ଫୋକସରେ ମହିଳା ଭୋଟର । ଶାହାଙ୍କ ମନ୍ତ୍ର ବନାମ ନିର୍ବାଚନ ମଣ୍ଡଳୀରେ ବିଜେଡିର ସମାବେଶ । ଟକ୍କର ଜୋର ।

51

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ନୂଆ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରମୂଖ ରାଜନୈତିକ ଦଳ । ବିଜେପି ହେଉ ଅବା ବିଜେଡ଼ି ଓ କଂଗ୍ରେସ । ସମସ୍ତଙ୍କ ଫୋକସରେ ଏବେ ମହିଳା ଭୋଟର । ଯେଉଁଥି ପାଇଁ ବିଜେପି ଓ ବିଜେଡ଼ିର ଆଜିଠାରୁ ମହିଳା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ସେହି ମର୍ମରେ ବିଜେପି ମହିଳା ମୋର୍ଚ୍ଚାର ୩ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯାଉଛି । ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଜପେି ମହିଳା କର୍ମୀଙ୍କୁ ମହିଳା ଭୋଟରଙ୍କୁ ହାତେଇବା ପାଇଁ ମନ୍ତ୍ର ଦେବେ ।

ରାଜ୍ୟରେ ବିଜେଡ଼ି ସରକାର ମା’ ଉଣୀମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଦେବାରେ ସଂପୂର୍ଣ୍ଣଭାବେ ଫେଲ୍ ମୁଦ୍ଦା କରି ଗାଁ ଗାଁ ବୁଲିବେ ବିଜେପି ମହିଳା କର୍ମୀ । ଏହାସହ ରାଜ୍ୟର ମହିଳା ମାନଙ୍କୁ ଅନ୍ୟ କେଉଁ ସବୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ହେବ ସେନେଇ ପୁରୀରୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେପି ମହିଳା ମୋର୍ଚ୍ଚା । କେବଳ ରାଜ୍ୟ ନୁହେଁ ବରଂ ଦେଶର ବିଭିନ୍ନ ପ୍ରାନ୍ତରେ ବିଜେପି ମହିଳା ଭୋଟର ମାନଙ୍କୁ ମନେଇବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି ବିଜେପି । ଓଡିଶା ସହ ଦେଶର ସବୁ ରାଜ୍ୟର ବୁଥ୍ ମଜବୁତ୍ ହେବ । ଆଗାମୀ ନିର୍ବାଚନ ଲାଗି ଦେଶର ପ୍ରତି ବୁଥରେ ବିଜେପି ମହିଳା ମୋର୍ଚ୍ଚାର କାର‌୍ୟ୍ୟକର୍ତାମାନେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ବେଟି ବଚାଓ ବେଟି ପଢାଓ, ମୁଦ୍ରା , ସ୍ୱଚ୍ଛ ଭାରତ, ସୁକନ୍ୟା ସମୃଦ୍ଧି , ଉଜ୍ଜଳା ଯୋଜନା ଆଦି ଭଳି ପ୍ରସଙ୍ଗର ସଫଳତା ବାର୍ତ୍ତା ବାଣ୍ଟିବା ବେଳେ ଅନ୍ୟପଟେ ରାଜ୍ୟରେ ମହିଳାଙ୍କ ପ୍ରତି ସରକାରଙ୍କ ବିଫଳତାକୁ ଅବଗତ କରାଇବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ।

ସେପଟେ ଶାସକ ଦଳ ବିଜେଡ଼ି ମଧ୍ୟ ତାଙ୍କ ସରକାରଙ୍କ ସଫଳତାର ବାର୍ତ୍ତା ଘରେ ଘରେ ପହଁଚାଇବାକୁ ଅଣ୍ଟା ଭିଡ଼ିଛି । ତେଣୁ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳିରେ ଆଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ମହିଳା ସମାବେଶ କରିବ ବିଜେଡ଼ି । ଯେଉଁଥିରେ ରାଜ୍ୟର ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ପ୍ରୋତ୍ସାହିତ କରିବା, ମହିଳାଙ୍କ ରାଜନୈତିକ ଏବଂ ସମାଜିକ କ୍ଷେତ୍ରରେ ସଶକ୍ତିକରଣ କରାଇବା, ତୃଣମୂଳ ସ୍ତରରେ ମହିଳାମାନଙ୍କୁ ସଂଗଠିତ କରିବା ଏବଂ ମହାନଦୀ ପୋଲାଭରମ ଭଳି ଓଡ଼ିଶାର ସ୍ୱାର୍ଥ ଓ ମ୍ବାଭିମାନ ଭଳି ପ୍ରସଙ୍ଗକୁ ଘରେ ଘରେ ପହଁଚାଇବ ବିଜେଡି । ଏକ ପ୍ରକାର ବିଜେପିର ମହିଳା ଭୋଟର ହାତେଇବା ରଣନୀତିକୁ କଡ଼ା ଟକ୍କର ଦେବା ପାଇଁ ପୂରା ପ୍ରସ୍ତୁତି କରିଛି ବିଜେଡ଼ି । ତେବେ ଏହାରି ମଧ୍ୟରେ ସବୁଠାରୁ ବଡ଼ କଥା ହେଲା ରାଜ୍ୟର ମହିଳାମାନେ ପ୍ରକୃତରେ କାହାର ହେବେ ତାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।