ଏମିତି ସାଙ୍ଗ ଭାଗ୍ୟରେ ଥିଲେ ମିଳେ । ପରିବାର ଲୋକ ଭୁଲି ଯାଇଥିଲେ, ସାଙ୍ଗ କିନ୍ତୁ ମନେ ରଖିଥିଲେ । ହସ୍ପିଟାଲ ବେଡରେ ସାଙ୍ଗମାନେ ପାଳିଲେ ଶ୍ରୀଜିତଙ୍କ ଜନ୍ମଦିନ ।

2,395

କନକ ବ୍ୟୁରୋ : ସାଙ୍ଗଙ୍କ ସହ ଜନ୍ମଦିନ ପାଳିଲେ ଶ୍ରୀଜିତ୍ । କେକ୍ କଟା ହେଲା, ଚକଲେଟ, ଜଳଖିଆ ଚା’ ବଣ୍ଟା ହେଲା । ସାଙ୍ଗଙ୍କ ସହ ବେଶ କିଛି ସମୟ ଚାଲିଲା ହସ ମଜା । ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ କିଏ ଶ୍ରୀଜିତଙ୍କ ମୁଣ୍ଡକୁ ଆଉଁସି ଦଉଥିଲା ତ ପୁଣି କିଏ ପିଠିରେ ହାତ ବୁଲାଇ ଆଣୁଥିଲା । ଶ୍ରୀଜିତଙ୍କ ଜନ୍ମଦିନରେ କଟକ ବଡମେଡ଼ିକାଲର ମାନସିକ ରୋଗ ୱାର୍ଡରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁରୀରୁ ସାଙ୍ଗମାନଙ୍କ ଦ୍ୱାରା ଉଦ୍ଧାର ହେବା ପରେ ଦୀର୍ଘ ବର୍ଷ ପରେ ଶ୍ରୀଜିତ ପାଳିଥିଲେ ଜନ୍ମଦିନ ।

ରବିବାର ତା ସହ ସାଙ୍ଗ ଶ୍ରୀଜିତର ଜନ୍ମଦିନ । ତେଣୁ ସେଲିବ୍ରେସନ ପାଇଁ ମେଡିକାଲରେ ଏକାଠି ହୋଇଥିଲେ ଶ୍ରୀଜିତଙ୍କ ସାଙ୍ଗ । କେକ ଓ ନୂଆ ଡ୍ରେସ ଧରି ଯେତେବେଳେ ସାଙ୍ଗ ମାନେ ପହଞ୍ଚିଥିଲେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଶ୍ରୀଜିତ୍ । କାରଣ ଦୀର୍ଘବର୍ଷ ଧରି ନା ସେ କେବେ ଜନ୍ମଦିନ ପାଳିଥିଲେ ନା ତାଙ୍କର ଜନ୍ମ ତାରିଖ ମନେ ଥିଲା । କିନ୍ତୁ ସାଙ୍ଗଙ୍କ ଠାରୁ ଏଭଳି ସରପ୍ରାଇଜ ପାଇ ବେଶ ଖୁସି ହୋଇଯାଇଥିଲେ ଶ୍ରୀଜିତ । ଜନ୍ମଦିନ ପାଳନ ସହ ସାଙ୍ଗମାନେ କହିଥିଲେ ତାହାର କେହି ନଥିଲେ ବି ଆମେ ଅଛୁ । ବର୍ଷେ କି ଦୁଇ ବର୍ଷ ନୁହେଁ ଯେପର୍ଯ୍ୟନ୍ତ ଶ୍ରୀଜିତ୍ ପୂରା ଠିକ୍ ହୋଇନାହାନ୍ତି ସେତେବେଳ ପର୍ଯ୍ୟନ୍ତ ତାଙ୍କ ସହ ରହିବୁ ।

ମାନସିକ ଭାରସାମ୍ୟ ହରାଇ ଭିକ୍ଷାବୃତ୍ତି କରୁଥିବା ଶ୍ରୀଜିତଙ୍କ ବିଷୟରେ କିଛି ଦିନ ପୂର୍ବେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଆଉ ଖବର ପ୍ରସାରଣ ହେବା ପରେ ସାଙ୍ଗମାନେ ଏକାଠି ହୋଇ ଶ୍ରୀଜିତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ସାଙ୍ଗମାନେ ଶ୍ରୀଜିତଙ୍କ ଦେଖାଶୁଣା କରି ଆସୁଛନ୍ତି ଓ ପୂରା ସମାଜ ପାଇଁ ବନ୍ଧୁତ୍ୱର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।