ସଲାମ୍ କଲାମ୍ ! ପୂରା ଦେଶ ପାଳୁଛି ମିସାଇଲମ୍ୟାନଙ୍କ ଜନ୍ମଦିବସ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା 

180

କନକ ବ୍ୟୁରୋ : ଭାରତର ପୂର୍ବତନ ଲୋକପ୍ରିୟ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ଆଜି ଜନ୍ମଦିବସ । ପୂରା ଦେଶର ଲୋକଙ୍କ ପାଇଁ ଆଦର୍ଶ ପାଲଟିଥିବା ଅବଦୁଲ କଲାମ ଆଜି ବି ମନେ ପଡନ୍ତି । ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମରେ ଅବଦୁଲ କଲାମଙ୍କ ଜନ୍ମ । ଏକ ଗରିବ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିବା କଲାମଙ୍କୁ ନେଇ ପୂରା ଦେଶ ଗର୍ବିତ ହେବ ତାହା କେହି କଳ୍ପନା କରିନଥିଲେ । ସଂଘର୍ଷମୟ ଜୀବନକୁ ପଛରେ ପକାଇ ପିଲାବେଳୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଥିଲେ । କେହି ସୁଦ୍ଧା ଭାବିନଥିଲେ ଦିନେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ଭାବେ ଉଭା ହେବେ କଲାମ । ସବୁବେଳେ କିଛି ନୂଆ ଶିଖିବାର ଇଚ୍ଛା ତାଙ୍କୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର କରୁଥିଲା । କଲାମ ମିସାଇଲ ମ୍ୟାନ ଭାବେ ପୂରା ଦେଶରେ ଜଣାଶୁଣା ଥିଲେ  । ଭାରତୀୟ ମହାକାଶ ବିଜ୍ଞାନକୁ ତାଙ୍କ ଦାନ ଅତୁଳନୀୟ । ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇଥିବା ବ୍ୟକ୍ତି ହେଉଛନ୍ତି କଲାମ । ଏପରିକି ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର କରିବାରେ କଲାମଙ୍କ ପ୍ରମୁଖ ଭୂମିକା ରହିଥିଲା । ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଥିଲେ ।

ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କଲାମ । ଘରର ଆର୍ଥିକ ଅବସ୍ଥା ଏତେଟା ସୁଦୃଢ ନଥିଲା । ତେଣୁ ଘରର ଆର୍ଥିକ ସହୟତା ଦେବା ପାଇଁ ସେ ସ୍କୁଲ ଯିବା ପୂର୍ବରୁ ଘର ଘର ବୁଲି ଖବରକାଗଜ ବିକ୍ରି କରୁଥିଲେ । ସେହି ସମୟରେ ଅଧିକାଂଶ ଲୋକଙ୍କ ଘରେ ବିଜୁଳି ନଥିଲା । ତେଣୁ ପାଠ ପଢିବା ପାଇଁ ସେ ଷ୍ଟ୍ରିଟ ଲାଇଟର ସାହାଯ୍ୟ ନେଉଥିଲେ । ରାସ୍ତାରେ ଲାଗିଥିବା ବିଜୁଳି ଖୁଣ୍ଟ ତଳେ ବସି ସେ ପାଠ ପଢୁଥିଲେ । ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । କିନ୍ତୁ ଏଥିରେ ତାଙ୍କର ମନ ଲାଗିନଥିଲା । କିଛି ନୂଆ କରିବାର ଆଶା ନେଇ ସେ ମାଡ୍ରାସ ଚାଲିଗଲେ ଏରୋସ୍ପେଶ ଇଞ୍ଜିନିୟରିଂ ପଢିବା ପାଇଁ । ଏରୋସ୍ପେଶ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ୧୯୬୨ ମସିହାରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋରେ ଯୋଗ ଦେଇଥିଲେ । ଏହିଠାରୁ ହିଁ ସେ ସଫଳତାର ପାହାଚ ଚଢିବା ଆରମ୍ଭ କରିଥିଲେ । ୧୯୭୪ ମସିହାରେ ପୋଖରାନରେ ହୋଇଥିବା ପରମାଣୁ ପରୀକ୍ଷାର ମୁଖ୍ୟ ପୁରୋଧା ଥିଲେ କଲାମ । ଏହି ପରୀକ୍ଷଣ ଏପରି ଭାବେ କରାଯାଇଥିଲା ଯେ, କୌଣସି ଦେଶ ମଧ୍ୟ ଏହାର ଟେର ପାଇନଥିଲେ । ପୋଖାରାନ ପାର୍ଟ-୨କୁ ମଧ୍ୟ ସଫଳତାର ସମ୍ପନ୍ନ କରି ସେ ଦେଶବାସୀଙ୍କ ପାଇଁ ପାଲଟିଯାଇଥିଲେ ମିସାଇଲ ମ୍ୟାନ ।

a kalam scientistଇସ୍ରୋରୁ ଅବ୍ୟାହତି ନେବା ପରେ ତାଙ୍କୁ ଏନଡିଏ ସରକାର ସମୟରେ ଭାରତର ୧୧ତମ  ରାଷ୍ଟ୍ରପତି ଭାବେ ଦାୟିତ୍ୱ ମିଳିଥିଲା । ଆଉ ଏହାକୁ ସେ ବେଶ ସୂଚାରୁରୂପେ ପାଳନ କରିଥିଲେ । ଏହି ସମୟରେ ହିଁ ସେ ଭାରତର ଅଧିକାଂଶ ଛାତ୍ରଛାତ୍ରୀଙ୍କ ସହ ମିଶିବାର ସୁଯୋଗ ପାଇଥିଲେ । ରାଷ୍ଟ୍ରପତି ହେବା ପରେ ମଧ୍ୟ ସେହିଭଳି ସାଧାରଣ ଜୀବନଯାପନ କରୁଥିଲେ କଲାମ  । ୨୦୦୨ ମସିହାରେ ରାଷ୍ଟ୍ରପତି ହେବା ପରେ କଲାମ କେରଳ ଯାଇଥିବା ବେଳେ ଦୁଇଜଣ ସ୍ୱତନ୍ତ୍ର ଅତିଥିଙ୍କୁ ରାଜଭବନକୁ ନିମନ୍ତ୍ରଣ କରିଥିଲେ । ଜଣେ ଥିଲେ ଜୋତା ମରାମତି କରୁଥିବା ମୋଚି ଏବଂ ଅନ୍ୟଜଣେ ଢାବା ମାଲିକ  । ଏହା ହିଁ ତାଙ୍କ ସରଳ ଜୀବନ ଯାପନ ଶୈଳୀକୁ ଦର୍ଶାଇଥିଲା ।

apj-abdul-kalam-students-1ଏ.ପି.ଜେ ଅବଦୁଲ କଲାମ ରାଷ୍ଟ୍ରପତି ହେବା ପରେ ମିଳୁଥିବା ସମସ୍ତ ଦରମା ଏକ ଟ୍ରଷ୍ଟ ନାଁ ରେ କରି ଦେଇଥିଲେ । ଏପରିକି ରାଷ୍ଟ୍ରପତି ହେବା ପୂର୍ବରୁ ଏକ କଲେଜରେ ତାଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ କିଭଳି ଭାବେ କାର୍ଯ୍ୟକ୍ରମର ପ୍ରସ୍ତୁତି ଚାଲିଛି ତାହା ଜାଣିବା ପାଇଁ ଗୋଟିଏ ଦିନ ପୂର୍ବରୁ ସୁରକ୍ଷାକର୍ମୀଙ୍କ ବିନା ସେ ଜିପରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସେତେବେଳେ କଲାମଙ୍କ ଏହି କାର୍ଯ୍ୟ ପାଇଁ ଜୋର ଚର୍ଚ୍ଚା ହୋଇଥିଲା । ଭିଆଇପି ଜୀବନଶୈଳୀ ଠାରୁ ବହୁ ଦୂରରେ ରହୁଥିଲେ କଲାମ । ଆଇଆଇଏମ ଅହମ୍ମଦାବାଦକୁ ଯାଇଥିବା ବେଳେ କିଛି ଛାତ୍ରଛାତ୍ରୀ ତାଙ୍କ ସହ ଫଟୋ ଉଠାଇବାକୁ ନିବଦେନ କରିଥିଲେ । ଏଥିରେ ଟିକିଏ ବି କୁଣ୍ଠାବୋଧ କରିନଥିଲେ କଲାମ ବରଂ ସମସ୍ତଙ୍କ ସହ ଫଟୋ ଉଠାଇଥିଲେ । ତାଙ୍କ ଫଟୋ ଉଠା ପାଇଁ କାର୍ଯ୍ୟକ୍ରମରେ ବିଳମ୍ବ ହେଉଥିବାରୁ ଛାତ୍ରଙ୍କୁ ଫଯୋ ନେବାକୁ ମନା କରିଥିଲେ ।  ଏଥିରେ କିଛି ଛାତ୍ରଙ୍କ ମନ ଦୁଃଖ ହୋଇଥିଲା ।ତେରୁ ସେ କହିଥିଲେ, କାର୍ଯ୍ୟକ୍ରମ ସରିବା ପରେ ସେତେବେଳ ପର୍ଯ୍ୟନ୍ତ ସେ ଯିବେ ନାହିଁ ଯେତେବେଳ ପଯ୍ୟନ୍ତ ସମସ୍ତେ ଫଟୋ ନ ଉଠାଇଛନ୍ତି ।

-apj-abdul-kalamଯେତେବେଳେ ରାଷ୍ଟ୍ରପତି ଭାବେ କଲାମ ରାଷ୍ଟ୍ରପତି ଭବନ ଯାଇଥିଲେ ସେତେବେଳେ ସାଙ୍ଗରେ ମାତ୍ର ଦୁଇଟି ସୁଟକେସ ନେଇକି ଯାଇଥିଲେ ଆଉ କାଯ୍ୟକାଳ ସରିବା ପରେ ରାଷ୍ଟ୍ରପତି ଭବନରୁ ସେହି ଦୁଇଟି ସୁଟକେସ ନେଇକି ଫେରିଥିଲେ । ସେତେବେଳେ ଏହି କାର୍ଯ୍ୟ ପାଇଁ ସେ ଭାରତବାସୀଙ୍କ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଭାରତର ରତ୍ନ କୁହାଯାଉଥିବା ଅବଦୁଲ କଲାମଙ୍କୁ ବିଭିନ୍ନ ଦେଶର ବିଶ୍ୱବିଦ୍ୟାଳୟରୁ ପ୍ରାୟ ୪୦ଟି ଡକ୍ଟରେଟ ଉପାଧି ମିଳିଛି । ଏହାସହ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଭୂଷଣ, ପଦ୍ମ ବିଭୂଷଣ ଓ ଭାରତ ରତ୍ନ ଉପାଧିରେ ଭୂଷିତ କରାଯାଇଛି । ନିଜ ଜୀବନକାଳ ଭିତରେ କଲାମ ପୂରା ଦେଶ ଭ୍ରମଣ କରି ପ୍ରାୟ ୧କୋଟି ୭୦ ଲକ୍ଷ ଯୁବକ ଯୁବତୀଙ୍କ ସହ ସମୟ ବିତାଇଛନ୍ତି । ସମୟ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା  । ଥରେ ସେ କହିଥିଲେ ମୋ ମରିଯିବା ପରେ କେହି ଦୁଃଖ କରିବନି କି ସରକାରୀ ଛୁଟି ଘୋଷଣା କରିବନି । ଯଦି ପାରିବ ସେହିଦିନ ଆଉ ଦୁଇଘଣ୍ଟା ଅଧିକ ପରିଶ୍ରମ କରିବ । ଏମିତି କିଛି କଥା ତାଙ୍କ ମହାନ୍ କରି ଦେଇଥିଲା ।

abdul kalam 2ମହାନ ବୈଜ୍ଞାନିକ ଡ. ଏପିଜେ ଅବଦୁଲ କଲାମ ଈଶ୍ୱର ବିଶ୍ୱାସୀ ଥିଲେ, ମାତ୍ର ଅନ୍ଧବିଶ୍ୱାସୀ ନଥିଲେ । ମନରେ ତିଳେମାତ୍ର କୁସଂସ୍କାର ନଥିଲା । ତାଙ୍କୁ ରାଷ୍ଟ୍ରପତି କରିବାକୁ ବିଜେପି ସମେତ ପ୍ରାୟ ସବୁ ଦଳ ନିଷ୍ପତ୍ତି ନେଲେ । ମନୋନୟନ ପତ୍ର ଦାଖଲର ତାରିଖ ପାଖେଇ ଆସିଲା । ବିଜେପି ନେତା ତଥା ତତକାଳୀନ କେନ୍ଦ୍ର ମନ୍ତ୍ରୀ ପ୍ରମୋଦ ମହାଜନ ଡ. କଲାମଙ୍କର ନିର୍ବାଚନ ତଦାରଖ ଦାୟିତ୍ୱରେ ରହିଲେ । ସେ ଡ.କଲାମଙ୍କୁ ପଚାରିଲେ, ସାର୍ ଆପଣଙ୍କର ଶୁଭ ଦିନ ଓ ଶୁଭ ବେଳା ସଂପର୍କରେ କୁହନ୍ତୁ । ସେହି ସମୟରେ ଆମେ ମନୋନୟନ ପତ୍ର ଦାଖଲ କରିବୁ ।ଡ.କଲାମ କହିଲେ, ଶୁଭ ବେଳା ଗୋଟେ କଣ ? ଏ ପୃଥିବୀ ମାତା ସବୁବେଳେ ସୂର୍ୟ୍ୟ ଚାରି ପଟେ ଓ ନିଜ ଚାରିପଟେ ଘୂରୁଛି । କେବେ ବି ବିଶ୍ରାମ ନେଉନି । ସେ ଘୂରୁଛି ବୋଲି ଜୀବ ଜଗତ ତିଷ୍ଠିଛି । ତାର ଘୂରିବା ବନ୍ଦ ହୋଇଗଲେ ଏ ଜୀବ ଜଗତ ନଥିବ । ପୃଥିବୀ ଘୂରୁଥିବା ଯାଏ ପ୍ରତିଟି ମୁହୂର୍ତ୍ତ ଶୁଭ । ତେଣୁ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତ ମୋ ପାଇଁ ଶୁଭ । ଯେ କୈାଣସି ଦିନ ଓ ଯେକୈାଣସି ମୁହୂର୍ତ୍ତରେ ମନୋନୟନ ପତ୍ର ଦାଖଲ କରାଯାଇପାରିବ ।

୨୭ ଜୁଲାଇ ୨୦୧୫ ମେଘାଳୟ ଶିଲଂରେ ହୃଦଘାତ ଯୋଗୁଁ କାଲାମଙ୍କ ନିଧନ ହୋଇଥିଲା । ଯେଉଁ ସମୟରେ ଏହି ଅଘଟଣ ଘଟିଥିଲା, ସେ ଆଇଆଇଏମରେ ପିଲାଙ୍କୁ ପାଠ ପଢ଼ାଉଥିଲେ । ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଣ୍ଟି ଚାଲିଥିଲେ । କିନ୍ତୁ କେବେ  ମଧ୍ୟ ଥକି ପଡିନଥିଲେ । ୮୩ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଥିଲେ । କିନ୍ତୁ ଏବେ ବି ପ୍ରତ୍ୟେକ ଭାରତୀୟଙ୍କ ମନରେ କଲାମ ବଞ୍ଚି ରହିଛନ୍ତି ।