ବିଜେଡିର ଅଛିଣ୍ଡା ୧୨! କିଏ ହେବେ ପ୍ରାର୍ଥୀ? ଆଶାୟୀଙ୍କ ମନରେ ଛନକା !

654

କନକ ବ୍ୟୁରୋ: ଛିଣ୍ଡୁନି ବିଜେଡିର ୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା । କିଏ ହେବେ ପ୍ରାର୍ଥୀ ତାକୁ ନେଇ ଅଙ୍କକଷା ଚାଲିଥିବାବେଳେ ଟିକେଟ ଆଶାୟୀଙ୍କ ମନରେ ବି ଛନକା ପଶିଛି । ଏବେ ବି ଆଶା ଓ ଆଶଙ୍କାରେ ଅଛନ୍ତି କାକଟପୁରରୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଭୋଗରାଇରେ ବି ଝୁଲି ରହିଛି ବରିଷ୍ଠ ବିଧାୟକ ଅନନ୍ତ ଦାସଙ୍କ ଭାଗ୍ୟ । ନିକଟରେ ଅନନ୍ତ ଦାସ ନବୀନ ନିବାସ ଆସି ନିଜ ପୁଅ ପାଇଁ ଲବି କରିଥିଲେ ।

୬ଟି ପର୍ଯ୍ୟାୟରେ ବିଜେଡି ୧୩୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି । ହେଲେ ଏବେ ବି ୧୨ଟି ଆସନରେ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଅଙ୍କକଷା ଜାରି ରହିଛି । ପ୍ରାର୍ଥୀ ଘୋଷଣା ହୋଇନଥିବା ୧୨ଟି ଆସନରେ ରହିଛି-

ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ରଘୁନାଥପାଲୀ, ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ ଲୋକସଭାର ଖଣ୍ଡପଡ଼ା, ଭୁବନେଶ୍ୱର ଲୋକସଭାର ବେଗୁନିଆ, ଖୋର୍ଦ୍ଧାରେ ଦଳର ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି ତୃତୀୟ ପର୍ଯ୍ୟାୟରେ ଢେଙ୍କାନାଳ ଲୋକସଭାର ହିନ୍ଦୋଳ, ଶେଷ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ଜଗତସିଂହପୁର ଲୋକସଭାର ବାଲିକୁଦା-ଏରସମା, କାକଟପୁର, ଯାଜପୁରର କୋରେଇ, ବରୀ, ବାଲେଶ୍ୱରର ଭୋଗରାଇ, ନୀଳଗିରି, ମୟୂରଭଂଜର ବାଙ୍ଗିରିପୋଷି ବିଧାନସଭା ପାଇଁ ଟିକେଟ୍ ଘୋଷଣା ବାକି ରହିଛି ।

ଘୋଷଣା ହେବାକୁ ଥିବା ଏହି ୧୨ଟି ଆସନରେ ଏମିତି କିଛି ଚେହେରା ଅଛନ୍ତି, ଯାହାକୁ ନେଇ ଚର୍ଚ୍ଚା ବଢୁଛି ।ଯେଉଁଥିରେ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ବାକି ରହିଛି । କାଟକପୁରର ଆସନରୁ ନିର୍ବାଚିତ ହୋଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୋଗରାଇ ଆସନରୁ ନିର୍ବାଚିତ ହୋଇଥିବା ବରିଷ୍ଠ ବିଧାୟକ ଅନନ୍ତ ଦାସ, କୋରେଇ ବିଧାୟକ ଅଶୋକ ବଳ, ବରୀ ବିଧାୟକ ସୁନନ୍ଦା ଦାସଙ୍କ ଭଳି ଚେହେରା ଏବେ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି । ସେହିପରି ଗତ ନିର୍ବାଚନରେ ଢ଼େଙ୍କାନାଳ ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିବା ମହେଶ ସାହୁଙ୍କୁ ହିନ୍ଦୋଳ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପଟେ କୋରେଇ ଆସନରେ ପୀତିରଂଜନ ଘଡ଼େଇଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଝିଲିକ ମଧ୍ୟ ଦାବିଦାର ଥିବା କୁହାଯାଉଛି ।

ପୂର୍ବରୁ ୬ଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଆଉ ପ୍ରତିଟି ପର୍ଯ୍ୟାୟରେ ନୂଆ ନୂଆ ସମୀକରଣ ନେଇ ତାଲିକା ସାମ୍ନାକୁ ଆସିଛି । କେତେବେଳେ ବଡ଼ ବଡ଼ ଚେହେରା ବାଦ୍ ପଡ଼ିଛନ୍ତି, ତ ଆଉ କେତେବେଳେ ମହିଳା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ମିଳିଛି । ତେବେ ଦେଖିବାର କଥା ପରବର୍ତୀ ତାଲିକାରେ କ’ଣ ସରପ୍ରାଇଜ୍ ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।