ରଥ ଯାତ୍ରା ବନ୍ଦ ନେଇ ଭାବବିହ୍ୱଳ ଭକ୍ତ । କାଳିଆରେ ତୋତେ ଦେଖିପାରିବୁନି କହି, କେନ୍ଦ୍ରାପଡାରୁ ମାଲକାନଗିରି, ସବୁଠି କାନ୍ଦିଲେ ଭକ୍ତ । ରଥ ନିର୍ମାଣରେ ଦିନରାତି ଏକ କରିଦେଇଥିବା ବିଶ୍ୱକର୍ମା ମହାରଣାଙ୍କ ଆଖିରେ ଲୁହ ।

439

କନକ ବ୍ୟୁରୋ: ରଥରେ ବସିବେନି ବଡ ଠାକୁର । କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଏହା ପରେ ଭାଙ୍ଗି ପଡିଛନ୍ତି ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବଶ୍ୱକର୍ମା ଓ ଅନ୍ୟ ସେବାୟତ । ବଡ ଦାଣ୍ଡରେ ଅଧା ତିଆରି ହୋଇ ଠିଆ ହୋଇଛି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ।

କୋଟି କୋଟି ଓଡିଆଙ୍କ ଭାବର ଠାକୁର ଜଗନ୍ନାଥ । ଚଳିତ ବର୍ଷ କଟକଣା ଯୋଗୁଁ ଗଡିବନି ରଥ, କି ଭକ୍ତଙ୍କ ଦର୍ଶନ ଦେବେନି ବଡ ଠାକୁର । ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଶ୍ରଦ୍ଧାଳୁ । ଜୀବନରୁ ସବୁ ସୁଃଖ ଚାଲିଗଲା ଭଳି ଅନୁଭବ କରି କୋହଭରା କଣ୍ଠରେ କାନ୍ଦିପକାଉଛନ୍ତି କାଳିଆପ୍ରେମୀ । ପ୍ରତିବର୍ଷ ଖୋଲା ବଡ଼ଦାଣ୍ଡରେ ଭାବବିନୋଦିଆକୁ ଟିକେ ପାଖରୁ ଦେଖିଥାଉ ଆଉ ତା ଚରଣରେ ମଥାପାତି ତାକୁ ଭବସଂସାରରୁ ପାରି କରିଦେବା ପାଇଁ ପରିଣତ ବୟସରେ ଯେଉଁ ଗୁହାରୀ ଜଣାଇଥାନ୍ତି ସେମାନେ ଆଜି ନରୂପାୟ ।

ସେପଟେ କେବଳ ଭକ୍ତ କାହିଁକି ଶ୍ରୀଜିଉଙ୍କ ରଥ ନିର୍ମାଣରେ ଦିନରାତି ଏକ ରିଦେଇଥିବା ବିଶ୍ୱକର୍ମା ମହାରଣା ସେବାୟତ ବି ନିଜ ଭାବକୁ ରୋକି ପାରିନାହାନ୍ତି । ଆଖିରେ ଆଖିଏ ଲୁହ ଆଉ ମନରେ କୋହକୁ ସମ୍ଭାଳି ନପାରି କାଳିଆ ପାଇଁ କାନ୍ଦି କାନ୍ଦି ବେଦମ୍ ବିଶ୍ୱକର୍ମା ମହାରଣା ସେବାୟତ । ତେବେ ସ୍ନାନଯାତ୍ରା ପରେ ଚଳିତ ବର୍ଷ ରଥଯାତ୍ରା ହେବ ଓ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ମିଳିବ ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଢ଼ିଯାଇଥିଲା ଉକ୍ରଣ୍ଠା । ହେଲେ ଏବେ ସେହି ଆଶା ମଉଳି ଯାଇଛି ।