ପକ୍ଷୀପ୍ରେମରେ ପୂର୍ବତନ ସରପଞ୍ଚ । ବେସାହାରା ଚଢେଇଙ୍କ ପାଇଁ ଗାଁ ସାରା ବୁଲି ବୁଲି ଗଛରେ ବସା ବାନ୍ଧୁଛନ୍ତି ଭଦ୍ରକର ପକ୍ଷୀପ୍ରେମୀ ସୁଶାନ୍ତ ।

268

କନକ ବ୍ୟୁରୋ: ପକ୍ଷୀପ୍ରେମରେ ପୂର୍ବତନ ସରପଞ୍ଚ । ଚଢେଇଙ୍କ ପାଇଁ ବାନ୍ଧୁଛନ୍ତି ବସା । ଆଜିର ବ୍ୟସ୍ତବହୁଳ ଜୀବନ, ସ୍ୱାର୍ଥପର ଦୁନିଆରେ ମଣିଷ ପାଖରେ ମଣିଷଟିଏ ପାଇଁ ସମୟ ନାହିଁ । ଜଣେ ଅନ୍ୟ ଜଣଙ୍କର ସୁଖ, ଦୁଃଖ ବୁଝିବାକୁ ବି ବେଳ ନାହିଁ । କିନ୍ତୁ ଏଠି ମଣିଷ ନୁହେଁ ପକ୍ଷୀ ପାଇଁ ଚାଲିଛି ଘର ତିଆରି, ଗଢା ହେଉଛି ଚଢେଇ ବସା । ମଣିଷର ଘରଖଣ୍ଡେ ଅଛି ବୋଲି ସେ ଆରାମରେ ମୁଣ୍ଡ ଗୁଞ୍ଜି ଜୀବନ ବିତାଉଛି । ହେଲେ ଯେଉଁ ପକ୍ଷୀମାନଙ୍କର ଘରଟିଏ ନାହିଁ, ବସା ଭାଙ୍ଗିଯାଇଛି ସେମାନେ କେମିତି ବଞ୍ଚୁଥିବେ । ବେସାହାରା ଚଢେଇଙ୍କ ଏ କଷ୍ଟ ବୁଝି ସେମାନଙ୍କ ପାଇଁ ନିଜ ହାତରେ ବସା ତିଆରି କରୁଛନ୍ତି ଏ ପକ୍ଷୀପ୍ରେମୀ ମଣିଷ । ଆଉ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ପତ୍ନୀ ।

କାଠି କୁଟା ଦେଇ ଚଢେଇଙ୍କ ପାଇଁ ଛୋଟ ଛୋଟ ବସା ତିଆରି କରୁଛନ୍ତି ଭଦ୍ରକ ଧାମନଗର ବ୍ଲକ ପାଳସାହି ପଞ୍ଚାୟତର ପୂର୍ବତ ସରପଞ୍ଚ ସୁଶାନ୍ତ ନାୟକ । ଜନପ୍ରତିନିଧି ଭାବେ ଦିନେ ଲୋକଙ୍କ ସେବା କରି ପ୍ରଶଂସା ପାଉଥିଲେ ଆଉ ଏବେ ଚଢେଇସେବା କରି ପୁଣି ଚର୍ଚ୍ଚାରେ ରହିଛନ୍ତି ଏ ଦରଦୀ ମଣିଷ ।

ତେବେ ବନ୍ୟା, ବାତ୍ୟାରେ ପକ୍ଷୀଙ୍କ ବସା ଭାଙ୍ଗିଯିବାରୁ ଚଢେଇମାନେ ରହିବାକୁ ହଇରାଣ ହେଉଛନ୍ତି । ଗାଁରେ ବି ଏବେ ଧିରେଧିରେ ବିରାଟକାୟ ଗଛ ଲୋପ ପାଇବାକୁ ବସିଲାଣି ତେଣୁ

ପକ୍ଷୀଜାତିର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ସୁଶାନ୍ତ । ଆଉ ନିଜ ପତ୍ନୀଙ୍କ ସହଯୋଗରେ ନିଜ ଛୁଆଙ୍କ ପରି ଚଢେଇଙ୍କ ପାଇଁ ବି ତିଆରି କରି ଚାଲିଛନ୍ତି ବସା । ଇତିମଧ୍ୟରେ ପାଖାପାଖି ୧୦୦୦ଟି ବସା ବିଭିନ୍ନ ଗଛରେ ବାନ୍ଧି ସାରିଲେଣି ସୁଶାନ୍ତ । କେବଳ ନିଜ ଗାଁ ନୁହେଁ ପୂରା ଧାମନଗର ବ୍ଲକରେ ପକ୍ଷୀଙ୍କ ପାଇଁ ଏମିତି ବସା ବାନ୍ଧିବାକୁ ନିଷ୍ପତ୍ତି ନେଇଛନ୍ତି ସୁଶାନ୍ତ । ଆଉ ତାଙ୍କର ଏଭଳି ମନୋଭାବ ଦେଖି ଗାଁର ଯୁବକମାନେ ବି ତାଙ୍କୁ ଏକାମରେ ସାହାଯ୍ୟର ହାତ ବଢାଇଛନ୍ତି ।

ସେପଟେ ଏକ ଦୁର୍ଘଟଣା ଯୋଗୁଁ ଦୀର୍ଘଦିନ ଧରି ପୂର୍ବତନ ସରପଞ୍ଚ ଭଲରେ ଚଲାବୁଲା କରିପାରୁନଥିବା ବେଳେ ଚଢେଇଙ୍କ ପାଇଁ ଘରେ ବସି ବସା ବନାଉଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଆଣିଦେବ । ଆଉ ପକ୍ଷୀକୂଳ ବିଲୁପ୍ତ ହେବାରୁ ବଞ୍ଚିଯିବ । ଆସନ୍ତୁ ସୁଶାନ୍ତଙ୍କ ପରି ଆମେମାନେ ବି ଚଢେଇ ସୁରକ୍ଷା ପାଇଁ ଏମିତି ଭଲ ଭଳ କାମ କରିବା ।