ତାଲିବାନୀଙ୍କ ସୁପର ମାର୍କେଟ, ବିକ୍ରି ହେଉଛି ଆମେରିକା ସେନାର ବନ୍ଧୁକ । 

247

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଦେଶର ସ୍ଥିତି ପୂରା ବଦଳିଯାଇଛି । ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଅଧିକାଂଶ ଆଫଗାନବାସୀ । ଖାସକରି ଯେଉଁମାନେ ଆମେରିକା ସେନା ସହ କାର୍ଯ୍ୟ କରି ଆସୁଥିଲେ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଚାରିଆଡେ ତାଲିବାନୀ ଯୁବକ ମାନେ ହାତରେ ବନ୍ଧୁକ ଧରି ବୁଲୁଛନ୍ତି । ରାସ୍ତାଘାଟ, ଦୋକାନ ବଜାରରେ ତାଲିବାନୀ ଯୁବକଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି । ଏପରିିକ ତାଲିବାନ ଆଫଗାନିସ୍ତାନକୁ କବଜା କରିନେବା ପରେ ଏଠାକାର ଦୋକାନ ବଜାରର ସ୍ଥିତି ମଧ୍ୟ ବଦଳିଯାଇଛି । ଦୋକାନ ବଜାରରେ ଆମେରିକା ସେନାର ପୋଷାକ ସହ ଅନେକ ମାରଣାସ୍ତ୍ର ମିଳୁଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶଙ୍କ ନାମରେ ଖୋଲିଥିବା ବଜାରରେ ଆମେରିକା ସେନା ବ୍ୟବହାର କରୁଥିବା ନାଇଟ ଭିଜନ ଚଷମା ସହ ବିଭିନ୍ନ ମାରଣାସ୍ତ୍ର ମିଳୁଛି । ଯାହାକୁ ଆମେରିକା ସେନା ଉପହାର ଆକାରରେ ଆଫଗାନିସ୍ତାନକୁ ଦେଇଥିଲା ।

ଆଫଗାନିସ୍ତାନ ସେନାକୁ ଆମେରିକା ୧୬ ହଜାର ଯୋଡା ନାଇଟ ଭିଜନ ଚଷମା ସହ ୫ ଲକ୍ଷ ବନ୍ଧୁକ ଦେଇଥିଲା । ଯାହାକୁ ତାଲିବାନ ଏବେ କବଜା କରିଛି । ତେବେ ତାଲିବାନୀ ଯୁବକଙ୍କ ବାରମ୍ବାର ଆଗମନ ଫଳରେ ଦୋକାନୀ ମାନେ ମଧ୍ୟ ବେଶ ଭୟଭୀତ ଅଛନ୍ତି । ପୂର୍ବରୁ ଏହି ବଜାରକୁ ଆମେରିକା-ଆଫଗାନିସ୍ତାନର ସେନା ଆସୁଥିଲେ, ଏବେ ତାଲିବାନୀ ଯୁବକ ଆସୁଛନ୍ତି ।  ସେହିଭଳି ବଜାରକୁ ପ୍ରବେଶ କରିବା ମାତ୍ରେ ତାଲିବାନୀ ଯୁବକ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରୁଛନ୍ତି । ଖାସକରି ଯେଉଁ ସାମଗ୍ରୀ ତାଲିବାନୀ ଯୁବକଙ୍କୁ ପସନ୍ଦ ଆସୁନାହିଁ ସେ ସବୁ ସାମଗ୍ରୀକୁ ଭାଙ୍ଗିବାକୁ ଟିକିଏ ବି କୁଣ୍ଠାବୋଧ କରୁନାହାନ୍ତି । ଆଉ ଏହା ଭିତରେ ସଙ୍ଗୀତ ବାଦ୍ୟଯନ୍ତ୍ର ମଧ୍ୟ ରହିଛି । ତାଲିବାନୀଙ୍କ ଅନୁଯାୟୀ, ସଙ୍ଗୀତ ହେଉଛି ଇସଲାମ ଧର୍ମ ବିରୋଧୀ ।

୨୦୦୧ରେ ଆମେରିକା ସେନା ଆଫଗାନିସ୍ତାନକୁ ଆସିଥିଲା । ରାଷ୍ଟ୍ରପତି ଜର୍ଜ ବୁଶ ଆଫଗାନିସ୍ତାନକୁ ଆମେରିକା ସେନା ପଠାଇଥିଲେ । ଆଉ ବୁଶଙ୍କ ନାଁରେ ଏଠାରେ ଏକ ବଜାର ମଧ୍ୟ ଖୋଲିଥିଲା । ଯେଉଁଠି ସେନାର ପୋଷାକ ଠାରୁ ଆରମ୍ଭ କରି ଜୋତା ମିଳୁଥିଲା । କିନ୍ତୁ ଏବେ ତାଲିବାନୀ ମାନେ ଏହି ବଜାରର ନାଁ ବଦଳାଇ ଦେଇଛନ୍ତି ।