ବାହାଘର ପରେ ବେଦୀ ମୁହଁ ପୋଡା ! ଖଟିରେ ଚାଲିଛି ଚର୍ଚ୍ଚା, ପାୱାରଲେସ ବିଷ୍ଣୁ ଦାସ

324

କନକ ବ୍ୟୁରୋ : ପାୱାରଫୁଲ ନେତା ଏବେ ପାୱାରଲେସ । ରାଜନୀତିରେ ଏହା କିଛି ନୂଆ କଥା ନୁହେଁ । ଜଗତସିଂହପୁର ଜିଲ୍ଲା ତଥା ବିଜେଡି ରାଜନୀତିରେ ଗତ କିଛି ଦିନ ଧରି ପାୱାରଫୁଲ ଥିବା ଦାମଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ବିଷ୍ଣୁ ଦାସ ଏବେ ପାୱାରଲେସ ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଦାମ ଯିବା ପରେ ପରେ ବିଷ୍ଣୁଙ୍କ ପକ୍ଷଛେଦନ ପର୍ବ ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି । ଯେମିତି ବାହାଘର ପରେ ବେଦୀ ମୁହଁ ପୋଡା ବିଷ୍ଣୁଙ୍କର ଏବେ ସେହିଭଳି ଅବସ୍ଥା ବୋଲି ଜୋର ଧରିଛି ଚର୍ଚ୍ଚା । ୨୦୧୯ ନିର୍ବାଚନ ପୂର୍ବରୁ ଏହାର ଝଲକ ଦେଖିବାକୁ ମିଳିଛି ।

dama vs bishnuଦାମ ବିଜେଡିରୁ ତଡା ଖାଇବା ପରେ ସବୁଠୁ ଅଧିକ ଖୁସି ହୋଇଥିଲେ ବିଷ୍ଣୁ । ଦାମ କଣ୍ଟା ଯିବା ପରେ ଜଗତସିଂହପୁର ଜିଲ୍ଲା ରାଜନୀତିରେ ସର୍ବେସର୍ବା ହେବାକୁ ଲକ୍ଷ୍ୟ ରଖିଥିଲେ ବିଷ୍ଣୁ । ଦାମଙ୍କୁ ଦଳରୁ ବିଦା କରିଥିବାରୁ ପୁରସ୍କାର ମିଳିବ ବୋଲି ଆଶା ବାନ୍ଧି ବସିଥିଲେ । କିନ୍ତୁ ମୌସୁମୀ ବାୟୁ ଉଡିଯିବା ପରି ବିଷ୍ଣୁଙ୍କର ଏହି ପୁରସ୍କାର ମିଳିବାର ଆଶା ମଧ୍ୟ ଦିନ କେଇଟାରେ ଉଡିଗଲା । କାରଣ ଜଗତସିଂହପୁର ଜିଲ୍ଲା ବିଜେଡି ରାଜନୀତିରେ ମୁଣ୍ଡିଆଳ ହେବାକୁ ଲକ୍ଷ୍ୟ ରଖିଥିବା ବିଷ୍ଣୁଙ୍କୁ ବୟକଟ କରି ଦଳ କୁଜଙ୍ଗରେ ମହିଳା ସମାବେଶ କଲା । କିନ୍ତୁ ସେଠାରେ ବିଷ୍ଣୁଙ୍କର ଦେଖା ଦର୍ଶନ ମିଳିନଥିଲା । ଆଉ ଚର୍ଚ୍ଚା ହେଲା, ବିଷ୍ଣୁଙ୍କୁ କୁଜଙ୍ଗ ମହିଳା ସମାବେଶକୁ ନ ଯିବା ପାଇଁ ଉପରୁ ତାଗିଦ କରାଯାଇଥିଲା ।

ଏହାବାଦ ବିଷ୍ଣୁଙ୍କ ଚେକମେଟ ଦେବାକୁ ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି କରାଗଲା । ଯାହା ବିଷ୍ଣୁଙ୍କୁ ବେଶ ବାଧିଛି ବୋଲି ଚର୍ଚ୍ଚା ହେଉଛି । ଏପରିକି ଜିଲ୍ଲାରେ ହେଉଥିବା କୌଣସି ସଭା ସମିତିରେ ମଧ୍ୟ ବିଷ୍ଣୁଙ୍କୁ ଡକାଯାଉନାହିଁ । ଜିଲ୍ଲା ସଭାପତି ଥାଇ ମଧ୍ୟ ତାଙ୍କର ଅବସ୍ଥା ରବର ଷ୍ଟାମ୍ପ ଭଳି ଏକଥା ଏବେ ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ବିଷ୍ଣୁଙ୍କ ଅବସ୍ଥା ଦେଖି ସଞ୍ଜୟ ଦାସବର୍ମାଙ୍କ ଚେହେରା ସାମ୍ନାକୁ ଆସୁଛି । ସଞ୍ଜୟଙ୍କ ଭଳି ବିଷ୍ଣୁ ମଧ୍ୟ ଏବେ ସମଦଶା ଭୋଗୁଛନ୍ତି । କାରଣ ପୂର୍ବରୁ ବ୍ରହ୍ମଗିରିରେ କଂଗ୍ରେସର ଟାଣୁଆ ନେତା ଲୁଲୁ ମହାପାତ୍ରଙ୍କୁ ଚେକ୍ ଦେବାକୁ ସଞ୍ଜୟଙ୍କୁ ଅସ୍ତ୍ର କରିଥିଲା ବିଜେଡି । ପାୱାର କରିଡରରେ ସଞ୍ଜୟଙ୍କର ରହିଥିଲା ବେଶ ଦବଦବା । ଲୁଲୁଙ୍କୁ କ୍ଷମତାରୁ ବାହାରେ ରଖିବା ପାଇଁ ସଞ୍ଜୟଙ୍କୁ ମନ୍ତ୍ରୀ କରିବା ସହ ବେଶ କ୍ଷମତାଶାଳୀ ମଧ୍ୟ କରାଯାଇଥିଲା । କିନ୍ତୁ ଲୁଲୁ ମହାପାତ୍ରଙ୍କ ଦେହାନ୍ତ ପରେ ସତେଯେମିତି ସବୁକିଛି ବଦଳି ଯାଇଥିଲା । କ୍ଷମତା ଅଳିନ୍ଦରେ ପାୱାରଫୁଲ ଥିବା ସଞ୍ଜୟଙ୍କୁ ପାୱାରଲେସ୍ କରାଯାଇଥିଲା । ମନ୍ତ୍ରୀପଦ କାଢି ନିଆଯିବା ପରେ ଦଳରେ ଏବେ ଗୁରୁତ୍ୱ ହରାଇ ବସିଛନ୍ତି ସଞ୍ଜୟ ।

ଠିକ୍ ସେହିଭଳି ଅବସ୍ଥା ବିଷ୍ଣୁ ଦାସଙ୍କର ହେବାକୁ ଯାଉଛି କି? କାରଣ ଜଗତସିଂହପୁର ଜିଲ୍ଲାରେ ଦାମଙ୍କୁ ଚେକ୍ ଦେବାକୁ ଯେତେବେଳେ ବିଜେଡି ସାହସ କରି ପାରୁନଥିଲା ସେତେବେଳେ ବିଷ୍ଣୁଙ୍କୁ ଅସ୍ତ୍ର କରିଥିଲା ଦଳ । ରାଜ୍ୟସଭାରୁ ଫେରାଇଆଣି ଆଣି ଯୋଜନା ବୋର୍ଡର ଉପାଧ୍ୟକ୍ଷ ଓ ଅନୁସୂଚିତ ଜାତି ଓ ଜନଜାତି ସେଲର ଅଧ୍ୟକ୍ଷ କରି ବିଷ୍ଣୁଙ୍କୁ ବହ୍ମାସ୍ତ୍ର ଭଳି ଶକ୍ତିଶାଳୀ କରିଥିଲା ଦଳ । କିଛି ଦିନ ମଧ୍ୟରେ ଦଳରେ ବିଷ୍ଣୁଙ୍କର କାଟତି ବଢି ଯାଇଥିଲା । ପରବର୍ତ୍ତୀ ସମୟରେ ବିଷ୍ଣୁଙ୍କ ଭଳି ବହ୍ମାସ୍ତ୍ରକୁ ଦାମଙ୍କ ବିରୋଧରେ ବ୍ୟବହାର କରାଯାଇଥିଲା । ଆଉ ଦାମ ଦଳରୁ ବହିଷ୍କାର ହେବା ପରେ ବିଷ୍ଣୁ ଦାସଙ୍କର ମଧ୍ୟ ସଞ୍ଜୟଙ୍କ ଭଳି ସମାନ ଅବସ୍ଥା । ନା ଆଗଭଳି ମିଡିଆ ସାମ୍ନାରେ ମୁହଁ ଖୋଲୁଛନ୍ତି ନା ବିଷ୍ଣୁଙ୍କୁ କୌଣସି ସଭାସମିତିରେ ଦେଖିବାକୁ ମିଳୁଛି । ବିଷ୍ଣୁଙ୍କୁ କୋଣଠେସା କରି ଏବେ ଦଳ ଜଗତସିଂହପୁରରେ ଆଗକୁ ବଢୁଛି । ଆଉ ଏଭଳି ସମୟରେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ନିଜେ ବିଷ୍ଣୁ ସନ୍ଦିହାନ ଥିବା ଶୁଣିବାକୁ ମିଳୁଛି । ଆଉ ଏହି ଘଟଣାବଳୀ ସ୍ପଷ୍ଟ ଦର୍ଶାଉଛି ଯେ, ଦାମ ବିଦା ହେବା ପରେ ଏବେ ବିଷ୍ଣୁ ବିପଦରେ ।