ତଦନ୍ତ ରିପୋର୍ଟ ପରେ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ମୁଖ୍ୟମନ୍ତ୍ରୀ : ଦଳୀୟ ମହଲରେ ଜୋର ଧରିଲା ଚର୍ଚ୍ଚା

144

କନକ ବ୍ୟୁରୋ :  ଦଳୀୟ କର୍ମୀଙ୍କ ବିନା ପରାମର୍ଶରେ ସାଂସଦ ବୈଜୟନ୍ତ ପଣ୍ଡା ମନମୁଖୀ କାମ ଚଳାଇଛନ୍ତି ବୋଲି ଯେଉଁ ଅଭିଯୋଗ ହୋଇଛି ତାର ତଦନ୍ତ କରିବେ ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିଶେଷ କରି ମହାକାଳପଡାରୁ ଆସି ସାଂସଦଙ୍କ ବିରୋଧରେ ଫେରାଦ ହୋଇଥିବା କର୍ମୀଙ୍କ ସହ ସେ ଆଲୋଚନା କରିବେ । କାରଣ କେନ୍ଦ୍ରାପଡା ଜିଲ୍ଲା ପାଇଁ ତାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଓ ସାଲେପୁରରୁ ଆସିଥିବା ଅଭିଯୋଗର ତଦନ୍ତ କରିବେ ଆଉଜଣେ ବରିଷ୍ଠ ନେତ୍ରୀ ଉଷା ଦେବୀ ।

ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ବଢୁଥିବା ଦୂରତା ସାଂଘାତିକ ମୋଡ ନେଇଥିଲା ଯେତେବେଳେ ନିଶ୍ଚିନ୍ତ କୋଇଲିରେ ଏକ ପାଣିଟାଙ୍କି ଉଦଘାଟନ ବେଳେ ତୃତୀୟ ମହଲାକୁ ଟାର୍ଗେଟ କଲେ ସାଂସଦ । ହେଲେ ତୃତୀୟ ମହଲାକୁ ଟାର୍ଗେଟ ହଜମ ହୋଇନଥିଲା ବିଜେଡି ସୁପ୍ରିମୋଙ୍କର । ଆଉ ସିଧାସିଧା କହିଦେଇଥିଲେ ପ୍ରସଙ୍ଗ ନଥିଲେ ଅଯଥାରେ ତୃତୀୟ ମହଲାକୁ ଏଭଳି ଟାର୍ଗେଟ କରାଯାଉଛି ।

ଲଗାତର ଚାରିିଦିନ ହେଲାଣି କଟକ ଓ କେନ୍ଦ୍ରାପଡାରୁ ତୃଣମୂଳସ୍ତରର ନେତା ଓ କର୍ମୀ ଆସି ବୈଜୟନ୍ତଙ୍କ ବିରୋଧରେ ନବୀନଙ୍କୁ ଭେଟି ଫେରାଦ ହେଉଛନ୍ତି । ଦଳୀୟ କର୍ମୀଙ୍କୁ ଅବହେଳା କରି ସାଂସଦ ମନମୁଖୀ କାମ କରୁଥିବା ସାଂଘାତିକ ଅଭିଯୋଗ କରୁଛନ୍ତି । ଯାହା କାର୍ଯ୍ୟାନୁଷ୍ଠାନ ନେବା ଲାଗି ନବୀନଙ୍କ ଉପରେ ଚାପ ବଢାଉଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।