ପିଏମଓରୁ ମୟୂରଭଞ୍ଜ ସାଂସଦଙ୍କୁ ଫୋନ୍ ଆସିଥିବା ସୂଚନା । ବିଶେଶ୍ୱରଙ୍କୁ ମିଳିପାରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଅଶ୍ୱିନୀ ।

167

କନକ ବ୍ୟୁରୋ : ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ପିଏମଓରୁ ଫୋନ୍ । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବିଶେଶ୍ୱର ସାମିଲ ହେବା ନେଇ ଚର୍ଚ୍ଚା ବଢିଲା । ପ୍ରଧାନମନ୍ତ୍ରୀ ଅଫିସରୁ ତାଙ୍କ ପାଖକୁ ଫୋନ୍ ଆସିଥିବା ସୂଚନା । ବିଶେଶ୍ୱରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବା ଚର୍ଚ୍ଚା ଆରମ୍ଭ ହୋଇଛି ।

ଗୋଟିଏ ପଟେ ବିଶେଶ୍ୱରଙ୍କୁ ପିଏମଓରୁ ଫୋନ୍ ଆସିଥିବା ନେଇ ସୂଚନା ମିଳିଥିବା ବେଳେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି । ଅଶ୍ୱିନୀଙ୍କ ମଧ୍ୟ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ନେଇ ସମ୍ଭାବନା ବଢିଛି । ଉଭୟ ବିଶେଶ୍ୱର ଓ ଅଶ୍ୱିନୀ ପ୍ରଥମ ଥର ପାଇଁ ସାଂସଦ ଭାବେ ସଂସଦକୁ ଯାଇଛନ୍ତି । ଆଉ ସବୁଠୁ ବଡ କଥା ହେଲା, ପୂର୍ବରୁ ଏହି ଦୁଇ ନେତାଙ୍କର କୌଣସି ବ୍ୟାକଗ୍ରାଉଣ୍ଡ ନାହିଁ । ୨୦୧୯ରେ ବିଶେଶ୍ୱର ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବେଳେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରୁ ସାଂସଦ ହୋଇଛନ୍ତି । ଯଦି ଉଭୟ ବିଶେଶ୍ୱର ଓ ଅଶ୍ୱିନୀଙ୍କୁ ମନ୍ତ୍ରୀପଦ ମିଳେ ତେବେ ବିଜେପି ଫୋକସରେ ଓଡ଼ିଶା ରହିଥିବା ନେଇ ସଂକେତ ମିଳିବ । ପୂର୍ବରୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଦୁଇ ଓଡ଼ିଆ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ରହିଛନ୍ତି । ଧର୍ମେନ୍ଦ୍ରଙ୍କ ପାଖରେ କ୍ୟାବିନେଟ ପାହ୍ୟା ସହ ଏକାଧିକ ବିଭାଗ ଥିବା ବେଳେ ପ୍ରତାପଙ୍କୁ ରାଷ୍ଟମନ୍ତ୍ରୀ ପାହ୍ୟା ମିଳିଛି । ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ପ୍ରଶାସନିକ ଦକ୍ଷତା, ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଥିବା ନେତାଙ୍କୁ ସାମିଲ କରାଯିବ ବୋଲି ଚର୍ଚ୍ଚା ହେଉଛି ।