image courtesy-https://tctechcrunch2011.files.wordpress.com
ପୁନେ ଡାକ୍ତରଖାନାକୁ ଓଲା କ୍ୟାବରେ ଯାଉଥିବାବେଳେ ଜଣେ ଗର୍ଭବତୀ ମହିଳା ବାଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଉଭୟ ମାଆ ଏବଂ ପୁଅକୁ ଉପହାର ସ୍ୱରୂପ ୫ ବର୍ଷ ପାଇଁ ଓଲା କ୍ୟାବରେ ମାଗଣା ଯାତ୍ରା କରିବାର ସୁବିଧା ଯୋଗାଇ ଦେବାକୁ କମ୍ପାନି ଘୋଷଣା କରିଛି। ମାଆ ଓ ଶିଶୁପୁତ୍ରକୁ ଉପହାର ଭାବେ ଏହି ସୁବିଧା କମ୍ପାନି ପ୍ରଦାନ କରିଛି। ସମ୍ପୃକ୍ତ ଶିଶୁଙ୍କ ନାମରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର କୁପନ୍ ମାଧ୍ୟମରେ ସେମାନଙ୍କୁ ଏହି ସୁବିଧା ମିଳିବ।
କ୍ୟାବରେ ପ୍ରସବ କରୁଥିବା ମହିଳାଜଣକ ହେଲେ ୨୧ ବର୍ଷୀୟା ଈଶ୍ୱରୀ ସିଂହ ବିଶ୍ୱକର୍ମା। ଶ୍ରୀମତୀ ବିଶ୍ୱକର୍ମା ଗତ ଦୁଇ ତାରିଖ ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିବା ପରେ ଏକ ଓଲା କ୍ୟାବରେ ଡାକ୍ତରଖାନା ଯାଉଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ କ୍ୟାବ୍ ଭିତରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।
ଗର୍ଭବତୀ ମହିଳାଙ୍କ ସ୍ୱାମୀ ରମେଶ ସିଂହ ବିଶ୍ୱକର୍ମାଙ୍କ କହିବା ଅନୁଯାୟୀ, ଗତ ୨ ତାରିଖ ଦିନ ତାଙ୍କ ପତ୍ନୀଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା । ତେଣୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଓଲା କ୍ୟାବ ବୁକ୍ କରିଥିଲେ । ଓଲା କ୍ୟାବରେ ତାଙ୍କ ପତ୍ନୀଙ୍କ ସହିତ ତାଙ୍କ ଭାଇ ଓ ମାଆ ଯାଉଥିଲେ। ଘରଠାରୁ ହସ୍ପିଟାଲ ୧୨ କିମି ଦୂର ଥିଲା। କିନ୍ତୁ ଘରୁ କିଛି ବାଟ ଯିବା ପରେ ତାଙ୍କ ପତ୍ନୀଙ୍କ ଯନ୍ତ୍ରଣା ବଢ଼ିଥିଲା। ପରେ କ୍ୟାବରେ ହିଁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହି ଖବର ପାଇବା ପରେ ସେ ଡାକ୍ତରଖାନାକୁ ଖବର ଦେଇଥିଲେ। ଏହାପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଡାକ୍ତରଖାନାରେ ପହଞ୍ଚିବା ପରେ ଉଭୟ ମା ଓ ଶିଶୁ ସୁସ୍ଥଥିବା ନେଇ ଡାକ୍ତର କହିଥିଲେ । ଏହାପରେ ଉଭୟ ମା ଓ ଶିଶୁ ୩ ଦିନ ଡାକ୍ତରଖାନାରେ ରହିବା ପରେ ଗତକାଲି ଘରକୁ ଫେରିଛନ୍ତି । ଯେଉଁ ଓଲା କ୍ୟାବରେ ନବଜାତ ଶିଶୁ ଜନ୍ମ ନେଇଥିଲା ସେହି ଓଲା କ୍ୟାବରେ ହିଁ ସେମାନେ ଘରକୁ ଫେରିଥିବା ଜଣାପଡିଛି ।
Follow Us