ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପରେ ପଶ୍ଚିମବଙ୍ଗ ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରବେଶ । ବିଶ୍ୱଭାରତୀର ଶତାବ୍ଦୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନୀତି ସହ ଯୋଡିଲେ ରବିନ୍ଦ୍ରନାଥ ଟାଗୋରଙ୍କ ସ୍ୱପ୍ନ

70

କନକ ବ୍ୟୁରୋ : ୨୦୨୧ ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହାକୁ ନଜରରେ ରଖି ବିଜେପି ପକ୍ଷରୁ ଯୋଜନାବଦ୍ଧ ଭାବେ ମିଶନ ପଶ୍ଚିମବଙ୍ଗ ଆରମ୍ଭ କରାଯାଇଛି । ଏନେଇ ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ,ପି ନଡ୍ଡା ଓରେ ଗୃହମନ୍ତ୍ରୀ ଅମିତ୍ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ହେଲେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଥିବା ବିଶ୍ୱଭାରତୀ ବିଶ୍ୱ ବିଦ୍ୟାଳୟର ଶତାବ୍ଦୀ ସମାରୋହ କାର୍ଯ୍ୟକ୍ରମରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇ ପଶ୍ଚିମବଙ୍ଗ ରାଜନୀତିରେ ପ୍ରବେଶ କରିଛନ୍ତି । ଆଜିର ଏହି ସମାରୋହକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ କି ରବୀନ୍ଦ୍ରନାଥ ଟାଗୋରଙ୍କ ସ୍ୱପ୍ନ ପୂରଣ ପାଇଁ ବିଶ୍ୱଭାରତୀ ଶକ୍ତି ଯୋଗାଇଥିବା କଥା କହିଛନ୍ତି । ବିଶ୍ୱ ବିଦ୍ୟାଳୟର ୧ ଶହ ବର୍ଷର ଯାତ୍ରା ବେସ୍ ଐତିହ୍ୟମୟ ରହିଥିବା କଥା ସେ କହିଛନ୍ତି ।

ଚଳିତ ବର୍ଷ ଦୁର୍ଗାପୂଜା ସମୟରେ ମଧ୍ୟ ମୋଦି ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି । ଏନେଇ ଦଳ ଯୋଜନାବଦ୍ଧ ଭାବେ ଟିଏମସିକୁ ଟାର୍ଗେଟ୍ କରିଛି । କ୍ରମାଗତ ଭାବେ ମମତାଙ୍କ ଟିଏମସିରୁ ବିଧାୟକ, ସାଂସଦ ଓ ମନ୍ତ୍ରୀ ମାନଙ୍କୁ ଆଣି ଦଳରେ ମିଶାଉଥିବା ଦେଖିବାକୁ ମିଳିଛି ।
୧୯୨୧ ମସିହାରେ ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଉଦ୍ୟମରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ବୋଲପୁର ନିକଟରେ ଥିବା ଶାନ୍ତିନିକେତନ ଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯାଇଥିଲା । ୧୯୫୧ ରେ ସଂସଦର ଏକ ଅଧିନିୟମ ଦ୍ୱାରା ବିଶ୍ୱଭାରତୀକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିଲା ।