‘ଫନି’କୁ ବର୍ଷେ: ମହାମାରୀ କରୋନା ଭିତରେ ମନେପଡୁଛି ପ୍ରଳୟଙ୍କରୀ ବାତ୍ୟାର ତାଣ୍ଡବ; ଯାଇଥିଲା ୩୩ ଜୀବନ, ଧ୍ୱଂସ ପାଇଥିଲା ପୁରୀ ବାଲୁଖଣ୍ଡ, ଶ୍ରୀହୀନ ହୋଇଥିଲା ଶ୍ରୀକ୍ଷେତ୍ର

174

କନକ ବ୍ୟୁରୋ: ଠିକ୍ ବର୍ଷକ ତଳେ ସାମୁଦ୍ରିକ ଝଡ ଫନିରେ ଥରିଉଠିଥିଲା ଓଡିଶା । ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିଥିଲା । ଫନି ବାତ୍ୟା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡର ବାଲୁଖଣ୍ଡ ନିକଟରେ ସ୍ଥଳଭାଗ ଛୁଇଁଥିଲା । ମାତ୍ର ୪ ଘଂଟାରେ ଘଂଚ ବାଲୁଖଣ୍ଡ ଛାରଖାର ହୋଇଯାଇଥିଲା । ଲକ୍ଷାଧିକ ଗଛ ଧରାଶାୟୀ ହୋଇ ମାଟି ଛୁଇଁଥିଲା । ମେ ୨ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯାଇଥିଲା । ଆଉ ତାପରେ ପବନର ତାଣ୍ଡବ । ଫନି ନେଇଥିଲା ୩୩ ଜୀବନ । ଶ୍ରୀହୀନ ହୋଇଯାଇଥିଲା ଶ୍ରୀମନ୍ଦିର । ରୋଷଷାଳା, କୋଇଲି ବୈକୁଣ୍ଠ ସହ ସିଂହଦ୍ୱାର ସମ୍ମୁଖରେ ଥିବା ମୂର୍ତ୍ତି ଭାଂଗିଯାଇଥିଲା । ରାଜଧାନୀ ଭୁବନେଶ୍ୱରର ମଧ୍ୟ ଦେଖିଥିଲା ପ୍ରକୃତିର କରାଳ ରୂପ ।

ପ୍ରଳୟକୁ ବର୍ଷେ : ଏ ଯାଏ ଭରିନି କ୍ଷତ

୨୦୧୯ ମେ’ ୩ ତାରିଖ ପୂର୍ବାହ୍ନରେ ବାତ୍ୟା ଫନି ପ୍ରଳୟ ରଚିଲା। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଲା ଭୁବନେଶ୍ବର ଓ ପୁରୀ। ଫନିର ତାଣ୍ଡବରେ ରାଜଧାନୀ ପୂରା କ୍ଷତାକ୍ତ ହୋଇଗଲା। ଗଛରୁ ଆରମ୍ଭ କରି ମୋବାଇଲ୍‌ ଟାୱାର ପର୍ଯ୍ୟନ୍ତ ସବୁକୁ ମୋଡ଼ି ମକଚି ତଳେ ଫୋପାଡ଼ିଦେଲା। ପବନର ଭଉଁରୀ ଖେଳରେ ଫସିଗଲା ପୂରା ଭୁବନେଶ୍ବର। ମାତ୍ର କେଇ ଘଣ୍ଟାରେ ଭୁବନେଶ୍ବର ଏକ ଧ୍ବଂସସ୍ତୂପ ପାଲଟିଗଲା। ଯେତେ ଝାଟିମାଟି ଘର ଥିଲା, ତାହା ମାଟିରେ ମିଶିଗଲା। ଚାରିଆଡ଼େ ଖାଲି ଖୁଣ୍ଟା ଗଛ ଆଉ ରାସ୍ତାରେ ବିଛାଇ ହୋଇ ପଡ଼ିଥିଲା ବିଦ୍ୟୁତ ଖୁଣ୍ଟ ଓ ତାର। ବିଲରେ କ୍ଷେତ ଉଜୁଡ଼ିଗଲା। ପରିବା ଫସଲରୁ ଆରମ୍ଭ କରି ପାନବରଜ ପର୍ଯ୍ୟନ୍ତ ସବୁ ମାଟିରେ ମିଶିଗଲା। ଶହଶହ ଲୋକଙ୍କ ଘର ଉଜୁଡ଼ିଗଲା। ହଜାର ହଜାର ପଶୁପକ୍ଷୀ ବାସହରା ହୋଇଗଲେ।

କିନ୍ତୁ ମାସ କେଇଟାରେ ସମସ୍ତେ ଯେଝା ସାମର୍ଥ୍ୟରେ ନିଜ ଘରକୁ ସଜାଡ଼ି ଦେଲେ। ପୁଣି ରାଜଧାନୀ ସଜେଇ ହେଲା। ହେଲେ ଏହି ପ୍ରଳୟକୁ ବର୍ଷେ ନ ପୂରୁଣୁ କରୋନାରୂପୀ ଭୂତାଣୁ ସମସ୍ତଙ୍କ ଅଣ୍ଟିରେ ଛୁରି ମାରିଦେଲା। ଘରେ ସମସ୍ତେ ଗୃହବନ୍ଦୀ ହେଲା ପରି ରହିଗଲେ। ରୋଜଗାର କରିବାର ସାମର୍ଥ୍ୟ ଥିଲେ ବି ଅନେକ କାମଧନ୍ଦା ପା‌ଉନାହାନ୍ତି। ବାତ୍ୟା ଫନି ବେଳେ ଯେଉଁମାନେ ଖାଇବା ପାଇଁ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ, ସେମାନେ ଆଜି ବି ଧାଡ଼ିରେ ଛିଡ଼ା ହୋଇ କାହାର ହାତଟେକାକୁ ଅପେକ୍ଷା କରିଛନ୍ତି। ବର୍ଷକରେ ପ୍ରକୃତି ତା’ର କ୍ଷତକୁ ଭରିପାରିଛି, ହେଲେ ମଣିଷର ଯେଉଁ କ୍ଷତ ଶୁଖି ଆସୁଥିଲା, ତାହା ପୁଣି ଖଣ୍ଡିଆ ହୋଇଯାଇଛି।