ଭାଙ୍ଗିଲା ବରୀର ବିଜେପି ଗଡ । ବିଜେଡିରେ ମିଶିଲେ ବିଶ୍ୱରଞ୍ଜନ ମଲ୍ଲିକ । ଦଳ ଡିଆଁ ପର୍ବ ଆରମ୍ଭ…

305

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆୟା ରାମ ଗୟା ରାମ୍ ରାଜନୀତି । ପଦ୍ମ ଛାଡିଲେ, ଶଙ୍ଖ ଧରିଲେ ବିଶ୍ୱ ରଞ୍ଜନ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଦଳ ଡିଆଁ ପର୍ବ । ଏଇ ମାସେ ଭିତରେ ଅନେକ ହେଭିୱେଟଙ୍କୁ ସାମିଲ୍ କରି ଦଳର ଶକ୍ତି ବୃଦ୍ଧି କରିଛି ବିଜେଡି । ପୂର୍ବରୁ ଦକ୍ଷିଣ ଓଡିଶା ଉପରେ ନଜର ରଖିଥିବା ବେଳେ ଏବେ ଉପକୂଳ ଓଡିଶା ଉପରେ ଫୋକସ । ଯାଜପୁରର ହେଭିୱେଟ ନେତା ତଥା ୨୦୧୯ ବରୀ ବିଧାନସଭା ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ତାଙ୍କ ଶହ ଶହ ସମର୍ଥକଙ୍କ ସହିତ ବିଶ୍ୱ ବିଜେଡିକୁ ସାମିଲ ହୋଇଛନ୍ତି ।

ବିଶ୍ୱଙ୍କ ଯୋଗଦାନ ବରି ବିଜେଡିକୁ କେତେ ଶକ୍ତିଶାଳୀ କରିବ ତାହା ଆଗାମୀ ଦିନରେ ଜଣାପଡିବ । ୨୦୧୯ ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ ବିଧାୟିକା ସୁନନ୍ଦା ଓ ବିଶ୍ୱ । କିନ୍ତୁ ଏବେ ସମୀକରଣ ବଦଳିଯାଇଥିବା ମନେ ହେଉଛି । କିନ୍ତୁ ଏସବୁ ଭିତରେ ଆଜିର ମିଶ୍ରଣ ପର୍ବରେ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ପ୍ରତିକ୍ରିୟା ବେଶ ଚର୍ଚ୍ଚା ସୃଷ୍ଟି କରିଛି, ସେ କହିଛନ୍ତି, ଆସନ୍ତା ଦିନରେ ଓଡିଶା ବିରୋଧୀ ମୁକ୍ତ ହେବ ।

ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ନେତା ଏବେ ଗାଁ ମୁହାଁ ହେଲେଣି । ତେଣୁ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ କରିବା ପାଇଁ ଅନ୍ୟ ଦଳର ହେବିୱେଟ ନେତାଙ୍କୁ ଆଣି ପଂଚାୟତ ରଣନୀତିକୁ ଶାଣିତ କରୁଛି । ଏସବୁ ଭିତରେ ଦକ୍ଷିଣ ଓଡିଶାର ଆଉ ଏକ ବଡ ଚେହେରା ପ୍ରଦୀପ ମାଝୀ ଖୁବଶୀଘ୍ର ବିଜେଡିରେ ସାମିଲ ହେବାକୁ ଯାଉଛନ୍ତି ।