ମହାନଦୀକୁ ଡେଇଁପଡିଲେ ବିଜେବି କଲେଜ ଅଧ୍ୟାପକ : ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛି ଓଡ୍ରାଫ ଟିମ୍

Advertisment
ମହାନଦୀକୁ ଡେଇଁପଡିଲେ ବିଜେବି କଲେଜ ଅଧ୍ୟାପକ : ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛି ଓଡ୍ରାଫ ଟିମ୍

କନକ ବ୍ୟୁରୋ : ଅଧ୍ୟାପକଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ମହାନଦୀକୁ ଡ଼େଇଁପଡ଼ିଲେ ଅଧ୍ୟାପକ । ଜଗତପୁର ବ୍ରିଜରୁ ମହାନଦୀକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବିଜେବି କଲେଜ ଅଧ୍ୟାପକ । ବ୍ରିଜ ଉପରେ କାର ରଖି ଡ଼େଇଁପଡ଼ିଛନ୍ତି ଅଧ୍ୟାପକ ଦେବାଶିଷ ଦାସ । ତେବେ କେଉଁ କାରଣରୁ ଅଧ୍ୟାପକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହାର କାରଣ ଜଣାପଡ଼ିନାହିଁ । ଅଧ୍ୟାପକଙ୍କୁ ଉଦ୍ଧାର କାମ ଜାରି ରହିଛି । ପୁଲିସ ପକ୍ଷରୁ ଅଗ୍ନିଶମବାହିନୀ ଓ ଓଡ୍ରାଫ୍‌ ଟିମ୍‌ ସହାୟତାରେ ତାଙ୍କୁ ଖୋଜା ଜାରି ରହିଛି । ଡକ୍ଟର ଦାସଙ୍କ ପୁଅ ଆର୍ୟ୍ୟାନ୍‌ ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟର୍‌ରେ ଭାଗନେଇ ଫାଇନାଲିଷ୍ଟ୍‌କୁ ଯାଇଥିଲେ ।

ମହାନଦୀବିହାରରେ ରହୁଥିବା ଜଗତସିଂହପୁର ଜିଲ୍ଲାର ଡ. ଦେବାଶିଷ ବିଜେବି କଲେଜରେ ଲାବ୍‌ ଟେକନିସିଆନ୍‌ ଭାବେ କାର୍ଯ୍ୟରତ ଥିବା ବେଳେ ଦୀର୍ଘବର୍ଷ ହେଲା ଘରୋଇ ଭାବେ ମଧ୍ୟ ଛାତ୍ରଛାତ୍ରୀଙ୍କୁ କେମେଷ୍ଟ୍ରି ପଢ଼ାଉଥିଲେ। ଟାଙ୍ଗୀଠାରେ ତାଙ୍କର ଏକ କୋଚିଂ ସେଣ୍ଟର୍‌ ମଧ୍ୟ ଅଛି। ସେଠାରେ ସେ ନିୟମିତ ଶିକ୍ଷାଦାନ କରୁଥିଲେ । ରବିବାର ସକାଳ ୮ଟା ବେଳେ ସେ ଶିଖରପୁରରୁ ଟାଙ୍ଗୀକୁ କାର୍‌ରେ ଯାଉଥିବା ବେଳେ ପରିସ୍ରା କରିବା ପାଇଁ ମହାନଦୀ ପୋଲ ମଝିରେ କାର୍‌ ଅଟକାଇବାକୁ ଡ୍ରାଇଭର୍‌ଙ୍କୁ କହିଥିଲେ । ତେବେ, ପୋଲ ମଝିରେ ପରିସ୍ରା କରି ହେବନାହିଁ ବୋଲି ଡ୍ରାଇଭର୍‌ କହିବାରୁ ସେ ତାଙ୍କୁ ବାଧ୍ୟକରି କାର୍‌ ଅଟକାଇଥିଲେ। ଡ୍ରାଇଭର୍‌ କାର୍‌ ଅଟକାଇବା କ୍ଷଣି ସେ କାର୍‌ରୁ ବାହାରି ପୋଲ ବାଡ଼ରୁ ନଦୀକୁ ଡେଇଁ ଭାସି ଯାଇଥିଲେ। ଡ୍ରାଇଭର୍‌ ଏଭଳି ଘଟଣା ଦେଖି ଅବାକ୍‌ ହୋଇଯାଇଥିଲେ ।

ତାଙ୍କ ନିକଟରୁ ପ୍ରଥମେ ଚାଉଳିଆଗଞ୍ଜ ଥାନା ଓ ପରେ ଜଗତପୁର ଥାନା ପୁଲିସ ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ସାହାଯ୍ୟରେ ଖୋଜାଖୋଜି ଜାରି ରହିଥିଲେ ବି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତା‌ଙ୍କ ପତ୍ତା ମିଳି ପାରିନି ବୋଲି ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେବାଶିଷ ଗତ ଏପ୍ରିଲ ମାସରେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବାପରେ ଅଧିକାଂଶ ସମୟରେ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe