ପାରାଦୀପରୁ ଲଢିବେ ବିଷ୍ଣୁ ଦାସ? ଦାମଙ୍କ ସଂଗଠନ ଉପରେ କଲେ ଶାଣିତ ଆକ୍ରମଣ ।

45

କନକ ବ୍ୟୁରୋ: ବିଜେଡିରୁ ପାରାଦୀପ ବିଧାୟକ ଡା.ଦାମୋଦର ରାଉତ ବହିଷ୍କୃତ ହେବାପରେ ବଦଳିଯାଇଛି ରାଜନୀତି । ବହିଷ୍କାର ପରେ ଜଗତସିଂହପୁର ଜିଲ୍ଲାର ଦୁଇ ଟାଣୁଆ ନେତା ଡା.ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ପ୍ରତିଦିନ କିଛି ନା କିଛି ପ୍ରସଙ୍ଗକୁ ନେଇ ଏହି ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ବାଦିପାଲା ଆରମ୍ଭ ହୋଇଯାଇଥାଏ । ତେବେ ଇତି ମଧ୍ୟରେ ଦାମଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁରର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ । ସେ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ଓ ଦଳ ଚାହିଁବେ ତେବେ ମୁଁ ପାରାଦ୍ୱୀପରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ।

ଖାଲି ଏତିକି ନୁହେଁ ସେ ଆହୁରୀ ମଧ୍ୟ କରିଛନ୍ତି କି, ଦାମଙ୍କ ପାଖରେ କେହି ନାହାଁନ୍ତି ହେଲେ ଆମ ପାଖରେ ଦଳ ସଂଗଠନ ଅଛି । କିଛି ଦିନ ତଳେ ଦାମବାବୁ ପାରଦ୍ୱୀପ ଯାଇଥିଲେ, ସେଠାରେ କଣ ଘଟିଥିଲା ତାହା ଆପଣ ମାନେ ଜାଣିଛନ୍ତି । ତେବେ ଜିତିବା ହାରିବା କଥା ସମୟ ଓ ପାରଦ୍ୱୀପବାସୀ କହିବେ । ଜିଲ୍ଲାରେ ଅନେକ କର୍ମୀ ଅଛନ୍ତି, ଯେଉଁମାନେ କି ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ, କିନ୍ତୁ ଦାମ ବାବୁ ତାଙ୍କୁ ଡରାଇ ରଖିିଥିଲେ । ଏବେ ସେମାନେ ସ୍ୱେଚ୍ଛାକୃତ ଭାବେ ଆସି ଦଳକୁ ଆଗେଇ ନେବେ ବୋଲି ବିଷ୍ଣୁ ଦାସ କହିଛନ୍ତି ।

ଉଲ୍ଲେଖ ଥାଉ କି, ପାରାଦୀପ ବିଧାୟକ ଡା.ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବାପରେ ଏବେ ବଦଳିଯାଇଛି ଜଗତସିଂହପୁର ଜିଲା ବିଜେଡି ରାଜନୀତି । ଦାମଙ୍କ ସହ ରହିଥିବା କିଛି ନେତା ଓ ନେତ୍ରୀ ଏବେ ବିଜେଡିରେ କୋଣଠେସା ହୋଇପଡିଛନ୍ତି । ହାଇକମାଣ୍ଡଙ୍କୁ ଖୁସି କରାଇବା ପାଇଁ ଦାମ ବିରୋଧରେ ଯେତେ କାର‌୍ୟ୍ୟକ୍ରମ କଲେ ମଧ୍ୟ ହାଇକମାଣ୍ଡ ଏବେ ତାଙ୍କୁ ବିଶ୍ୱାସକୁ ନେଉନଥିବା କଥା ସମଗ୍ର ଜିଲାରେ ଏବେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି ।

ଚର୍ଚ୍ଚା ଅନୁସାରେ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ତଥା ବର୍ତମାନ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଥିବା ବିଷ୍ଣୁଚରଣ ଦାସ ଏଥର ଜଗତସିଂହପୁର ଆସନରୁ ଲଢିବେ ନାହିଁ । ସେ ଜିଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ଲଢିବେ ବୋଲି ତାଙ୍କ ସମର୍ଥକ ମାନଙ୍କ ମହଲରେ ଆଲୋଚନା ହେଉଛି । ଏପରିକି ଏନେଇ ତାଙ୍କୁ ମଧ୍ୟ ଦଳ ହାଇକମାଣ୍ଡ ଗ୍ରୀନ୍ ସିଗନାଲ ଦେଇଥିବା କୁହାଯାଉଛି । ଏପରି ସ୍ଥିତିରେ ପାରାଦୀପରୁ ଦଳର କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଦାମଙ୍କ ଗଡ ଭାବେ ପରିଚିତ ପାରାଦୀପରେ ତାଙ୍କର ବେଶ ଦବଦବା ରହିଛି । ତେଣୁ ସେଠି ଦାମଙ୍କୁ ଚେକ୍ ଦେବାପାଇଁ ତାଙ୍କ ପୁଅ ତଥା ବିଜେଡି ସମ୍ପାଦକ ସମ୍ବିତ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ଯୋଜନା କରିଥିବା ବେଳେ ବିଷ୍ଣୁ ଦାସଙ୍କ ଏଭଳି ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।