ଦୋ’ଛକିରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ! ବିଜେପିରେ ରହିବେ ନା’ ଛାଡିବେ ବଢିଲା ଚର୍ଚ୍ଚା

251

କନକ ବ୍ୟୁରୋ: ଦୋଛକିରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ରାଜନୈତିକ ଭବିଷ୍ୟତ । ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଶ୍ୱେଶ୍ୱର ଟୁଡୁଙ୍କ ଟିକେଟ ନମିଳିବା ପରେ କିଛି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ବିଶ୍ୱେଶ୍ୱର ଆଜି ପୁରୀରେ କହିଛନ୍ତି, ଦଳ ଯାହା ନିର୍ଦ୍ଦେଶ ଦେବ ତାକୁ ସିଏ ମାନିବେ । ସେପଟେ ମୟୁରଭଂଜ ବାଙ୍ଗିରିପୋଷି ଆସନରୁ ବିଜେପି ପ୍ରାର୍ଥୀ ସଂଜଳି ମୁର୍ମୁଙ୍କୁ ପରିବର୍ତନ କରିବା ଦାବିରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଅଭିନବ ପ୍ରତିବାଦ କରିଛନ୍ତି ବିଜେପି ନେତା ଓ କର୍ମୀ ।

କେନ୍ଦ୍ରମନ୍ତ୍ରୀ ତଥା ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେପି ଟିକେଟ ନ ଦେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପିର ମୟୁରଭଂଜ ଲୋକସଭା ଓ ଏହି ଆସନ ଅନ୍ତର୍ଗତ ବିଧାନସଭା ପ୍ରାର୍ଥୀ ତାଲିକାରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ନାହିଁ । ଆଉ ଟିକେଟ ନ ମିଳିବା ପରେ ବିଶେଶ୍ୱର ଟୁଡୁ ଦଳରେ ରହିବେ ନା ଛାଡିବେ ସେ ନେଇ ରାଜନୈତକ ମହଲରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତେବେ ଏହାକୁ ଖଣ୍ଡନ କରି ବିଶ୍ୱେଶ୍ୱର କହିଛନ୍ତି, ସେ ଦଳ ପରବିର୍ତ୍ତନ କରିବେ ନାହିଁ । ଟିକେଟ ନ ଦେବା ଦଳର ନିଷ୍ପତ୍ତି । ଦଳ ଅଧିକ ଯୋଗ୍ୟ ପ୍ରାର୍ଥୀ ପାଇଥିବ, ତେଣୁ ତାଙ୍କୁ ପ୍ରାର୍ଥୀ କରିଥିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

କୁହାଯାଉଛି, ଟିକେଟ କଟିବା ପଛର ମୁଖ୍ୟ କାରଣ ହେଉଛି ବିବାଦ । ଦଳ ତାଙ୍କୁ ସଙ୍ଗଠନ ଦାୟିତ୍ୱ ଦେବ ନା ଘୋଷଣା ହୋଇନଥିବା ଆସନରୁ ପ୍ରାର୍ଥୀ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ବାଙ୍ଗିରିପୋଷିରୁ ସଂଜଳି ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆଉ ଏହାକୁ ବିରୋଧ କରି ଭୁବନେଶ୍ୱରରେ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ଏହି ଆସନରେ ୫ ଜଣ ଆଶାୟୀ ଥିଲେ । ଆଉ ଏବେ ସଂଜଳି ମୁର୍ମୁଙ୍କ ନାଁ ଘୋଷଣା ପରେ ଏହାକୁ ପରିବର୍ତନ କରିବାକୁ ଯୁକ୍ତି ବାଢିଛନ୍ତି ବିଜେପି ନେତା ।

୨୦୧୯ରେ ମୟୁରଭଂଜ ଲୋକସଭା ଆସନ ସହ ଏହା ଅନ୍ତର୍ଗର୍ତ ୫ଟି ବିଧାନସଭା ଆସନରେ ଜିତିଥିଲା ବିଜେପି । ଏମାନଙ୍କ ମଧ୍ୟରୁ ରାଇରଙ୍ଗପୁର ବିଧାୟକ ନବଚରଣ ମାଝିଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ । ସାରସକଣାରୁ ଡାକ୍ତର ବୁଧାନ ମୁର୍ମୁଙ୍କ ଟିକେଟ କାଟିଛି । ପ୍ରଶ୍ନ ଉଠୁଛି, ୨୦୨୪ରେ ବିଜେପି ୨୦୧୯ର ସଫଳତା ଦୋହରାଇବ କି ?