କନକ ବ୍ୟୁରୋ : ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ଡ୍ରାଇଭିଙ୍ଗ ଲାଇସେନ୍ସ, ଶିକ୍ଷାନୁଷ୍ଠାନରେ ଆଡମିଶନ, ଭୋଟର ତାଲିକାରେ ପଞ୍ଜିକରଣ, ଆଧାର କାର୍ଡ, ବିବାହ ପଞ୍ଜିକରଣ ପାଇଁ ଏଣିକି ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ । ଅକ୍ଟୋବର ପହିଲାରୁ ମୃତ୍ୟୁ ଓ ପଞ୍ଜିକରଣ ସଂଶୋଧନ ଅଧିନିୟମ-୨୦୨୩ ଲାଗୁ ହେବ ।

Advertisment

ଆଉ ଏହି ନିୟମ ଅନୁସାରେ, ଆଧାର କାର୍ଡଠାରୁ ଆରମ୍ଭ କରି ସବୁ ଜରୁରୀ କାଗଜପତ୍ର ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଡକୁମେଂଟ ଭାବେ ବ୍ୟବହାର କରାଯାଇପାରିବ । ଏହି ବିଲ୍ ଲୋକସଭାରେ ଅଗଷ୍ଟ ପହିଲା ଓ ରାଜ୍ୟସଭାରେ ୭ ଅଗଷ୍ଟରେ ପାସ ହୋଇଥିଲା । ଆଉ ଏବେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଏହାକୁ ଅକ୍ଟୋବର ପହିଲାରୁ ଲାଗି କରିବାକୁ ଘୋଷଣା କରିଛନ୍ତି । ଏହି ନିୟମ ଲାଗୁ କରିବା ପଛରେ ଉଦ୍ଦେଶ୍ୟ ହେଉଛି, କେନ୍ଦ୍ର ଓ ରାଜ୍ୟ ସ୍ତରରେ ଜନ୍ମ ଓ ମୃତ୍ୟୁର ଡାଟାବେସ ତିଆରି କରିବା ।

ଏହି ନିୟମ ଲାଗୁ ହେବା ପରେ କେନ୍ଦ୍ର ଓ ରାଜ୍ୟ ଜନ୍ମ ଓ ମୃତ୍ୟୁର ଡାଟା ପରଷ୍ପର ମଧ୍ୟରେ ସେୟାର କରିପାରିବେ । ଏଥିପାଇଁ ରାଜ୍ୟଗୁଡିକ ମୁଖ୍ୟ ରେଜିଷ୍ଟ୍ରାର ଓ ରେଜିଷ୍ଟ୍ରାର ନିଯୁକ୍ତି କରିବେ । ଚିଫ ରେଜିଷ୍ଟ୍ରାର ରାଜ୍ୟ ସ୍ତରରେ ଡାଟାବେସକୁ ଦେଖିବେ । ଆଉ ବ୍ଲକ ସ୍ତରରେ ଏହି କାମ କରିବେ ରେଜିଷ୍ଟ୍ରାର । ଏହାଦ୍ୱାରା ଦେଶରେ ଜନ୍ମ ଓ ମୃତ୍ୟୁର ଡାଟାବେସ ପ୍ରସ୍ତୁତ କରାଯାଇପାରିବ । ଆଉ ରାସନ କାର୍ଡ, ଭୋଟର ଆଇଡି ଓ ଅନ୍ୟ କୌଣସି ଡାଟାବେସ ତିଆରି କରିବା ବି ସହଜ ହେବ ।