ଦାମ ବିଦା ପରେ ଖୁସିରେ ବିଷ୍ଣୁ ! ମେଲୋଡିରେ ବିଭୋର ହୋଇ ଗୀତ ଗାଇଲେ, ‘ଖାଇବି ଖାଇବି ତୋ ମୁଣ୍ଡ ମୋଡ଼ି’, ଦେଖନ୍ତୁ ଭିଡିଓ

85

କନକ ବ୍ୟୁରୋ : ବିଷ୍ଣୁଙ୍କ ମୁହଁରେ ଓଲିଉଡ ଟ୍ରାକ୍ । ଭାଷଣ ଛାଡି ଗୀତ ଗାଇଲେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ । ଏହି ବର୍ଷିୟାନ ନେତାଙ୍କୁ ନୂଆ ଅନ୍ଦାଜରେ ଦେଖିବାକୁ ପାଇଛନ୍ତି ଜଗତସିଂହପୁରବାସୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ବିଷ୍ଣୁ ହଠାତ ଭାଷଣ ଛାଡି ଗୀତ କାହିଁକି ଗାଇଲେ ଏଭଳି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଆସୁଥିବ ।

ଲିଙ୍କ୍ କ୍ଲିକ କରି ଦେଖନ୍ତୁ ଭିଡିଓ :


ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ଜଗତସିଂହପୁରରେ ଆୟୋଜିତ ହେଉଥିବା ଗଣେଷ ପୂଜା ମେଲୋଡି କାର୍ଯ୍ୟକ୍ରମରେ ବିଷ୍ଣୁ ଦାସଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଥିଲା । ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ବିଷ୍ଣୁ କିଛି ସମୟ ପାଇଁ ସିଙ୍ଗର ପାଲଟି ଯାଇଥିଲେ । ମଞ୍ଚ ଉପରୁ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ‘ହେ ମୋର ଲଚକମଣି’ ଗୀତ ଗାଇ ବିଷ୍ଣୁ ଦେଖାଇଥିଲେ ନିଜର ଜଲୱା । ଆଉ ଏହି ଗୀତ ପାଇଁ କରତାଳିରେ ଫାଟି ପଡିଥିଲା ପୂରା କାର୍ଯ୍ୟକ୍ରମ ସ୍ଥଳ । ଆଉ ଏହାପରେ ଉତ୍ସାହିତ ହୋଇ ବିଷ୍ଣୁ ବ୍ୟାକ ଟୁ ବ୍ୟାକ ଆଉ ଏକ ଗୀତ ଗାଇଥିଲେ । ଶେଷ ଶ୍ରାବଣ ଚଳଚ୍ଚିତ୍ରର ପ୍ରଫୁଲ କରଙ୍କ ‘କାଳି କପାଳି ନର ମୁଣ୍ଡ ମାଳି ମୁଁ ବାସୁଳୀ ଖାଇବି ଖାଇବି ତୋ ମୁଣ୍ଡ ମୋଡି’ ଗୀତ ବିଷ୍ଣୁ ଗାଇବା ସହ କରତାଳି ଓ ସିଟିରେ ଫାଟିଉଠିଥିଲା ପୂରା ସଭାସ୍ଥଳ ।

ବିଷ୍ଣୁଙ୍କ ଗୀତ ଗାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଗତ କିଛି ଦିନ ହେବ ଚୁପ ରହିଥିବା ବିଷ୍ଣୁ ବିଜେଡିରୁ ଦାମ ରାଉତ ବିଦା ହେବା ପରେ ଅଧିକ ଉତ୍ସାହିତ ହୋଇପଡିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ପଟେ ନିଜ ତୁଣ୍ଡ ପାଇଁ ଦାମ ରାଉତ ଦଳରୁ ବିଦା ହୋଇଥିବା ବେଳେ ଏହି ସୁଯୋଗରେ ଚୁପ୍ ରହୁଥିବା ବିଷ୍ଣୁଙ୍କ ତୁଣ୍ଡରୁ ତାଲା ଖୋଲିଛି । ରାଜନୀତିରେ ନିଜର ଚିର ଶତ୍ରୁ ଦାମ ରାଉତଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ବିଷ୍ଣୁ । ଆଉ ଏଭଳି ସମୟରେ ବିଷ୍ଣୁଙ୍କ କାଳି କପାଳି ଗୀତ ଦାମଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ଜଗତସିଂହପୁର ରାଜନୀତିରେ ଚର୍ଚ୍ଚା ହେଉଛି ।