୬ ଡିସେମ୍ବର । ଟିମ୍ ଇଣ୍ଡିଆର ୫ ଷ୍ଟାର କ୍ରିକେଟରଙ୍କ ଜନ୍ମଦିନ, କିଏ ବିଶ୍ୱକପ ଜିତାଇଛି ତ ଆଉ କିଏ ନୂଆ ରେକର୍ଡ କରିଛି ।

258

କନକ ବ୍ୟୁରୋ : ୬ ଡିସେମ୍ବର, ଭାରତୀୟ କ୍ରିକେଟ ପାଇଁ ବେଶ ଖାସ୍ । କାରଣ ଅର୍ନ୍ତଜାତୀୟ କ୍ରିକେଟରେ ନିଜର ଛାପ ଛାଡିଥିବା ୫ ଭାରତୀୟ ଷ୍ଟାର କ୍ରିକେଟରଙ୍କ ଆଜି ହେଉଛି ଜନ୍ମଦିନ । ୫ ଜଣଙ୍କ ମଧ୍ୟରୁ ଏବେ ଟିମ୍ ଇଣ୍ଡିଆ ପାଇଁ ଲଗାତାର ଖେଳି ଆସୁଛନ୍ତି ୩ କ୍ରିକେଟର । ଅନ୍ୟ ଜଣେ ଟେଷ୍ଟ କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମଧ୍ୟ ଦୀର୍ଘ ଦିନ ହେବ ଦଳରେ ସ୍ଥାନ ପାଇନାହାନ୍ତି । ସେହିଭଳି ଅନ୍ୟ ଜଣେ କ୍ରିକେଟର ଯିଏ ପୂର୍ବରୁ ଟି-୨୦ ବିଶ୍ୱକପ ଚାମ୍ପିୟନ ଦଳର ସଦସ୍ୟ ରହି ସାରିଛନ୍ତି । ୬ ଡିସେମ୍ବରରେ ଜନ୍ମଗ୍ରହଣ କରିଥିବା ଏହି ୫ ଜଣ ଖେଳାଳୀ ହେଉଛନ୍ତି ରବୀନ୍ଦ ଜାଡୋଜ, ଯଶପ୍ରୀତ ବୁମରା, ଶ୍ରେୟସ ଆୟର, କରୁଣ ନାୟର ଓ ଆରପି ସିଂହ ।

ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ ଜାଡେଜା ଆଜି ୩୩ ବର୍ଷ ପୂରା କରିଛନ୍ତି । ୬ ଡିସେମ୍ବର ୧୯୮୮ରେ ଜନ୍ମଗ୍ରହଣ କରିଥିବା ରବୀନ୍ଦ୍ର ୨୦୦୯ରେ ଅର୍ନ୍ତଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ।ଶ୍ରୀଲଙ୍କା ବିପକ୍ଷରେ ଅର୍ନ୍ତଜାତୀୟ ଡେବ୍ୟୁ କରିଥିଲେ ରବୀନ୍ଦ୍ର । ଏବେ ସୁଦ୍ଧା ଭାରତ ପାଇଁ ୧୬୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ରବୀନ୍ଦ୍ର ୧୮୮ ୱିକେଟ ହାସଲ କରିଛନ୍ତି । ସେହିଭଳି ଟେଷ୍ଟ ମ୍ୟାଚରେ ୨୩୨ଟି ୱିକେଟ ନେବା ସହ ଟି-୨୦ରେ ୪୬ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ବ୍ୟାଟିଂ ସମୟରେ ମଧ୍ୟ ଅନେକଥର ଜାଡେଜାଙ୍କ ବ୍ୟାଟରୁ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଛି ।

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାହ ୬ ଡିସେମ୍ବର ୧୯୯୩ରେ ଜନ୍ମଗ୍ରହଣ କରିଥିଲେ । ୩ଟି ଫର୍ମାଟରେ ଟିମ୍ ଇଣ୍ଡିଆର ଏବେ ନିୟମିତ ସଦସ୍ୟ ହେଉଛନ୍ତି ବୁମରାହ । ୟର୍କର କିଙ୍ଗ ଭାବେ ପରିଚିତ ବୁମରାହ ବଡ ବଡ ଖେଳାଳୀଙ୍କୁ ଚକମା ଦେବାରେ ମାହିର । ଖୁବ କମ ଦିନର ଅର୍ନ୍ତଜାତୀୟ କ୍ରିକେଟ କ୍ୟାରିୟରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୁମରାହ । ସେହିଭଳି ମୁମ୍ବାଇରେ ଜନ୍ମିତ ଶ୍ରେୟସ ଆୟର ଗତ କିଛି ଦିନ ହେବ ଟିମ୍ ଇଣ୍ଡିଆର ଯୁବ ଖେଳାଳୀ ଭାବେ ପ୍ରଥମ ପସନ୍ଦ ପାଲଟିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ଦମଦାର ପ୍ରଦର୍ଶନ କରିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସ୍ଥ୍ାନ ପାଇଥିଲେ ଶ୍ରେୟସ । ଆଉ ନିଜର ଡେବ୍ୟୁ ଟେଷ୍ଟରେ ଶତକ ହାସଲ କରି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ଶ୍ରେୟସ । ପୂର୍ବରୁ ଦିନିକିଆ ଓ ଟି-୨୦ ଟିମରେ ସ୍ଥାନ ପାଇଥିବା ଶ୍ରେୟସ ଏବେ ଟେଷ୍ଟ ଟିମରେ ନିଜର ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସେହିଭଳି ଟେଷ୍ଟ କ୍ରିକେଟରେ ଛାପ ଛାଡିଥିବା କରୁଣ ନାୟର ଆଜି ୩୦ ବର୍ଷ ବୟସରେ ପାଦ ଦେଇଛନ୍ତି । ବୀରେନ୍ଦ୍ର ସେହୱାଗଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି କରୁଣ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ତାଙ୍କୁ ଟିମରେ ଆଉ ସେଭଳି ସୁଯୋଗ ମିଳିନାହିଁ । ୨୦୧୭ ପରଠାରୁ ଅର୍ନ୍ତଜାତୀୟ କ୍ରିକେଟ ଖେଳିବାକୁ କରୁଣଙ୍କୁ ସୁଯୋଗ ମିଳିନାହିଁ । ମାତ୍ର ୬ଟି ଟେଷ୍ଟ ଖେଳିଥିବା ନାୟର ୩୭୪ ରନ୍ କରିଛନ୍ତି । ଏମାନଙ୍କ ବ୍ୟତୀତ ରାୟବରେଲୀରେ ଜନ୍ମଗ୍ରହଣ କରିଥିବା ଆରପି ସିଂ ଆଜି ୩୬ ବର୍ଷ ବୟସରେ ପାଦ ଦେଇଛନ୍ତି । ୨୦୦୬ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଆରପି ସିଂ । ଆଉ ନିଜ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ ସହ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ହାତେଇଥିଲେ ଆରପି ସିଂ । ଏପରିକି ୨୦୦୭ରେ ଭାରତକୁ ଟି-୨୦ ଚାମ୍ପିୟନ କରିବା ପଛରେ ମଧ୍ୟ ଆରପି ସିଂଙ୍କର ବଡ ଅବଦାନ ରହିଥିଲା । ଖୁବ କମ ସମୟ ମଧ୍ୟରେ ଆରପି ସିଂ ଭାରତୀୟ କ୍ରିକେଟରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଥିଲେ ।