କନକ ବ୍ୟୁରୋ: ବିଶିଷ୍ଟ ଶିକ୍ଷାବତ୍ ଏବଂ ମ୍ୟାନେଜମେଣ୍ଟ ଗୁରୁ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଯୁକ୍ତରାଷ୍ଟ୍ର ଆମେରିକାର ଆକ୍ରେଡିଟେସନ୍ କାଉନସିଲ ଫର ବିଜିନେସ୍ ସ୍କୁଲସ ଏଣ୍ଡ ପ୍ରୋଗ୍ରାମ୍ସର ରିଜନ୍ ୧୦ (ଦକ୍ଷିଣ ପୂର୍ବ ଏସିଆ) କାଉନ୍ସିଲର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି  । ଏ.ସି.ବି.ଏସ୍.ପି. ବିଶ୍ୱର ବିଭିନ୍ନ ମ୍ୟାନେଜମେଣ୍ଟ ସ୍କୁଲକୁ ଗୁଣବତ୍ତାର ମାନ୍ୟତା ପ୍ରଦାନ କରେ । ପ୍ରଫେସର୍ ପଟ୍ଟନାୟକ ଏହି ପଦବୀରେ ନିର୍ବାଚିତ ହେବାରେ ପ୍ରଥମ ଓଡ଼ିଆ । ସେ ଏହି ପଦବୀରେ ରହି ଏ.ସି.ବି.ଏସ୍.ପିର ଦକ୍ଷିଣ ପୂର୍ବ ଏସିଆର ସମସ୍ତ ଦେଶର ମ୍ୟାନେଜମେଣ୍ଟ ଶିକ୍ଷାର କ୍ୱାଲିଟି ଆକ୍ରେଡ଼ିଟେସନ୍ ଦାୟିତ୍ୱରେ ରହିବେ ।

Advertisment

ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ବିଗତ ତିନି ଦଶନ୍ଧି ଧରି ଜଣେ ମ୍ୟାନେଜମେଣ୍ଟ ଶିକ୍ଷାର ପ୍ରଫେସର ଓ ଗବେଷକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ପ୍ରଫେସର ପଟ୍ଟନାୟକ ତାଙ୍କର ଲଗାନ ଚଳଚିତ୍ରର ଗବେଷଣା ପାଇଁ ଲଗାନ ପ୍ରଫେସର ଭାବେ ସୁପରିଚିତ । ତାଙ୍କର ୧୦୪ ଗୋଟି ଗବେଷଣାତ୍ମକ ପ୍ରବନ୍ଧ ଜାତୀୟ ଓ ଆନ୍ତର୍ଜାତିୟ ସ୍ତରରେ ମ୍ୟାନେଜମେଣ୍ଟ ଜରର୍ନାଲରେ ପ୍ରକାଶିତ ହୋଇଛି ।

ପ୍ରଫେସର ପଟ୍ଟନାୟକ ୨୪ ଗୋଟି ମ୍ୟାନେଜମେଣ୍ଟ ପୁସ୍ତକ ରଚନା କରିଛନ୍ତି । ତା ମଧ୍ୟରୁ ‘ହ୍ୟୁମାନ ରିସୋର୍ଷ ମ୍ୟାନେଜମେଣ୍ଟ’ ପୁସ୍ତକ ଓ ‘କ୍ରିଏଟିଙ୍ଗ ପରଫରମିଙ୍ଗ ଅରଗାନାଇଜେସନ୍’ ପୁସ୍ତକ ଦୁଇଟି ଆମାଜନ ବେଷ୍ଟ ସେଲର ମାନ୍ୟତା ପାଇଛି । ଡ଼.ପଟ୍ଟନାୟକ ଆଇ.ଆଇ.ଏମ୍. ଇନ୍ଦୋର ଓ ଲକ୍ଷ୍ନୌର ମାନବ ସମ୍ବଳ ବିକାଶ ପ୍ରଫେସର ଓ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ସେ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଗଭର୍ଣ୍ଣିଂ ବୋର୍ଡ଼ର ସଦସ୍ୟ ଭାବେ ମହାମହିମ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇ କାର୍ଯ୍ୟ କରିଛନ୍ତି । ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ବହୁ ଜାତୀୟ ଓ ଆର୍ନ୍ତଜାତୀୟ ପୁରସ୍କାର ଓ ସମ୍ମାନ ପାଇବା ସହ ଆର୍ନ୍ତଜାତୀକ ‘ଟିଚିଙ୍ଗ ଏକ୍ସେଲେନ୍ସି ଆୱାର୍ଡ ଯୁକ୍ତରାଷ୍ଟ୍ର ଆମେରିକାରୁ ପାଇଛନ୍ତି । ପ୍ରଫେସର ପଟ୍ଟନାୟକ ଏ.ଏସ୍.ବି.ଏମ୍. ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ସଂପ୍ରତି ଏହାର କୁଳାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।