ବିଜେଡି ଖୋଜୁଛି ନୂଆ ଚାଣକ୍ୟ ! ଦିଲ୍ଲୀ ସହ ଦଳ ସମ୍ଭାଳିବ କିଏ

37

କନକ ବ୍ୟୁରୋ : ବିଷ୍ଣୁଙ୍କ ପରେ କିଏ ଯିବେ ରାଜ୍ୟସଭା । ତାକୁ ନେଇ ବଢିଲା ଉତ୍କଂଠା । ସଂସଦକୁ ଯିବାର ମାତ୍ର ୧୦ ମାସ ନପୁରୁଣୁ ଇସ୍ତଫା ଦେଲେ ବିଷ୍ଣୁ ଦାସ । ନବୀନଙ୍କ ଏଭଳି ରାଜନୈତିକ ଗୋଟି ଚାଳନା ପଛରେ କଣ ଥାଇପାରେ କାରଣ । କାହାକୁ ଦିଲ୍ଲୀ ପଠାଇ ଦଳୀୟ ରାଜନୀତିରେ ବଡ ପରିବର୍ତନ କଥା ଚିନ୍ତା କରୁଛନ୍ତି ବିଜେଡି ସୁପ୍ରିମୋ । ଗୀତା ମେହଟା ନା ବିଜୟ ପଟ୍ଟନାୟକ । କିଏ ହେବେ ନବୀନଙ୍କ ଟ୍ରମ୍ପ କାର୍ଡ । ଏସବୁ ଉପରେ ବିରୋଧୀଙ୍କର ବି ରହିଛି ନଜର । ଆଉ ସୁପ୍ରିମୋଙ୍କ ମନକଥା ବୁଝିପାରୁ ନଥିବା ବିଜେଡି ନେତାଏ ବି ନବୀନଙ୍କ ନିଷ୍ପତିକୁ ଅନାଇ ରହିଛନ୍ତି ।

ଗତ ୧୮ ତାରିଖରେ ବିଷ୍ଣୁ ଦାସଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହି ପଦବୀ ଅଫିସ ଅଫ୍ ପ୍ରଫିଟ୍ ପରିସରଭୁକ୍ତ ହୋଇଥିବାରୁ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ନିଶ୍ଚିତ ହୋଇଯାଇଥିଲା । ରାଜ୍ୟସଭା ଅଧ୍ୟକ୍ଷ ହମିଦ ଅନସାରୀଙ୍କୁ ଇସ୍ତଫାପତ୍ର ପଠାଇ ଦେଇଥିଲେ ବିଷ୍ଣୁ ଦାସ । ଗତ ଜୁନ ମାସରେ ୬ବର୍ଷ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାବେଳେ ମାତ୍ର ୧୦ ମାସ ନପୁରୂଣୁ ଇସ୍ତଫା ଦେଇଛନ୍ତି ବିଷ୍ଣୁା ଆଉ ରାଜନୈତିକ ପଶାପାଲିରେ ନବୀନଙ୍କ ଏହି ଅସ୍ୱାଭାବିକ ଗୋଟି ଚଳାନାକୁ କେହି ଠଉରାଇ ପାରୁନାହାନ୍ତି ।

ପ୍ରଶ୍ନ ଉଠୁଛି
– କାହା ପାଇଁ ରାସ୍ତା ସଫା କରିବାକୁ ବିଷ୍ଣୁ ଦାସଙ୍କୁ ଫେରାଇ ଆଣିଲେ ନବୀନ?
– ବିଷ୍ଣୁଙ୍କ ସ୍ଥାନରେ କାହାକୁ ଦିଲ୍ଲୀ ପଠାଇବାକୁ ଯୋଜନା କରୁଛନ୍ତି ସୁପ୍ରିମୋ?
– ଦିଲ୍ଲୀରେ ଥିବା ସାଂସଦଙ୍କ ଉପରୁ କ’ଣ ଭରସା ତୁଟାଇ ସାରିଛନ୍ତି ନବୀନ?
– ଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ସମନ୍ୱୟ ପାଇଁ ନୂଆ ଚାଣକ୍ୟ ବାଛିବେ ନବୀନ?

କୁହାଯାଉଛି, ବିଷ୍ଣୁଙ୍କ ସ୍ଥାନରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇ ଦଳୀୟ ଓ ଦିଲ୍ଲୀ ରାଜନୀତିରେ ବଡ଼ ପରିବର୍ତନ କଥା ଚିନ୍ତା କରୁଛନ୍ତି ନବୀନ । ଏହି କ୍ରମରେ ଚର୍ଚ୍ଚାରେ ଶୀର୍ଶରେ ରହିଛନ୍ତି ନବୀନଙ୍କ ବଡ ଭଉଣୀ ଗୀତା ମେହଟା । ବିଷ୍ଣୁ ବି କହିଛନ୍ତି ତାଙ୍କ ସ୍ଥାନରେ ଗୀତା ରାଜ୍ୟସଭାକୁ ଗଲେ ଭଲ ହେବ ।

ନିକଟରେ ଦୀର୍ଘ ୭ ଦିନ ଧରି ଦିଲ୍ଲୀରେ ରହିବା ପରେ ଭୁବନେଶ୍ୱର ଫେରିଥିଲେ ନବୀନ । ଆଉ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ସଙ୍କେତ ବି ଦେଇଥିଲେ । କିନ୍ତୁ କେହି କେବେ କଳ୍ପନା କରିନଥିଲେ, ନବୀନ ଆଉ ଏକ ବଡ଼ ଗୋଟି ଚାଳନା କରିବେ । ତେଣୁ ବିଷ୍ଣୁଙ୍କ ସ୍ଥାନରେ କାହାକୁ ପଠାଇବେ ରାଜ୍ୟସଭା ତାହାର ଧାର ଧରିପାରୁ ନାହାନ୍ତି ଦଳୀୟ ନେତା ।

ପୂର୍ବରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଥିବା ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ । କୁହାଯାଏ ଏହି ବ୍ୟୁରୋକ୍ରାଟ୍ଙ୍କ ଉପରେ ନବୀନ ଯେତିକି ବିଶ୍ୱାସ କରନ୍ତି, ଆଉ କୌଣସି ନେତା କିମ୍ବା ବ୍ୟୁରୋକ୍ରାଟ୍ ଏତିକି ବିଶ୍ୱାସଭାଜନ ହୋଇପାରିନାହାନ୍ତି । ତେଣୁ ହୁଏତ ନବୀନ ବିଜୟଙ୍କୁ ରାଜ୍ୟସଭା ପଠାଇ ଦଳୀୟ ନେତାଙ୍କୁ ଚେକ୍ ଦେବାପାଇଁ ଗୋଟେ ବଡ ପଦକ୍ଷେପ ନେଇପାରନ୍ତି । କିମ୍ବା ଅନ୍ୟ କୌଣସି ଟ୍ରମ୍ପକାର୍ଡ ଖେଳିପାରନ୍ତି ତାହା ପରବର୍ତି ସମୟରେ ସ୍ପଷ୍ଟ ହେବ ।