ସୁନ୍ଦରଗଡରେ ୨ ପଜିଟିଭି ଚିହ୍ନଟ ପରେ ବିସ୍ରାକୁ ସିଲ କଲା ପ୍ରଶାସନ । ବିସ୍ରା ଓ ଆଖପାଖର ୧୦ଟି ମୌଜାକୁ କଂଟେନମେଂଟ ଜୋନ ଘୋଷଣା

ଲୋକଙ୍କ ଘରକୁ ପଠାଯିବ ଅତ୍ୟାବଶ୍ୟକ ସାମଗ୍ରୀ; ସମଗ୍ର ଅଚଂଳରେ ବିଶୋଧନ ପ୍ରକ୍ରିୟା ଆରମ୍ଭ

856

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ବିସ୍ରା ଅଂଚଳରୁ ୨ଟି କୋଭିଡ ପଜିଟିଭ ଚିହ୍ନଟ ପରେ ବିସ୍ରାକୁ ସିଲ କରାଯାଇଛି । ବିସ୍ରା ଓ ଆଖପାଖ ଅଂଚଳର ୧୦ଟି ମୌଜାକୁ ସଂପୂର୍ଣ୍ଣ ସିଲ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଲୋକଙ୍କୁ ଘରେ ଆଦୌ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉଚିତ ମୂଲ୍ୟରେ ଲୋକଙ୍କ ଘରେ ପହଂଚାଇ ଦିଆଯିବ । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବିସ୍ରାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି । ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ସମଗ୍ର ଅଂଚଳକୁ ସାନିଟାଇଜେସନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପଜିଟିଭ ମାମଲା ପଦାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ଲକଡାଉନ କଟକଣାକୁ ଆହୁରି କଡାକଡି କରାଯାଇଛି ।

ଏପଟେ, ଶନିବାର ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କୁ ନେଇ ଆଜି ତଥ୍ୟ ଦେଇଛନ୍ତି ସରକାର । ୪ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ସୁନ୍ଦରଗଡ ଜିଲ୍ଲାରେ । ଜଣେ ଆକ୍ରାନ୍ତ କେନ୍ଦ୍ରାପଡା ଜିଲ୍ଲାରୁ । ଅନ୍ୟ ଜଣେ ଆକ୍ରାନ୍ତ ଭୂବନେଶ୍ୱରରୁ । ଏନେଇ ଟୁଇଟ୍ କରି ସୂଚନା ସୂଚନା ଓ ଲୋକସଂପର୍କ ବିଭାଗ । ତେବେ ଏହି ୪ ଆକ୍ରାନ୍ତଙ୍କର ଗସ୍ତ ସୂଚୀ ଓ କାହା କାହା ସଂପର୍କରେ ଆସିଛନ୍ତି ସେ ନେଇ ସବିଶେଷ ତଥ୍ୟ ଆସିନାହିଁ । ସରକାର ଏନେଇ ଖୋଳତାଡ ଜାରି ରଖିଛନ୍ତି ।