ବିଜେଡିରେ ଯୋଗ ଦେଲେ ବିଶ୍ୱରଞ୍ଜନ । ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବିଶ୍ୱରଞ୍ଜନ ।

258

କନକ ବ୍ୟୁରୋ : ହାତକୁ ବାଏ ବାଏ କଲେ, ପଦ୍ମକୁ ପର କଲେ ଆଉ ଏବେ ଶଙ୍ଖ ଧରିଛନ୍ତି ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ । ବିଜେଡି କାର୍ଯ୍ୟାଳୟରେ ବରୀର ବିଶ୍ୱରଞ୍ଜନ ମଲ୍ଲିକ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ବିଶ୍ୱ । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରୀ ବିଧାୟିକା ସୁନନ୍ଦା ଦାଶ ଓ ଯାଜପୁରର ଅନ୍ୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ବିଶ୍ୱ । ବରୀର ବିକାଶ ଓ ନବୀନଙ୍କ ବିକାଶଧାରାକୁ ଆଗେଇ ନେବାକୁ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ବିଶ୍ୱରଞ୍ଜନ । ବିଶ୍ୱରଞ୍ଜନଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଦସ୍ୟ ଓ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି ।

ଏହାପୂର୍ବରୁ ବିଶ୍ୱରଞ୍ଜନ ୨୦୧୯ରେ ବିଜେପି ପ୍ରାର୍ଥୀ ଭାବେ ବରୀରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ବିଜେପିରେ ରହି ଓଡ଼ିଶାର ବିକାଶ ସମ୍ଭବ ନୁହେଁ ବୋଲି କହିଥିଲେ ବିଶ୍ୱରଞ୍ଜନ । ଏପରିକି ବିଜେପିରେ ଯେଉଁଭଳି ଗ୍ରୁପିଜିମ୍ ଚାଲିଛି ସେହି ଦଳରେ ରହିଲେ ଅଣନିଶ୍ୱାସୀ ଲାଗୁଛି ବୋଲି କହିଛନ୍ତି । ୨୦୧୯ରେ ବିଜେପି ଟିକେଟରେ ଲଢିବା ପୂର୍ବରୁ କଂଗ୍ରେସ ଦଳରେ ଥିଲେ ବିଶ୍ୱରଞ୍ଜନ । ତେବେ କଂଗ୍ରେସ ଟିକେଟ ନଦେବାରୁ ୨୦୧୪ରେ ସ୍ୱାଧୀନ ଭାବେ ଲଢି ଅଳ୍ପ ଭୋଟରେ ପରାଜିତ ହୋଇଥିଲେ । ଆଉ ଏବେ ବରୀର ବିକାଶଧାରାକୁ ଆଗେଇ ନେବାକୁ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ବିଶ୍ୱରଞ୍ଜନ ।