ପେଟ୍ରୋଲ ଦରବୃଦ୍ଧି ଓ ମହଙ୍ଗା ମାଡକୁ ନେଇ ଆନ୍ଦୋଳନକୁ ଜୋରଦାର କଲା ବିଜେଡି । ୧୪୭ଟି ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ ।

79

କନକ ବ୍ୟୁରୋ : ପେଟ୍ରୋଲ ଦର ବୃଦ୍ଧି ଓ ମହଙ୍ଗା ମାଡକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଏନେଇ ଆଜି ସାରା ଓଡିଶାରେ ପ୍ରତିବାଦ କରିଛି ଦଳ । ରାସ୍ତା ଉପରେ କାଠ ଚୁଲି ଜାଳି ବିଜେଡି କର୍ମୀମାନେ ପ୍ରତିବାଦ ଜଣାଇଛନ୍ତି । ଆଜି ଅଣ-ସବସିଡି ଗ୍ୟାସ ସିଲିଣ୍ଡର ପ୍ରତି ୨୬୮ଟଙ୍କା ବୃଦ୍ଧି ପାଇଛି ।

ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ବିରୋଧରେ ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦ । ମମିତା ହତ୍ୟାକୁ ନେଇ ସାରା ରାଜ୍ୟ ଉଠୁଥିବା ପଡୁଥିବାବେଳେ ମହଙ୍ଗା ମାଡକୁ ନେଇ ଦଳର ନେତାମାନେ ରାଜରାସ୍ତାରେ ଗର୍ଜିଛନ୍ତି । ରାସ୍ତାରେ ଗ୍ୟାସ ରଖି ଚୁଲି ଜାଳି ବିଜେଡିର ନେତା ଓ କର୍ମୀ ତେଲଦର ଓ ମହଙ୍ଗା ମାଡର ପ୍ରତିବାଦ କରିବା ସହ ଦରବୃଦ୍ଧି ଲାଗି କେନ୍ଦ୍ର ବିରୋଧରେ ଗର୍ଜିଛନ୍ତି ।

ଭୁବନେଶ୍ୱର ଲୋକସେବା ଭବନ ପଛ ଗେଟ୍ ପେଟ୍ରୋଲ ପମ୍ପ ନିକଟରୁ ବିଜେଡି ମହିଳା ମୋର୍ଚ୍ଚାର ଏକ ଶୋଭାଯାତ୍ରା ବାହାରିଥିଲା । ଶହ ଶହ କର୍ମୀ ଶୋଭାଯାତ୍ରାରେ ଯାଇ ଏଡିଏମ୍ ଅଫିସ ଆଗରେ ଗଣଧାରଣା ଦେଇଥିଲେ । ସେହିଭଳି ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଏଭଳି ପ୍ରତିବାଦ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି । ତେଲଦର ସହ ଏଲପିଜି ଦର ବଢିବା ସାଧାରଣ ଲୋକଙ୍କୁ ବାଧିଛି ବୋଲି କହିଛି ବିଜେଡି ।

ଆଗକୁ ପଞ୍ଚାୟତ ନିର୍ବାଚନ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ ଭୋଟରଙ୍କ ନିକଟତର ହେବାକୁ ବଳ କଷାକଷି ଆରମ୍ଭ କରିଛନ୍ତି ଶାସକ ଓ ବିରୋଧି । ଉଭୟ ଶିବିରର ଆନ୍ଦୋଳନ ରାଜ୍ୟ ରାଜନୀତିକୁ ସରଗରମ କରିଛି ।