ସଂଗରୋଧରେ ରହିବେ ରଥ ନିର୍ମାଣ କରୁଥିବା ସେବକ । ତିନୋଟି ଭକ୍ତ ନିବାଶରେ ୨୦୫ଜଣଙ୍କୁ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥା, ପ୍ରତିଦିନ କରାଯିବ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ।

165

କନକ ବ୍ୟୁରୋ: କରୋନା କଟକଣା ଭିତରେ ରଥ ଖଳା ଚଳଚଂଚଳ ରହିଛି । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଛି । ତେବେ ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତମାନେ ରବିବାରଠାରୁ ସଂଗରୋଧରେ ରହିବା ନେଇ ସମସ୍ତ ବ୍ୟବସ୍ଥା ହୋଇଛି । ଏଥିପାଇଁ ପୁରୀ ସହରରେ ଥିବା ତିନି ଭକ୍ତ ନିବାସ ନୀଳାଚଳ ଭକ୍ତ ନିବାସ, ନିଳାଦ୍ରୀ ଭକ୍ତ ନିବାସ ଓ ଗୁଣ୍ଡିଚା ଭକ୍ତ ନିବାସକୁ ପ୍ରସ୍ତୁତ କରି ରଖାଯାଇଛି । ଏଠାରେ ରଥ ନିର୍ମାଣରେ ସାମଲି ଥିବା ୨୦୫ ଜଣ ସେବାୟତଙ୍କୁ ରଖିବା ପାଇଁ ବ୍ୟବସ୍ଥା ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସଙ୍ଗରୋଧ ସମୟରେ ସେବାୟତଙ୍କ ସୁବିଧା ପାଇଁ ମଧ୍ୟ ଅନ୍ୟ ସମସ୍ତ ବ୍ୟବସ୍ଥା କରିଛି ପ୍ରଶାସନ । ସେମାନଙ୍କୁ ଚା’ ଜଳଖିଆ ଦେବା ସହ ଦୁଇଥର ଖାଇବା ବ୍ୟବସ୍ଥା ହୋଇଛି । ଅନ୍ୟପଟେ ସେବାୟତଙ୍କର ଦିନକୁ ଦୁଇଥର ସ୍ୱାସ୍ଥ୍ୟ ପରୀକ୍ଷା ହେଉଥିବା ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । କିନ୍ତୁ ଏହା କେବଳ ନିୟମିତ ପରୀକ୍ଷା ଏବଂ ବର୍ତମାନ ପରିସ୍ଥିତିରେ ସେମାନଙ୍କର କୋଭିଡ୍-୧୯ ଟେଷ୍ଟ କରିବାର କୌଣସି ଯୋଜନା ନଥିବା ସ୍ପଷ୍ଟ କରି ଦିଆଯାଇଛି ।

କରୋନା କଟକଣା ଯୋଗୁଁ ପ୍ରାୟ ୧୨ ଦିନ ପଛୁଆ ଚାଲିଛି ରଥ ନିର୍ମାଣ କାମ । ତେବେ ପ୍ରତିଦିନ ଦୁଇଟି ସିଫ୍ଟରେ ସକାଳ ୮ଟାରୁ ରାତି ୧୦ଟା ଯାଏଁ ରଥ ନିର୍ମାଣ ଚାଲିଛି । ୪୫ ଦିନ ଧରି କ୍ରମାଗତ ଭାବେ ଏହି ନିର୍ମାଣ କାମ ଜାରି ରହିବ ଏବଂ ଠିକ ସମୟରେ ତିନି ରଥର ନିର୍ମାଣ ଶେଷ ହେବ ବୋଲି ଆଶା କରାଯାଉଛି ।