କନକ ବ୍ୟୁରୋ : ପାକିସ୍ତାନ ଜେଲ ଜୀବନ ଠାରୁ ବଳି ପଡିଛି ବର୍ତ୍ତମାନର ଜୀବନ । ଶତ୍ରୁ ଦେଶର ଜେଲରେ ଥିବା ବେଳେ କିଛି ନହଲେ ଦିନକୁ ତିନି ଓଳି ଦାନା ମିଳୁଥିଲା, ହେଲେ ନିଜ ଭିଟାମାଟିକୁ ଫେରିବା ପରେ ଓଳିଏ ଖାଇବା କଷ୍ଟକର ହୋଇପଡିଛି । ବିଧବା ଭାଇବୋହୂ ମୁଲ ଲାଗି ଆଣିଲେ ଦେଢଶ୍ୱଶୁରଙ୍କ ପେଟ ପୁରୁଛି, ନହେଲେ ଉପାସରେ ଦିନ କଟୁଛି । ଏ କାହାଣୀ ହେଉଛି ୨୫ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀ ଜୀବନ ବିତାଇଥିବା ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକର ବିର୍ଜୁ କୁଲୁଙ୍କର ।
ମାନସିକ ବିକାରଗ୍ରସ୍ତ ବିର୍ଜୁ କୁଲୁ ଦାଦନ ଖଟିବାକୁ ଯାଇ ପାକିସ୍ତାନ ସୀମା ଡେଇଁ ଯାଇଥିଲେ । ତେଣୁ ପାକିସ୍ତାନ ଜେଲରେ ୨୫ ବର୍ଷ ସଜା କାଟିବା ପରେ ୨୦୨୦ ଅକ୍ଟୋବର ୨୬ରେ ନିଜ ଭିଟାମାଟିକୁ ଫେରିଥିଲେ । ସେତେବଳେ ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଓ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ ଯୋଗାଇବା ପାଇଁ ଏକ କାର୍ଡ ଦିଆଯାଇଥିଲା, ପକ୍କା ଘରଟିଏ ତିଆରି କରିଦେବାକୁ ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏହାରି ଭିତରେ ୩ ବର୍ଷ ବିତିଲାଣି, ହେଲେ ଏଯାଏଁ ନା ଚାଉଳ ମିଳୁଛି ନା ପକ୍କା ଘର । ଭାଇବୋହୂଙ୍କ ପାଖରେ ଏଇ କୁଡିଆରେ ରହୁଛନ୍ତି ବିର୍ଜୁ କୁଲୁ । ଆଉ ୭ ପିଲା ଓ ଦେଢଶ୍ୱଶୁରଙ୍କୁ ପୋଷିବା ପାଇଁ ମୁଲ ଲାଗୁଛନ୍ତି ବିର୍ଜୁଙ୍କ ଭାଇବୋହୂ ।
ଜଣେ ମାନସିକ ବିକାଗ୍ରସ୍ତ ବ୍ୟକ୍ତିଙ୍କ ବୟସର ସଠିକ୍ ପ୍ରମାଣ ମିଳୁନଥିବାରୁ ଭତା ମିଳୁନାହିଁ । ସେପଟେ ଏ ସଂପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି କୁତ୍ରା ବ୍ଲକ ବିଡିଓ ।