ବାର୍ଡ ଫ୍ଲୁ ଆତଙ୍କ : ଆଜି ବି ଜାରି ରହିବ କୁକୁଡା ମରା ଅଭିଯାନ, ଲୋକ ଚିକେନ ଖାଇବେ କି ନାହିଁ ଚିନ୍ତାରେ ପଡିଲେ

155

କନକ ବ୍ୟୁରୋ : ଆଜି ବି ଜାରି ରହିବ କୁକୁଡା ମରା ଅଭିଯାନ । ଓଏୟୁଟି କୁକୁଡା ଫାର୍ମ ଓ ଏହାର ୧ କିମି ବ୍ୟାସାର୍ଦ୍ଧ ଭିତରେ ଆସୁଥିବା ଅଂଚଳଗୁଡିକ ଚାଲୁ ରହିବ । ଏହା ବ୍ୟତୀତ ୧ରୁ ୧୦ କିମି ବ୍ୟାସାର୍ଦ୍ଧ ଅଂଚଳରେ ଥିବା ରାପିଡ ରେସପନ୍ସ ଟିମ୍ ଗୁଡିକ ଦ୍ୱାରା ତନ୍ନ ତନ୍ନ କରି ନିରୀକ୍ଷଣ କରାଯିବ । ଭୁବନେଶ୍ୱର ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟି କୁକୁଡା ଫାର୍ମରେ ବାର୍ଡ-ଫ୍ଲୁ ଜଣାପଡିବା ପରେ ଗତକାଲିଠାରୁ କୁକୁଡା ମରା ଅଭିଜାନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓୟୁଏଟି ଫାର୍ମ ସମେତ ଏହାର ଏକ କିମି ବ୍ୟାସାର୍ଦ୍ଧ ଅଂଚଳରେ ୯୧୫ଟି କୁକୁଡା ଓ ୭ଟି ବତକଙ୍କୁ ମରାଯାଇଛି ।

ଏଥି ସହ ୪ ହଜାର ୬୩୧ଟି ଅଣ୍ଡା, ୨ ହଜାର ୩୫୭ କିଲୋଗ୍ରାମ କୁକୁଡା ଖାଦ୍ୟ ଓ ଫାର୍ମର କୁକୁଡା ଖତ ଗଭୀର ଗାତରେ ପୋତି ଦିଆଯାଇଛି । ପୋତିବା ସମୟରେ ଗାତରେ ବିଶୋଧକ ଭାବେ ଚୂନ ଓ ବ୍ଲିଚିଂ ପାଉଡର ପ୍ରୟୋଗ କରିଥିଲେ । ଏଥିପାଇଁ ୭ଟି ରାପିଡ ରେସପନ୍ସ ଟିମ୍ ନିୟୋଜିତ ହୋଇଥିଲେ । ତେବେ କେବଳ ରାଜଧାନୀରେ କେବଳ ଓୟୁଏଟିରେ ଥିବା କୁକୁଡା ବାର୍ଡ ଫ୍ଲୁ ସଂକ୍ରମିତ ହୋଇଛନ୍ତି ବୋଲି କର୍ତୁପକ୍ଷଙ୍କ ପକ୍ଷରୁ କୁହାଯାଇଛି । ତେବେ ଲୋକମାନେ ବର୍ତମାନ ସ୍ଥିତିରେ ଚିକେନ ଖାଇବେ କି ନାହିଁ ତାହାକୁ ନେଇ ଆଶଙ୍କା ମଧ୍ୟରେ ଅଛନ୍ତି ।