କନକ ବ୍ୟୁରୋ: ବଲିଉଡ ସିନେମା ବନେଇଦେଲା ବାର୍ଡମ୍ୟାନ୍ । ପକ୍ଷୀଙ୍କୁ ପ୍ରେମ କରି ସେମାନଙ୍କୁ ସୁରକ୍ଷା ଦେବାକୁ ସଙ୍କଳ୍ପ କରାଇଲା ସିନେମା । ଅକ୍ଷୟ କୁମାରଙ୍କ ୨.୦ ଏବଂ ରଜନୀକାନ୍ତଙ୍କ ରୋବର୍ଟ ଫିଲ୍ମ ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ପ୍ରେରଣା ଯୋଗାଇଲା । ଆଉ ତାପରେ ପକ୍ଷୀଙ୍କୁ ଆଦରିବା ଆରମ୍ଭ କରି ଦେଲେ ଭାରତ୍ । ଜାତି ଜାତିକା ପକ୍ଷୀଙ୍କୁ ଘରେ ରଖିବା ସହ ସେମାନଙ୍କ ଲାଳନ ପାଳନ କଲେ । ଆଉ ତାଙ୍କର ଏହି ପକ୍ଷୀପ୍ରୀତି ପାଇଁ ତାଙ୍କ ଘରେ ଏବେ ୫୦୦ରୁ ଅଧିକ ପକ୍ଷୀଙ୍କ ଆଡ୍ଡା ଜମିଛି ।

Advertisment

ସକାଳ ହେବା କ୍ଷଣି ପକ୍ଷୀଙ୍କ କିଚିରିମିଚିରି ଶବ୍ଦରେ ନିଦ ଭାଙ୍ଗୁଛି । ସେମାନଙ୍କ ମିଠା ସ୍ପର୍ଶ, ଆଉ ଉଡି ଉଡିକା ଖେଳ ମନକୁ ହାଲକା କରୁଛି । ଏମିତି ପକ୍ଷୀଙ୍କ ମେଳିରେ ସମୟ ବିତାଇ ଦେଉଛନ୍ତି ସୋର ରଘୁନାଥପୁର ଗଞ୍ଜ ଅଞ୍ଚଳର ଭାରତ ଭୂଷଣ ଦାସ ଓ ତାଙ୍କ ପତ୍ନୀ । ଭାରତ ପେସାରେ ଜଣେ ଘଣ୍ଟା ମେକାନିକ୍ ହେଲେ ନିଶା ତାଙ୍କର ଚଢେଇ ପାଳିବା । ବିଭିନ୍ନ ରଙ୍ଗବେରଙ୍ଗର ପକ୍ଷୀକୁ ଘରେ ପାଳି ନିଜେ କରିଛନ୍ତି ଏକ ପକ୍ଷୀ ଉଦ୍ୟାନ ।

ଯେତେବେଳେ ପରିବେଶ ପ୍ରଦୂଷଣ ପାଇଁ, ପରିବେଶର ଅସନ୍ତୁଳନ ପାଇଁ ଏବଂ ଗ୍ଲୋବାଲ ୱାର୍ମିଂ ପାଇଁ ଘରଚଟିଆ, ବାଇ ଚଢେଇ, ହଳଦୀ ବସନ୍ତ ଭଳି ପକ୍ଷୀ ସମାଜରୁ ଧିରେଧିରେ ଲୋପ ପାଇବାକୁ ବସିଛନ୍ତି ସେତେବେଳେ ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି ଭାରତ । ମୋବାଇଲ ରେଡିଏସନ କେମିତି ପକ୍ଷୀ ମଡକର କାରଣ ସାଜେ ତାହା ସିନେମା ୨.୦ରେ ଦର୍ଶାଯାଇଥିଲା । ସେହି ଘଟଣା ତାଙ୍କୁ ପକ୍ଷୀଙ୍କୁ ବଞ୍ଚାଇବା ଦିଗରେ ପ୍ରେରଣା ଦେଇଥିଲା । ବାସ୍ ସେବେଠୁ ସେ ନିଜ ଘରେ ପକ୍ଷୀଙ୍କୁ ପାଳିବା ଆରମ୍ଭ କରିଛନ୍ତି । ଭାରତୀୟ ପକ୍ଷୀ ରଖିବାକୁ ଯଦିଓ ସରକାରଙ୍କ ପକ୍ଷରୁ ନିଷେଧାଦେଶ ରହିଛି କିନ୍ତୁ ସେ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅନୁମତି ଆଣି ପକ୍ଷୀ ସେବାରେ ଲାଗିଛନ୍ତି ।

ଭାରତଙ୍କ ସହ ତାଙ୍କ ପତ୍ନୀ ଏବଂ ଝିଅ ମଧ୍ୟ ପକ୍ଷୀଙ୍କ ଯତ୍ନ ନିଅନ୍ତି । ଦାନା ପାଣି ଠାରୁ ଆରମ୍ଭ କରି ଅସୁସ୍ଥ ପକ୍ଷୀଙ୍କୁ ଔଷଧ ବି ଦିଅନ୍ତି । ପକ୍ଷୀଙ୍କ ବଂଶ ବୃଦ୍ଧି ପାଇଁ ସ୍ୱତନ୍ତ୍ର ମାଠିଆ ବି ଟାଙ୍ଗିଛନ୍ତି । ତେବେ ପ୍ରତିଦିନ ଖାଦ୍ୟ ବାବଦକୁ ୩୦୦ ଟଙ୍କା ପାଖାପାଖି ଖର୍ଚ୍ଚ ହେଉଥିବା ବେଳେ ଏହି ଟଙ୍କା ଉଠାଇବାକୁ ସେ ବାଧ୍ୟହୋଇ କିଛି ଚଢେଇ ବିକ୍ରି କରନ୍ତି । ପାଳିଥିବା ଚଢେଇକୁ ବିକ୍ରି କରିବା ବେଳେ ଯଦିଓ ସମସ୍ତଙ୍କୁ କଷ୍ଟ ଲାଗେ ମାତ୍ର ସେମାନଙ୍କ ଖର୍ଚ୍ଚ ଉଠାଇବାକୁ ଏହାଛଡା ଆଉ କିଛି ଉପାୟ ନଥିବା କହିଛନ୍ତି ଭାରତ୍ ।

ତେବେ ଆଜିର ଦୁନିଆରେ ପରିବେଶର ଅସନ୍ତୁଳନତା ପକ୍ଷୀଙ୍କ ବଂଶହ୍ରାସର ମୁଖ୍ୟ କାରଣ ପାଲଟୁଥିବା ବେଳେ ଖୁବ କମ୍ ଲୋକ ପକ୍ଷୀଙ୍କ ସୁରକ୍ଷା ପାଇଁ ଆଗେଇ ଆସୁଛନ୍ତି । ତେଣୁ ଆସନ୍ତୁ ପକ୍ଷୀଙ୍କ ସୁରକ୍ଷା ପାଇଁ ଚିନ୍ତା କରିବା । କାରଣ ପକ୍ଷୀମାନେ ହିଁ ପରିବେଶ ପ୍ରକୃତିକୁ ସୁନ୍ଦର କରନ୍ତି ।