ବିଟ୍ କଏନ ଲୋଭ ଦେଖାଇଲା, ବିଡା ବିଡା ଟଙ୍କା ଧରି ଛୁ ହୋଇଗଲା । ମଧ୍ୟପ୍ରଦେଶରୁ କୁଖ୍ୟାତ ଠକକୁ ଧରିଲା ଖଣ୍ଡଗିରି ପୋଲିସ ।

103

କନକ ବ୍ୟୁରୋ : କମିସନରେଟ୍‌ ପୁଲିସ ହାତରେ ଧରାପଡ଼ିଛି ଜଣେ ବିଟ୍‌-କଏନ୍‌ ଠକ। ବିଟ୍‌ କଏନରେ ଟଙ୍କା ଲଗାଇଲେ ଦୁଇଗୁଣାରୁ ଅଧିକ ମିଳିବାର ଲୋଭ ଦେଖାଇ ପ୍ରାୟ ଅଢ଼େଇ କୋଟି ଟଙ୍କା ଚଳୁ କରିଥିବା କୁଖ୍ୟାତ ଠକକୁ କମିସନରେଟ୍‌ ପୁଲିସ ଗିରଫ କରିଛି। ମଧ୍ୟପ୍ରଦେଶ ମଣ୍ଡାସୁରର ଓମ୍‌ ପ୍ରକାଶ ଭରୱାତକୁ ମଧ୍ୟପ୍ରଦେଶରୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତା’ ନିକଟରୁ ଲାପ୍‌ଟପ, ମୋବାଇଲ୍‌ ଫୋନ୍ ଜବତ କରାଯାଇଛି। ତେବେ ତା’ ଆକାଉଣ୍ଟରୁ ପୁଲିସକୁ ପାହୁଲାଟିଏ ବି ମିଳି ନାହିଁ। ତେଣୁ ଠକେଇ କରି ନେଇଥିବା ଟଙ୍କାକୁ ସେ କେଉଁଠି ବିନିଯୋଗ କରିଛି, ସେନେଇ ଖୋଳତାଡ଼ ଜାରି ରହିଛି। ତେଣୁ ତାକୁ ପୁଣି ରିମାଣ୍ଡରେ ଆଣି ଅଧିକ ଛାନ୍‌ଭିନ୍ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ୨୦୨୦ ଡିସେମ୍ବରରେ ଓମ୍ ପ୍ରକାଶ ବରମୁଣ୍ଡା ବିଡିଏ କଲୋନିରେ ଏକ ଅଫିସ ଖୋଲିଥିଲା। ବିଟ୍ କଏନରେ ଟଙ୍କା ଲଗାଇଲେ ଜମା ରାଶି ଦୁଇ ଗୁଣାରୁ ଅଧିକ କରିବାର ଲୋଭ ଦେଖାଇଥିଲା। ବିଶେଷକରି ସେ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲା। କରୋନା କାଳରେ ବ୍ୟବସାୟ ମାନ୍ଦା ଥିବାରୁ କିଛି ବ୍ୟବସାୟୀ ଲୋଭର ବଶବର୍ତ୍ତୀ ହୋଇ ବିଟ୍‌ କଏନ୍‌ ବେପାର ପ୍ରତି ଆକୃଷ୍ଟ ହୋଇଥିଲେ ଓ ଓମ୍‌ପ୍ରକାଶକୁ ଲକ୍ଷ ଲକ୍ଷ ଟଙ୍କା ଗଣି ଦେଇଥିଲେ। ତେବେ ହଠାତ୍ ଓମ୍‌ପ୍ରକାଶ ଜୁଲାଇରେ ଅନ୍ତର୍ଧାନ ହୋଇଯାଇଥିଲା। ଜମାକାରୀଙ୍କ କୋଟି କୋଟି ଟଙ୍କା ଧରି ସେ ଫେରାର୍‌ ହୋଇଗଲା। ଜମାକାରୀମାନେ ତା’ ଅଫିସରେ ପହଞ୍ଚିବା ବେଳକୁ ଅଫିସରେ ବଡ଼ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ। ତା’ର ମୋବାଇଲ୍‌ ଫୋନ୍‌ ସୁଇଚ୍ ଅଫ୍ ଥିବାରୁ ଜମାକାରୀମାନେ ତା’ ସହ ଯୋଗାଯୋଗ କରିପାରିନଥିଲେ।ଶେଷରେ ଠକେଇର ଶିକାର ହୋଇଥିବା ଜାଣି ଜମାକାରୀମାନେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

ପ୍ରଥମେ ବରମୁଣ୍ଡା ଅଞ୍ଚଳର ସତ୍ୟଜିତ ସାମନ୍ତରାୟ ଅଭିଯୋଗ କରିଥିଲେ ଓ ତାଙ୍କଠାରୁ ଠକ ଓମ୍‌ପ୍ରକାଶ ୬୭.୫ ଲକ୍ଷ ଟଙ୍କା ନେଇଥିବା ସେ ଅଭିଯୋଗ କରିଥିଲେ। ସେତେବେଳେ ସେ ପ୍ରାୟ ଅଢ଼େଇ କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଥିଲା। ପୁଲିସ ପାଖରେ ଏବେ ସୁଦ୍ଧା ୩ଟି ଅଭିଯୋଗ ପହଞ୍ଚିଛି। ସେମାନଙ୍କଠାରୁ ୯୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି।