ବୋଲ ମାନୁନି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ତୁଣ୍ଡ । ସରକାରୀ ଅଧିକାରୀଙ୍କୁ ଅପଶବ୍ଦ ପ୍ରୟୋଗ ସହ କହିଲେ, ‘ଅଫିସର ମାଡ଼ ଖାଇବା ଯୋଗ୍ୟ’ ।

286

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀଙ୍କ ତୁଣ୍ଡରେ ଲଗାମ ନାହିଁ । ଦୁଇ ଦୁଇଟି ଘଟଣାରେ ବିବାଦୀୟ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ପ୍ରଥମେ କେନ୍ଦୁଝର ଏବଂ ଏବେ କୁଚିଣ୍ଡାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ମାଡର ଧମକ ଦେଉଛନ୍ତି ତାସହ ନାଲି ଆଖି ମଧ୍ୟ ଦେଖାଉଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ବି ପ୍ରକାଶ ପାଇଛି । ରାଜ୍ୟ ଓଏଏସ ସଂଘ କଳା ବ୍ୟାଜ ପିନ୍ଧି ମନ୍ତ୍ରୀଙ୍କ ବକ୍ତବ୍ୟର ପ୍ରତିବାଦ କରିଛନ୍ତି ।

ପୁଣି ରାଗମୁଦ୍ରାରେ କେନ୍ଦ୍ରମନ୍ତ୍ରୀ । ରାଗିଲେ, ଅଧିକାରୀଙ୍କୁ ତାଗିଦ କଲେ । କେନ୍ଦୁଝରର ଚମ୍ପୁଆ ପରେ ପୁଣି କୁଚିଣ୍ଡା ସମୀକ୍ଷା ବୈଠକରେ ଅଫିସରଙ୍କ ଉପରେ ରାଗିଗଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କ’ଣ ଭାବୁଛ ବୋଲି ସରକାରୀ ଅଧିକାରୀଙ୍କୁ ପଚାରିଲେ ଟୁଡୁ । ଜିଲ୍ଲା ମିଟିଂ ହେଉନି କହି ସେ ଅଫିସରଙ୍କୁ ତାଗିଦ କରିଥିଲେ ।

କୁଚିଣ୍ଡା ବୈଠକରେ ମନ୍ତ୍ରୀଙ୍କ ଏପରି କ୍ରୋଧକୁ ଏଥିପାଇଁ ଗୁରୁତ୍ୱ ଦିଆଯିବାର କାରଣ ହେଲା, ଯେହେତୁ ଗୋଟିଏ ଦିନ ପୂର୍ବରୁ ଚମ୍ପୁଆରେ ଜିଲ୍ଲା ଅଧିକାରୀମାନଙ୍କୁ ପାଟି କରିଥିଲେ କେନ୍ଦ୍ରମନ୍ତ୍ରୀ । ବାରମ୍ବାର ମନ୍ତ୍ରୀ ଏଭଳି ଅଧିକାରୀଙ୍କ ଉପରେ ରାଗିଯିବା ଘଟଣାକୁ ନେଇ ଆମେ ପ୍ରତିକ୍ରିୟା ନେଇଥିଲୁ । ଆଉ ପ୍ରତିକ୍ରିୟାରେ ମନ୍ତ୍ରୀ ଯାହା କହିଥିଲେ, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ବିଶ୍ୱେଶ୍ୱର ଟୁଡୁଙ୍କ କହିବା ଅନୁଯାୟୀ, ଅଫିସରମାନେ ମାଡ ଖାଇବା ଯୋଗ୍ୟ । କେନ୍ଦୁଝରରେ ମନ୍ତ୍ରୀଙ୍କ ମାଡ ବୟାନକୁ ନେଇ ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ, ସେତେବେଳେ କିଛି ଏମିତି ଉତ୍ତର ରଖିଥିଲେ କେନ୍ଦ୍ରମନ୍ତ୍ରୀ । କହିଥିଲେ, ସରକାରୀ କର୍ମଚାରୀ ମାଡ ଖାଇବାକୁ ନିଶ୍ଚିତ ଭାବେ ଯୋଗ୍ୟ ।

ସମସ୍ତଙ୍କୁ ସାଥିରେ ନେଇ ଜଣେ ମନ୍ତ୍ରୀ କାମ କରିବେ ବୋଲି ସାଧାରଣଃ ଭାବେ ଆଶା କରାଯାଏ । ହେଲେ ଏବେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଏହି ରାଗମୁଦ୍ରା ଚର୍ଚ୍ଚାର ବିଷୟ ପାଲଲଟିଛି ।