ଓକିଲ ପେଶାରୁ ଦେଶର ସର୍ବୋଚ୍ଚ ପଦ, ଏମିତି ଥିଲା ରାଷ୍ଟ୍ରପତିଙ୍କ ଜୀବନ ଯାତ୍ରା

142

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ପଦବୀରେ ବସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆଜି ଜନ୍ମଦିନ । ୧୯୪୫ ମସିହା ଆଜିର ଦିନରେ ସେ ଉତ୍ତରପ୍ରଦେଶ କାନପୁରର ଏକେ ଛୋଟ ଗ୍ରାମ ପରୋଖ ଠାରେ ତାଙ୍କ ଜନ୍ମ ହୋଇଥିଲା । ରାଷ୍ଟ୍ରପତି ହେବା ପୂର୍ବରୁ ସେ ବିହାର ରାଜ୍ୟପାଳ ଥିଲେ । ସବୁଠାରୁ ବଡକଥା ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶରୁ ଆସି ସେ ରାଷ୍ଟ୍ରପତି ହୋଇଛନ୍ତି ।
ବିଜେପିର ଦଳିତ ମୋର୍ଚ୍ଚା ଓ ଅଖିଳ ଭାରତୀୟ କୁଲି ସମାଜର ଅଧ୍ୟକ୍ଷ ଭାବେ କାମ କରିଥିବା କୋବିନ୍ଦ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ବି କାମ କରିଛନ୍ତି । ବାଜପେୟୀ ଓ ଆଡଭାନୀଙ୍କ ସମୟରେ ଉତ୍ତର ପ୍ରଦେଶର ସବୁଠୁ ବଡ ଦଳିତ ଚେହେରା ଭାବେ ରାମନାଥଙ୍କୁ ଗଣନା କରାଯାଉଥିଲା ।

୧୯୯୦ ମସିହାରେ ରାମନାଥ କୋବିନ୍ଦ ସିଧା ରାଜନୀତିରେ ଯୋଗ ଦେଇଥିଲେ । ସେ ସେହିବର୍ଷ ବିଜେପିରେ ଯୋଗ ଦେଇ ଲୋକସଭା ନିର୍ବାଚନ ଲଢିଥିଲେ । ସେହି ନିର୍ବାଚନରେ ସେ ପରାଜିତ ହୋଇଥିଲେ ବି ୧୯୯୩ ଓ ୧୯୯୯ ରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲେ । ଏହି ସମୟରେ ସେ ବିଜେପି ଅନୁସୂଚିତ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ୨୦୦୭ ରେ ରାମନାଥ କୋବିନ୍ଦ ବେଗନୀପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ ବି ପୁଣି ପରାଜିତ ହୋଇଥିଲେ ।

କୋବିନ୍ଦ ରାଜ୍ୟସଭା ସଦସ୍ୟ ଥିବା ବେଳେ ତାଙ୍କ ସଂସଦୀୟ ସମିତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ । ବିଶେଷକରି ଅନୁସୂଚିତ ଜାତିଜନଜାତି କଲ୍ୟାଣ ସମିତି, ସାମାଜିକ ନ୍ୟାୟ ଓ ଅଧିକାରିତା ଓ ଆଇନ ଏବଂ ନ୍ୟାୟ ସମ୍ବନ୍ଧୀୟ ସଂସଦୀୟ ସମିତିର ସଦସ୍ୟ ଥିଲେ ।

ଆଇନ ପାଠ ପଢିସାରିବା ପରେ ରାମନାଥ ଆଇଏଏସ୍ ପାଇଁ ପ୍ରସ୍ତୁତି କରିଥିଲେ । ସିଭିଲ ସର୍ଭିସ ପରୀକ୍ଷା ବି ପାସ କରିଥିଲେ । ହେଲେ ଆଇଏଏସ କ୍ୟାଡର ନମିଳିବାରୁ ସେ ଓକିଲାତି କରିବାକୁ ନିଷ୍ପତ୍ତି ନେଲେ । ରାମନାଥ କୋବିନ୍ଦ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲ ଭାବେ କାର୍ଯ୍ୟ କରିଛନ୍ତି । ୧୯୭୭ ରୁ ୧୯୭୯ ମସିହା ମଧ୍ୟରେ ସେ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓକିଲାତି କରିଥିଲେ । ଏହାସହ ୧୯୮୦ ରୁ ୧୯୯୩ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟରେ ବି ଓକିଲାତି କରିଛନ୍ତି ।

ଏକ ଓକିଲ ଭାବେ କୋବିନ୍ଦ ସବୁବେଳେ ଗରିବ ଓ ପଛୁଆବର୍ଗ ଲୋକଙ୍କୁ ସହାୟତା ଯୋଗାଇ ଦେଉଥିଲେ । ବିଶେଷ କରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିର ଲୋକ, ମହିଳା ଓ ଗରିବ ଲୋକମାନଙ୍କୁ ଲିଗାଲ ଏଡ ସୋସାଇଟି ବ୍ୟାନର ତଳେ ସହାୟତା ଯୋଗାଉଥିଲେ । ୨୦୦୨ ଅକ୍ଟୋବର ମାସରେ କୋବିନ୍ଦଙ୍କୁ ସଂଯୁକ୍ତରାଷ୍ଟ୍ର ମହାସଭାରେ ସମ୍ବୋଦ୍ଧିତ କରିବାର ସୁଯୋଗ ମିଳିଥିଲା ।

ରାମନାଥ କୋବିନ୍ଦ ଲକ୍ଷ୍ନୌ ସ୍ଥିତ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ ପ୍ରବନ୍ଧନ ବୋର୍ଡର ସଦସ୍ୟ ଓ ଭାରତୀୟ ପ୍ରବନ୍ଧନ ସଂସ୍ଥାନ କୋଲକତା ବୋର୍ଡ ଅଫ୍ ଗଭନର୍ସର ସଦସ୍ୟ ଭାବେ କାମ କରିଛନ୍ତି । ସଂଯୁକ୍ତ ରାଷ୍ଟ୍ରରେ ଭାରତ ପକ୍ଷରୁ ସେ ପ୍ରତିନିଧିତ୍ୱ କରିଛନ୍ତି ।

ସରଳ ଓ ଶାନ୍ତ ସ୍ୱଭାବର ରାଷ୍ଟ୍ରପତି କୋବିନ୍ଦଙ୍କର କାନପୁର ସହ ଗଭୀର ସଂପର୍କ ରହିଛି । ସେ ଏବେ ଦେଶର ସର୍ବୋଚ୍ଚ ପଦରେ ରହିଥିଲେ ବି ବାରମ୍ବାର କାନପୁର ସହ ଯୋଗାଯୋଗରେ ରହିଥାନ୍ତି । ତାଙ୍କର ଆଜି ୭୬ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ସହ ବିରୋଧୀଦଳ ନେତା ଓ ଦେଶର ଅନେକ ବହୁ ବଡ ବଡ ପଦପଦବୀରେ ଥିବା ଲୋକମାନେ ଶୁଭେଚ୍ଛା ଜଣାଇଛନ୍ତି ।