କନକ ବ୍ୟୁରୋ : ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭା ହୁଲୁସ୍ତୁଲୁ କରୁଛନ୍ତି । ଖାସକରି ଗୃହରେ ବିଜେପି ସଦସ୍ୟ ମାନେ ପ୍ରବଳ ହଟ୍ଟଗୋଳ କରୁଛନ୍ତି । ଯେଉଁଥିପାଇଁ ଦୀର୍ଘ ୬ ଦିନ ହେବ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରୁନି । ମମିତା ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବା ଦାବିରେ ଅଡି ବସିଛନ୍ତି ବିରୋଧୀ । କିନ୍ତୁ ବିଜେପିର ଏଭଳି ବିରୋଧକୁ ନେଇ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ପ୍ରେସମିଟ୍ କରି ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇଛି ବିଜେଡି । ମମିତା ପ୍ରସଙ୍ଗରେ ବିଜେପି କିଭଳି ଦୋମୁହାଁ ନୀତି ଆପଣାଇଛି ତାହାର ପ୍ରମାଣ ଦେଇଛି ବିଜେଡି । ଗୋଟିଏ ପଟେ ମମିତା ପ୍ରସଙ୍ଗରେ ବିଜେପି ବିଧାନସଭା ଚଲାଇ ଦେଉନଥିବା ବେଳେ ଅନ୍ୟପଟେ ମମିତା ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁଙ୍କୁ ବେଲ ଦେବାକୁ ବିଜେପି ନେତା ଉଦ୍ୟମ କରୁଥିବା କହିଛି ବିଜେଡି । ଆଉ ଏହାର ପ୍ରମାଣ ମଧ୍ୟ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ବିଜେଡି ।

Advertisment

ମମିତା ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ହେଉଛନ୍ତି ମୋହନ ଲାଲ ଶର୍ମା । ତେବେ ଏହି ମୋହନ ଲାଲ ହେଉଛନ୍ତି ବିଜେପିର ଜଣେ ସକ୍ରିୟ ନେତା । ବିଜେପିର ଅନେକ ବଡ ବଡ ନେତାଙ୍କ ସହ ମୋହନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ଟାଣୁଆ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଅନେକ କାର୍ଯ୍ୟକ୍ରମରେ ମୋହନଙ୍କୁ ଦେଖିବାକୁ ମିଳିଛି । ଏପରିକି ବିଜେପି ପୋଷ୍ଟରରେ ସେ ଶୁଭେଚ୍ଛା ବାର୍ତ୍ତା ଦେଉଥିବାର ଦେଖାଯାଇଛି । ୨୦୦୯ ଓ ୨୦୧୯ରେ କଣ୍ଟାବାଞ୍ଝିରୁ ବିଜେପି ପ୍ରାର୍ଥୀ ହେବା ଲାଗି ମଧ୍ୟ ଦୌଡରେ ଥିଲେ ମୋହନ । କିନ୍ତୁ ଏବେ ମମିତା ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କିଭଳି ଜାମିନ ମିଳିବ ସେ ବାବଦରେ ଉଦ୍ୟମ କରୁଛନ୍ତି ।

ଗୋଟିଏ ପଟେ ବିରୋଧୀ ବିଜେପି ମମିତା ପ୍ରସଙ୍ଗରେ ବିଧାନସଭା ଚଲାଇ ଦେଉନଥିବା ବେଳେ ଅନ୍ୟପଟେ ଦଳୀୟ ନେତା ଗୋବିନ୍ଦ ସାହୁଙ୍କୁ ଜାମିନ ଦେବାକୁ ଉଦ୍ୟମ କରିବା ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇଛି । ତେଣୁ ଏଭଳି ସ୍ଥିତିରେ ନୈତିକତାର ପାଠ ନ ପଢାଉ ବିଜେପି । ଏହି ପ୍ରସଙ୍ଗକୁ ନେଇ ବିଧାନସଭା ବନ୍ଦ କରିବାକୁ ରାଜ୍ୟବାସୀ ସହଜରେ ଗ୍ରହଣ କରିବେ ନାହିଁ । ମୋହନ ଲାଲ ଗୋବିନ୍ଦଙ୍କ ପାଇଁ ଲଢିବା ବିଜେପିର ଅସଲ ମୁଖାକୁ ପଦାରେ ପକାଇଛି । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ କରୁଥିବା ବିଜେପି ସେ ବାବଦରେ କୌଣସି ପ୍ରମାଣ ଦେଇପାରୁ ନାହିଁ। ଅଥଚ ଅଭିଯୁକ୍ତ ଗୋବିନ୍ଦକୁ ଫାଶୀଦଣ୍ଡରୁ ରକ୍ଷା କରିବାକୁ ପ୍ରମାଣ ଯୋଗାଡ଼ କରି ତଦନ୍ତକୁ ଦିଗହରା କରିବାକୁ ବିଜେପି ଅପଚେଷ୍ଟା କରୁଛି। ଆଉ ଏଥିପାଇଁ ବିଜେପି ନେତା ଗୋବିନ୍ଦଙ୍କ ପାଇଁ ଲଢିବା ଅନେକ ପ୍ରଶ୍ନବାଚୀ ଛିଡା କରୁଛି । ବିଜେପି ଗୋଟିଏ କଥା କହୁଛି, ଗୋଟିଏ କାମ କରୁଛି । ଯାହା ଏହିଥିରୁ ବେଶ ସ୍ପଷ୍ଟ ହୋଇଛି । ମୃତ ବ୍ୟକ୍ତିଙ୍କୁ ନେଇ ଶସ୍ତା ରାଜନୀତି କରୁଛି ବିଜେପି ।