କନକ ବ୍ୟୁରୋ: ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିର୍ବାଚନ ଜିତିଥିବା ବେଳେ ବିଜେପି ଟିକେଟରେ ସୁନ୍ଦରଗଡ଼ ବିଧାନସଭା ଆସନରୁ କୁସୁମ ଟେଟେ, ତଳସରାରୁ ଭବାନୀ ଶଙ୍କର ଭୋଇ, ବୀରମିତ୍ରପୁରରୁ ଶଙ୍କର ଓରାମ ବିଜୟୀ ହୋଇଛନ୍ତି। ରାଜଗାଙ୍ଗପୁର ଆସନରେ କଂଗ୍ରେସର ସିଏସ୍ ରାଜନ ଏକ୍କା ଓ ବଣାଇଁରେ ସିପିଏମର ଲକ୍ଷ୍ମଣ ମୁଣ୍ଡା ସଫଳ ହୋଇଛନ୍ତି। ବିଜୁ ଜନତା ଦଳ ଟିକେଟରେ ରାଉକେଲାରୁ ସାରଦା ନାୟକ ଓ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀରୁ ସୁବ୍ରତ ତରାଇ ଏଥର ନିର୍ବାଚିତ ହୋଇଛନ୍ତି। ଏ ତାଲିକାକୁ ଦେଖିଲେ ସ୍ପଷ୍ଟ ହୋଇ ଯାଉଛି ଯେ ରାଜ୍ୟର ନିର୍ବାଚନ ଫଳାଫଳ ତୁଳନାରେ ସୁନ୍ଦରଗଡ଼ ଜିଲ୍ଲାରେ ଶାସକ ବିଜୁ ଜନତା ଦଳର ଏହି ପ୍ରଦର୍ଶନ ସନ୍ତୋଷଜନକ ନୁହେଁ। ଜିଲ୍ଲାର ୭ଟି ବିଧାନସଭା ଆସନରୁ ଦଳ ମାତ୍ର ୨ଟି ଆସନେର ବିଜୟୀ ହୋଇଥିବା ବେଳେ ୫ଟି ଆସନରେ ପରାଜିତ ହୋଇଛି। ଲୋକସଭା ଆସନରେ ମଧ୍ୟ ଦଳର ପ୍ରାର୍ଥିନୀ ବହୁ ଭୋଟ ବ୍ୟବଧାନରେ ପଛରେ ରହିଛନ୍ତି। ସମଗ୍ର ରାଜ୍ୟରେ ବିଜେଡି ହାୱା ବହୁଥିବା ବେଳେ ଦଳର ଏଭଳି ପ୍ରଦର୍ଶନ ଉଭୟ ଦଳୀୟ କର୍ମୀ, ସମର୍ଥକଙ୍କ ପାଇଁ ଚିନ୍ତାର ବିଷୟ। ବିଧାନସଭା ନିର୍ବାଚନରେ ଦଳର ବାରମ୍ବାର ବିଫଳତା ପାଇଁ କିଏ ଦାୟୀ, ରାଜ୍ୟ ନା ଜିଲ୍ଲାର ନେତାମାନେ? ଦଳୀୟ ଗୋଷ୍ଠୀକନ୍ଦଳ ନା ସାଂଗଠନିକ ଦୁର୍ବଳତା? ଉପଯୁକ୍ତ ପ୍ରାର୍ଥୀ ଚୟନ ନ ହେବା ନା ପ୍ରଚାରରେ ରାଜ୍ୟ ନେତୃତ୍ବର ଅସହଯୋଗ? ଏଭଳି ଅନେକ ପ୍ରଶ୍ନ ଏବେ ବିଜେଡି ମହଲରେ।
୨୦୧୯ ସୁନ୍ଦରଗଡ଼ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ସୁନିତା ବିଶ୍ବାଳ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଠାରୁ ୨ ଲକ୍ଷ ୨୩ ହଜାର ୦୬୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ୨୦୧୪ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ଠାରୁ ଦିଲୀପ ତିର୍କୀ ୧୮୮୨୯ ଖଣ୍ଡ କମ୍ ଭୋଟ ପାଇଥିଲେ। ୨୦୦୯ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀ ଏଠାରେ ତୃତୀୟ ସ୍ଥାନରେ ରହିଥିଲା। ରାଜ୍ୟରେ ବିଜୁ ଜନତା ଦଳ ୫ ଥର ପାଇଁ ଶାସନ କରିବାକୁ ଯାଉଥିବା ବେଳେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜୁ ଜନତା ଦଳ ଥରେ ବି ବିଜୟୀ ହୋଇନାହିଁ। ଚଳିତ ନିର୍ବାଚନରେ ତ୍ରୁଟିପୂର୍ଣ୍ଣ ପ୍ରାର୍ଥୀ ଚୟନ ଦଳ ପରାଜିତ ହେବା ପ୍ରମୁଖ କାରଣ ବୋଲି କୁହାଯାଉଛି। କୌଣସି ଦୃଷ୍ଟିରୁ ଲୋକପ୍ରିୟ ନଥିବା କଂଗ୍ରେସ ଦଳର ଜଣେ ନବାଗତ ପ୍ରାର୍ଥିନୀଙ୍କୁ ଆଣି ସୁନ୍ଦରଗଡ଼ ଭଳି ଲୋକସଭା ଆସନରେ ପ୍ରାର୍ଥୀ କରାଯିବା ଘଟଣାକୁ ଆରମ୍ଭରୁ ସବୁ ଅଞ୍ଚଳରେ ବିଜେଡି ନେତାମାନେ ବିରୋଧ କରିଥିଲେ। ତାଙ୍କୁ ପ୍ରାର୍ଥୀ କଲେ ଦଳ ଲୋକସଭା ସହ ବିଭିନ୍ନ ବିଧାନସଭାରେ ମଧ୍ୟ ଖରାପ ପ୍ରଦର୍ଶନ କରିବ ବୋଲି ଜିଲ୍ଲା ବିଜେଡି ସଭାପତି ତଥା ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ମଙ୍ଗଳା କିସାନ ଆଗୁଆ ଦଳର ରାଜ୍ୟ ନେତୃତ୍ବ ଓ ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦଙ୍କୁ ମଧ୍ୟ ଆଗୁଆ ଜଣାଇ ଦେଇଥିଲେ। କିନ୍ତୁ ଦଳୀୟ ନିଷ୍ପତ୍ତି ବଦଳି ନଥିଲା।
ଗତ ୨୦୧୪ ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳ ରାଜଗାଙ୍ଗପୁର ଓ ରଘୁନାଥପାଲି ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଅନ୍ୟ ସବୁ ଆସନରେ ପରାଜିତ ହୋଇଥିଲା। ସେତେବେଳେ କଂଗ୍ରେସ ୨ଟି, ସିପିଏମ୍ ୧, ବିଜେପି ୧ ଓ ବୀରମିତ୍ରପୁରରୁ ଜର୍ଜ ତିର୍କୀ ନିର୍ବାଚିତ ହୋଇଥିଲେ। ୨୦୦୯ ନିର୍ବାଚନରେ ମଧ୍ୟ ରଘୁନାଥପାଲି ଓ ରାଉରକେଲା ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ ଅନ୍ୟ ସବୁ ଆସନରେ ପରାଜିତ ହୋଇଥିଲା। ରାଜ୍ୟରେ ଗତ ଦୁଇଟି ନିର୍ବାଚନରେ ବିଜେଡି ହାୱା ବହୁଥିବା ବେଳେ ସୁନ୍ଦରଗଡ଼ରେ ଦଳର ବିଫଳତା ଏଥର ମଧ୍ୟ ରାଜ୍ୟ ନେତୃତ୍ବକୁ ନିରାଶ କରିବା ସ୍ବାଭାବିକ। କିନ୍ତୁ ଏହି ବିଫଳତା ପାଇଁ କିଏ ଦାୟୀ ସେ ସମ୍ପର୍କରେ ରାଜ୍ୟ ନେତୃତ୍ବ ତର୍ଜମା କରିବା ଉଚିତ ବୋଲି ବିଜେଡି କର୍ମୀ ମହଲରେ ମତ ପ୍ରକାଶ ପାଉଛି।