିଲେ । ସୋରଡା ପ୍ରାର୍ଥୀ ନୀଳ ବିଶୋୟୀଙ୍କ ନାଁରେ ୨୮ଟି ଅପରାଧିକ ମାମଲା ଅଛି । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପରାଧିକ ଲିଙ୍କ୍ ଓଡ଼ିଶାବାସୀ ଜାଣିଛନ୍ତି । ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତ ବ୍ରଦର୍ସ, ଟିଟୋ ସହ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପକ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ବୋଲି ବିଜେଡି କହିଛି । ଏହା ସହ କୋଇଲା ଆବଣ୍ଟନରେ ତାଙ୍କର ଭୂମିକା ପୂର୍ବତନ କେନ୍ଦ୍ର କୋଇଲା ସଚିବ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି ବୋଲି ବିଜେଡି କହିଛି ।