ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ସାମ୍ବାଦିକ ଓ ସାଧାରଣ ଲୋକଙ୍କୁ ଆକ୍ରମଣ ନେଇ ଅଭିଯୋଗ ।

165

କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଖୋର୍ଦ୍ଧା ଜଙ୍କିଆଠାରେ ପ୍ରଶାନ୍ତ ଜଗଦେବ ଜଣେ ସାମ୍ବାଦିକଙ୍କ ସହ କିଛି ସାଧାରଣ ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେପି ରାଲିରେ ସାଂସଦ ଅପରାଜିତା ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଯୁବକ କିଛି ପ୍ରଶ୍ନ ପଚାରିବାରୁ ପ୍ରଶାନ୍ତ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେଡି । ଏବଂ ଅପରାଜିତାଙ୍କ ସମ୍ମୁଖରେ ସବୁ ଘଟଣା ଘଟିଥିବା ବେଳେ ସାମ୍ବାଦିକ କି ସାଧାରଣ ଲୋକ ପ୍ରଶ୍ନ କଲେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛି ବିଜେଡି । ଏହି ଘଟଣାରେ ପୁଲିସର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେଡି ।

ଅନ୍ୟପଟେ ମୋ ସ୍କୁଲର ସମୀକ୍ଷା ବିଜେଡି କର୍ମୀ କରିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ । ରାଜ୍ୟର ୯୩ ବ୍ଲକ୍ରେ ମୋ ସ୍କୁଲ୍ ଗୁଡିକର ସମୀକ୍ଷା କରିବା ପାଇଁ ୯୩ ଜଣ କର୍ମଚାରୀଙ୍କୁ ଏପ୍ରିଲ ୧୦ ତାରିଖରେ ଚିଠି କରିଥିଲେ ରାଜ୍ୟ ସରକାର । କିନ୍ତୁ ସମୀକ୍ଷା ପାଇଁ ବିଜେଡି କର୍ମୀଙ୍କୁ ଭଲ୍ୟୁଣ୍ଟିୟର ଭାବେ ନିୟୋଜିତ କରାଯାଇଛି ବୋଲି ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେପି । କେବଳ ସେତିକି ନୁହେଁ ସୁନ୍ଦରଗଡ ଏସଡିପିଓ ହିଂମାଶୁ ଶେଖର ବେହେରା ଏବଂ ଭସ୍ମା ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କ ବିରୁଦ୍ଧରେ ବିଜେଡି ପାଇଁ କାମ କରୁଥିବା ନେଇ ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ଏଭଳି କାର୍ଯ୍ୟକଳାପ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।