ଜନ୍ମ ଦିନରେ ମନେ ପଡ଼ିଲେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । ଝୁରି ହେଉଛନ୍ତି କୁନି କୁନି ପିଲା ପ୍ରକାଶଙ୍କ ଅନୁପସ୍ଥିତିରେ ସ୍କୁଲର ଉତର ଦାୟିତ୍ୱ ନେଉଛନ୍ତି ଝିଅ

69

କନକ ବ୍ୟୁରୋ : ସେ ଆଉ ନାହାନ୍ତି । କିନ୍ତୁ ତାଙ୍କ ହାତରେ ଗଢ଼ା ହୋଇଥିବା ମନ୍ଦିର ସେମିତି ସାଇତି ହୋଇ ରଖାଯାଇଛି । କୁନି କୁନି ପିଲା ଆସୁଛନ୍ତି । ଶିକ୍ଷାର ଦୀପରେ ଆଲୋକିତ ହୋଇ ନୂଆ ସ୍ୱପ୍ନ ଦେଖୁଛନ୍ତି । ଏ ହେଉଛି ସେହି ବିଦ୍ୟାଳୟ, ଯାହାକୁ ଦିନେ ସମସ୍ତଙ୍କର ଅତି ପ୍ରିୟ, ପଦ୍ମଶ୍ରୀ ଡି. ପ୍ରକାଶ ରାଓ ତିଆରି କରିଥିଲେ । ଅର୍ଥାଭାବ ଯେମିତି କାହାର ପାଠ ପଢ଼ିବା ବାଟକୁ ଅଟକାଇ ନଦେବ, ସେହି ପ୍ରୟାସରେ ଚା ବିକି ଯେତିକି ପଇସା ରୋଜଗାର କରୁଥିଲେ, ସେଥିରୁ କିଛି କିଛି ସଂଚୟ କରି ଗରିବ ପିଲାଙ୍କ ପାଇଁ ସ୍କୁଲଟିଏ କରିଥିଲେ । ତାଙ୍କ ଅନୁପସ୍ଥିତିରେ ସେହି ସ୍କୁଲଟିକୁ ପରିବାରର ଉତର ଦାୟିତ୍ୱ ଭାବେ ସମ୍ଭାଳି ଆସୁଛନ୍ତି ତାଙ୍କ ଝିଅ ଭାନୁମତି ରାଓ ।

ଯେତେବେଳେ ମହାମହିମ ରାଷ୍ଟ୍ରପତିଙ୍କଠାରୁ ସମ୍ମାନଜନକ ପୁରୁସ୍କାର ଗ୍ରହଣ କରୁଥିଲେ ଡି ପ୍ରକାଶ ରାଓ, ସେତେବେଳେ ସାରା ଓଡିଶାର ଛାତି ଗର୍ବରେ ଫୁଲୁ ଉଠୁଥିଲା । ସାରାଦେଶ ବି ଦେଖୁଥିଲା ମଣିଷ ଗଢ଼ିବା ପାଇଁ ଜଣେ ଦରଦୀ ମଣିଷ କେତେ ସଂଘର୍ଷ କରିପାରେ । ଆଜି ହେଉଛି, ଡି. ପ୍ରକାଶ ରାଓଙ୍କ ଜନ୍ମ ଜୟନ୍ତୀ । ଯଦି ପ୍ରକାଶ ରାଓ ବଂଚିଥାନ୍ତେ, ୬୪ ପୂରି ୬୫ ଚାଲିଥାନ୍ତା । ଆଜି ସେ ନାହାନ୍ତି ସତ କିନ୍ତୁ ସେ ଛାଡି ଯାଇଥିବା ସ୍ମୃତି ସେମିତି ସଜଡା ହୋଇ ରହିଛି । ଯାହାକୁ ଆଜି ବି କୁନି କୁନି ପିଲାମାନେ ଝୁରି ହେଉଛନ୍ତି ।

କୁହାଯାଏ ପ୍ରତି ସଫଳ ମଣିଷ ପଛରେ ଜଣେ ମହିଳାଙ୍କ ହାତ ଥାଏ । ସେ ମହିଳା ହୁଏତ ତାଙ୍କ ଧର୍ମ ପତ୍ନୀ ଭାନୁମତି ରାଓ । ଅଭାବ ଅନଟନ ଭିତରେ ସମାଜସେବା ପାଇଁ ହାତ ବଢ଼ାଇଥିବା ସ୍ୱାମୀଙ୍କୁ କେବେ ଅଟକାଇ ନାହାନ୍ତି । ବରଂ ସବୁବେଳେ ସହଯୋଗ କରି ଆସୁଥିଲେ ପ୍ରକାଶ ରାଓଙ୍କ ପତ୍ନୀ ।

ପ୍ରକାଶ ରାଓ କେବଳ ଯେ ଗରିବ ପିଲାଙ୍କୁ ପାଠ ପଢ଼ାଉଥିଲେ ତାହା ନୁହେଁ । ଅଭାବୀ ମଣିଷଙ୍କ ସହାୟତା ପାଇଁ ମଧ୍ୟ ଠିଆ ହେଉଥିଲେ । ରକ୍ତ ଅଭାବରେ ଯେମିତି କାହାର ଚିକିତ୍ସା ଅଟକି ନଯାଉ, ସେହି ଲକ୍ଷ୍ୟ ନେଇ ଜୀବନକାଳ ଭିତରେ ଶହେରୁ ଅଧିକ ଥର ରକ୍ତଦାନ ମଧ୍ୟ କରିଥିଲେ । ପ୍ରକାଶ ରାଓଙ୍କ ଜନ୍ମଦିନରେ ହୁଏତ ଏତିକି କାମନା କରାଯାଇପାରେ, ଓଡିଶାକୁ ଗର୍ବିତ କରିଥିବା ଏମିତି ମଣିଷ ଆହୁରି ଆସନ୍ତୁ ।